ଆଇସିସି ଟ୍ବେଣ୍ଟି-୨୦ ଅଲ୍‌ରାଉଣ୍ଡର ମାନ୍ୟତା: ୫ମ ସ୍ଥାନକୁ ଉଠିଲେ ହାର୍ଦିକ

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ତରଫରୁ ବୁଧବାର ଜାରି ଟ୍ବେଣ୍ଟି୨୦ ଅଲରାଉଣ୍ଡର ମାନ୍ୟତାର ୫ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ଭାରତର ହାର୍ଦିକ ପାଣ୍ଡ୍ୟା। ଏସିଆ କପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଉଭୟ ବୋଲିଂ ଓ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଥିବାରୁ ହାର୍ଦିକ ୮ଟି ସ୍ଥାନ ଉପରକୁ ଉଠି ୫ନଂ ସ୍ଥାନରେ ପହଞ୍ଚିଛନ୍ତି। ଉକ୍ତ ମ୍ୟାଚ୍‌ରେ ହାର୍ଦିକ ୨୫ ରନ୍‌ ଦେଇ ୩ଟି ୱିକେଟ୍ ନେଇଥିବା ବେଳେ ମାତ୍ର ୧୭ଟି ବଲରୁ ଅପରାଜିତ ୩୩ ରନ୍‌ କରିଥିଲେ।
ଅନ୍ୟପକ୍ଷରେ ଏସିଆ କପ୍‌ରେ ଭଲ ପ୍ରଦର୍ଶନ କରିଥିବା ଆଫଗାନିସ୍ତାନର କ୍ରିକେଟର୍‌ଙ୍କ ମାନ୍ୟତାରେ ଉନ୍ନତି ଆସିଛି। ଟ୍ବେଣ୍ଟି୨୦ ବୋଲିଂ ମାନ୍ୟତାରେ ଆଫଗାନିସ୍ତାନର ରସିଦ୍‌ ଖାଁ ୨ଟି ସ୍ଥାନ ଉପରକୁ ଉଠି ୭୦୮ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ଲେଗ୍‌ସ୍ପିନର ଆଦିଲ୍‌ ରସିଦ୍‌ ୪ର୍ଥ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର ତାବ୍ରେଜ୍‌ ସାମ୍‌ସି ୭୧୬ ପଏଣ୍ଟ ସହ ୨ନଂ​‌େ​‌ର ଥିବା ବେଳେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋସ୍‌ ହାଜେଲଉଡ୍‌ ଶୀର୍ଷ ସ୍ଥାନରେ ରହିଛନ୍ତି। ଆଫଗାନିସ୍ତାନର ଅଫ୍‌ସ୍ପିନର ମୁଜିବ୍‌ ଉର ରେହମାନ୍‌ ୬୬୦ ପଏଣ୍ଟ ସହ ୭ମ ଓ ଭାରତର ଭୁବନେଶ୍ବର କୁମାର ୬୬୧ ପଏଣ୍ଟ ସହ ୮ମ ସ୍ଥାନରେ ଅଛନ୍ତି।
ବ୍ୟାଟିଂ ମାନ୍ୟତାରେ ପାକିସ୍ତାନର ମହମ୍ମଦ ରିଜୱାନ୍‌ ୭୯୬ ପଏଣ୍ଟ ସହ ୨ୟ ସ୍ଥାନରେ ଥିବା ବେଳେ ଅଧିନାୟକ ବାବର ଆଜମ୍‌ ୮୧୦ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛନ୍ତି। ଏସିଆ କପ୍‌ର ୨ଟି ମ୍ୟାଚ୍‌ରେ ଯଥାକ୍ରମେ ୨୩ ଓ ୩୭ ରନ୍‌ କରିଥିବା ଆଫଗାନିସ୍ତାନର ହଜରତୁଲ୍ଲା ଜାଜାଇ ୩ଟି ସ୍ଥାନ ଉପରକୁ ଉଠି ୧୪ନଂରେ ରହିଛନ୍ତି। ତାଙ୍କ ସାଥୀ ଖେଳାଳି ରହମନୁଲ୍ଲା ଗୁରବାଜ୍‌ ୫ଟି ସ୍ଥାନ ଉପରକୁ ଉଠି ୨୯ନଂରେ ରହିଛନ୍ତି। ଟେଷ୍ଟ ମାନ୍ୟତାରେ ଇଂଲଣ୍ଡର ବେନ୍‌ ଷ୍ଟୋକ୍‌ସଙ୍କ ବୋଲିଂ, ବ୍ୟାଟିଂ ଓ ଅଲରାଉଣ୍ଡର ମାନ୍ୟତାରେ ଉନ୍ନତି ଘଟିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଶତକ ହାସଲ କରିଥିବାରୁ ଷ୍ଟୋକ୍‌ସ ବ୍ୟାଟିଂ ମାନ୍ୟତାରେ ୯ଟି ସ୍ଥାନ ଉପରକୁ ଉଠି ୧୮ନଂରେ ରହିଥିବା ବେଳେ ବୋଲିଂ ମାନ୍ୟତାରେ ୫ଟି ସ୍ଥାନ ଉପରକୁ ଉଠି ୫୪୦ ପଏଣ୍ଟ ସହ ୩୮ନଂ ଓ ଅଲରାଉଣ୍ଡର ମାନ୍ୟତାରେ ୩୬୦ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛନ୍ତି। ଟେଷ୍ଟ ଅଲରାଉଣ୍ଡର ମାନ୍ୟତାରେ ଭାରତର ରବୀନ୍ଦ୍ର ଜାଡ଼େଜା ୩୮୪ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି। ଦିନିକିଆ ମାନ୍ୟତାର ଶୀର୍ଷ ୧୦ ତାଲିକାରେ କୌଣସି ପରିବର୍ତ୍ତନ ହୋଇନାହିଁ।

kalyan agarbati

Comments are closed.