ବୁଲଧାଣା: ମହାରାଷ୍ଟ୍ରର ବୁଲଧାଣା ଜିଲାରେ ୯୦ ଜଣ ବୁଲା କୁକୁରକୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏକ ସ୍ଥାନୀୟ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜିଲାର ଏକ ଜଙ୍ଗଲିଆ ଅଞ୍ଚଳରେ ଥିବା ଗରଡା-ସାଲକଦାବରା ରାସ୍ତାର ବିଭିନ୍ନ ସ୍ଥାନରୁ ଗୁରୁବାର ଏହି ମୃତଦେହ ଉଦ୍ଧାର ହୋଇଥିଲେ । ପାଞ୍ଚଟି ସ୍ଥାନରୁ ପ୍ରାୟ ୧୦୦ଟି କୁକୁରକୁ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୦ଟି ଜୀବନ୍ତ ଥିବା ବେଳେ ଅନ୍ୟ ୯୦ଟି କୁକୁର ମରି ସାରିଥିଲେ । ମୃତ୍ୟୁବରଣ କରିଥିବା କିଛି କୁକୁରଙ୍କ ହାତ ଗୋଡ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି ।
ପାଟିଲ ଗାଁର ପୁଲିସ ଅଧିକାରୀଙ୍କୁ ସମ୍ପର୍କ କରିବା ପରେ ବନବିଭାଗକୁ ଏନେଇ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ପୁଲିସ ଓ ବନ ବିଭାଗ କର୍ମଚାରୀ ପହଞ୍ଚି କିଛି କୁକୁରଙ୍କୁ ଜୀବନ୍ତ ଉଦ୍ଧାର କରିଥିଲେ । ସେମାନଙ୍କର ମଧ୍ୟ ମୁହଁ ଓ ହାତ ଗୋଡ ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା । ବନ ବିଭାଗ କର୍ମଚାରୀ ସେମାନଙ୍କୁ ମୁକ୍ତ କରିଥିଲେ । ବୁଲା କୁକୁରଙ୍କୁ କେହି ଅଜଣା ବ୍ୟକ୍ତି ହତ୍ୟା କରିଥିବା ନେଇ ବନ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ରବିବାର ଏକ ମାମଲା ରୁଜୁ ହୋଇଛି ।
ପୁଲିସ ଅଧିକାରୀ କହିଛନ୍ତି ଯେ, ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ କୁକୁରଙ୍କ ମୃତ୍ୟୁର ସଠିକ୍ କାରଣ ଜଣାପଡିବ । ସହରର ବୁଲା କୁକୁରକୁ ଧରି କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏନେଇ କୁକୁର ଧରାଳୀଙ୍କୁ ପଚରାଉଚରା ଜାରି ରହିଛି।



