କଟକସ୍ଥିତ ପ୍ରବନ୍ଧନ ଏବଂ ପ୍ରୌଦ୍ୟୋଗିକି ସଂସ୍ଥାନ, ଆଇଏମଆଇଟିର ପୁରାତନ ଛାତ୍ର ସଂସଦର ଷଷ୍ଠ ବାର୍ଷିକ ସମ୍ମିଳନୀ ଆଭାସୀ ଜରିଆରେ ଗତକାଲି ଅନୁଷ୍ଠିତ ହୋଇଯାଇଛି। କରୋନା କଟକଣାକୁ ଦୃଷ୍ଟିରେ ରଖି ଆୟୋଜିତ ଏହି ସମ୍ମିଳନୀରେ ୧୯୮୪ ମସିହା ଠାରୁ ୨୦୨୦ ମସିହା ପର୍ଯ୍ୟନ୍ତ ସମସ୍ତ ବ୍ୟାଚର ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅନଲାଇନରେ ଯୋଗ ଦେଇଥିଲେ।ଆଇଏମଆଇଟି ଅଧ୍ୟକ୍ଷ ପ୍ରଫେସର ପ୍ରଭାତ କୁମାର ପାରହୀ ଏହି ଅବସରରେ ଅନୁଷ୍ଠାନର ଇତିହାସ ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ ପୁରାତନ ଛାତ୍ରଛାତ୍ରୀ ହେଉଛନ୍ତି ଶିକ୍ଷାନୁଷ୍ଠାନର ମୂଲ୍ୟବାନ ସମ୍ବଳ।
ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ଼ର ନିର୍ଦ୍ଦେଶକ (ପର୍ଶନେଲ) ତଥା ସିଏମଡି ଦାୟିତ୍ୱରେ ଥିବା କିଶୋର ଚନ୍ଦ୍ର ଦାସଙ୍କୁ ସମ୍ମାନିତ କରାଯାଇଥିଲା। ଶ୍ରୀଯୁକ୍ତ ଦାସ ୧୯୮୮ ମସିହାରେ ଏହି କଲେଜରେ ଅଧ୍ୟୟନ କରିଥିଲେ। କଲେଜର ଅଧ୍ୟକ୍ଷ ପ୍ରଫେସର ପାରହୀ ଶ୍ରୀଯୁକ୍ତ ଦାସଙ୍କୁ ସମ୍ମାନିତ କରିବା ସହ ତାଙ୍କର ଭୁୟସୀ ପ୍ରଶଂସା କରିଥିଲେ। ସମ୍ମାନର ପ୍ରତ୍ୟୁତ୍ତରରେ ଶ୍ରୀଯୁକ୍ତ ଦାସ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ଜୀବନ ଜୀବିକା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟର ଏହି ପୁରାତନ ପ୍ରବନ୍ଧନ ଏବଂ ପ୍ରୌଦ୍ୟୋଗିକି ସଂସ୍ଥାନ, ଆଇଏମଆଇଟିର ଉତ୍ତରୋତ୍ତର ଉନ୍ନତି ନିମନ୍ତେ ମିଳିମିଶି କାମ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।
ଏଥିରେ ଏମସିଏ ବିଭାଗୀୟ ମୁଖ୍ୟ ପ୍ରଫେସର ରାୟଗୁରୁ ଅକ୍ଷୟ କୁମାର ଦାସ, ଏମବିଏ ବିଭାଗୀୟ ମୁଖ୍ୟ ପ୍ରଫେସର ଡ଼କ୍ଟର ଶୁଭେନ୍ଦ୍ର କୁମାର ଜୟସିଂହ, ଅଧ୍ୟାପକ ଅଧ୍ୟାପିକା, ପୁରାତନ ଛାତ୍ର ସଂସଦ ସଭାପତି ଡାକ୍ତର ଗଙ୍ଗାଧର ମିଶ୍ର, ଉପସଭାପତି ବିରଜା ପ୍ରସାଦ ମହାନ୍ତି ଓ ରାକେଶ ରାଉତରାୟ, ସମ୍ପାଦକ ମାନସ ରଞ୍ଜନ ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ରଜତ କୁମାର ବଳିଆରସିଂହ ଓ ଆଦିତ୍ୟ ବଡୁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଫେସର ଶୁଭେନ୍ଦ୍ର କୁମାର ଜୟସିଂହ ଧନ୍ୟବାଦ ଜ୍ଞାପନ କରିଥିଲେ।
ଏମବିଏ ଛାତ୍ରୀ ତବସୁମ ଆଜାଦ କାର୍ଯ୍ୟକ୍ରମର ସଂଯୋଜନା ଦାୟିତ୍ୱ ନିର୍ବାହ କରିଥିବା ବେଳେ ରୋନାଲିସା ପ୍ରଧାନ, ବିଘ୍ନେଶ ପ୍ରସାଦ, ବର୍ଷା କାନୁନଗୋ, ବିକାଶ ବାରିକ, ମୋନାଲିସା ମଲ୍ଲିକ, ବିଭୁ ତ୍ରିପାଠୀ, ରୋଜାଲୀନ ବେହେରା, ସୌମ୍ୟ ମହାରଣା ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ଡ଼କ୍ଟର ସୂଦୀପ ଘୋଷ, ପ୍ରଶାନ୍ତ ସାହୁ, ଶ୍ରଦ୍ଧାଞ୍ଜଳି ସାହୁ, ଗୋପାଳ ନାୟକ, ହରିପ୍ରସାଦ ନାୟକ, ବିରଜା ପ୍ରସାଦ ମହାନ୍ତି ଏବଂ ସୁହାନା ସଞ୍ଜିତା ଦାସ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ସମାରୋହକୁ ଫେସବୁକ ମାଧ୍ୟମରେ ସିଧା ପ୍ରସାରଣ କରାଯାଇଥିଲା।



