ଟ୍ୟୁନେସିଆର ରାଜଧାନୀରେ ନିଜକୁ ବିସ୍ଫୋରଣରେ ଉଡାଇଲେ ମହିଳା
ଟ୍ୟୁନିସ୍ . – ଟ୍ୟୁନେସିଆର ରାଜଧାନୀ ଟ୍ୟୁନିସ୍ରେ ଜଣେ ମହିଳା ବିସ୍ଫୋରଣ କରି ନିଜକୁ ଉଡାଇ ଦେଇଛନ୍ତି । ଏହି ଆତ୍ମଘାତୀ ବିସ୍ଫୋରଣରେ ୮ ଜଣ ଲୋକ ଆହତ ହୋଇଥିବା ବିବିସି.କମ୍ ନିଜ ଖବରରେ ସୂଚନା ଦେଇଛି । ଟ୍ୟୁନିସ ସହରର ମଧ୍ୟଭାଗରେ ଥିବା ହବିବ ବୋରଗ୍ୟୁବା ଆଭେନ୍ୟୁ ନିକଟରେ ଏହି ବିସ୍ଫୋରଣ ଘଟିଥିବା ପୁଲିସ ସୂଚନା ଦେଇଛି ।
ଏହା ଏକ ଆତଙ୍କବାଦୀ କାର୍ଯ୍ୟବୋଲି ସେଠାକାର ସୁରକ୍ଷା ସଂସ୍ଥାମାନେ କହିଛନ୍ତି । ରିପୋର୍ଟ ଲେଖା ପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ କରି ନାହାନ୍ତି । ଏବେ ଦେଶର ପର୍ଯ୍ୟଟନ ଉଦ୍ୟୋଗରେ ଉନ୍ନତି ପରିଲକ୍ଷିତ ହେଉଛି । ତିନି ବର୍ଷ ତଳେ ଭୟାବହ ଆତଙ୍କବାଦୀ ଆକ୍ରମଣ ପରେ ଦେଶର ପର୍ଯ୍ୟଟନ ଶିଳ୍ପ ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ୨୦୧୫ ମସିହାରେ ମାର୍ଚ୍ଚ ମାସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୨ ଜଣ ଓ ଜୁନ୍ମାସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୩୮ ଜଣ ପ୍ରାଣ ହରାଇଥିଲେ ।