ଇଡେନଗାର୍ଡେନ: ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ୧୩ତମ ସଂସ୍କରଣରେ ପାକିସ୍ତାନ ପ୍ରତ୍ୟାବର୍ତ୍ତନ କରିଛି। ଦଳ କ୍ରମାଗତ ୪ଟି ମ୍ୟାଚରେ ପରାଜୟ ପରେ ୭ମ ମ୍ୟାଚରେ ବିଜୟ ସହ ସେମିଫାଇନାଲ ଆଶା ବଜାୟ ରଖିଛି। ମଙ୍ଗଳବାର ଇଡେନଗାର୍ଡେନରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ୭ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି। ପାକିସ୍ତାନ ୭ମ ମ୍ୟାଚରୁ ୩ୟ ବିଜୟ ହାସଲ କରିଥିବାବେଳେ ବଂଲାଦେଶ ସମାନ ସଂଖ୍ୟକ ମ୍ୟାଚରୁ ୬ଷ୍ଠ ପରାଜୟ ସହ ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଛି।
ବାଂଲାଦେଶ ମହମ୍ମଦୁଲ୍ଲାଙ୍କ ୫୬ରନ ବଳରେ ୨୦୪ରନ କରିଥିଲା। ଜବାବରେ ପାକିସ୍ତାନ ଫକର ଜମାନ ୮୧ ଓ ଅବଦୁଲ୍ଲା ସାଫିକଙ୍କ ୬୮ରନ ବଳରେ ୩୨.୩ ଓଭର ଖେଳି ୩ ୱିକେଟ ବିନିମୟରେ ୨୦୫ରନ କରି ବିଜୟୀ ହୋଇଥିଲା। ଫକର ଜମାନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।
୨୦୫ରନର ବିଜୟ ଲକ୍ଷ୍ୟକୁ ପାକି୍ସ୍ତାନର ଦୁଇ ଓପନର ଫକର ଜମାନ ଓ ଅବଦୁଲ୍ଲା ସାଫିକ୍ ୧୨୮ରନ ଭାଗିଦାରୀ କରି ବିଜୟ ନିଶ୍ଚିତ କରାଇଥିଲେ। ସାଫିକ୍ ୬୮ରନ କରି ଆଉଟ୍ ହୋଇଥିଲେ। ଦ୍ବିତୀୟ ୱିକେଟରେ ଫକର ଓ ଅଧିନାୟକ ବାବର ଆଜାମ ୩୨ରନ ସଂଗ୍ରହ କରିଥିଲେ। ସ୍କୋର ୧୬୦ରନ ଥିବାବେଳେ ବାବର ୯ରନ କରି ଆଉଟ୍ ହୋଇଥିଲେ। ୧୬୯ରନରେ ୩ୟ ୱିକେଟର ପତନ ଘଟିଥିଲା। ଫକର ୮୧ରନ କରି ଆଉଟ୍ ହୋଇଥିଲେ। ୪ର୍ଥ ୱିକେଟରେ ମହମ୍ମଦ ରିଜ୍ୱାନ ଓ ଇଫ୍ତିକାର ଅହମ୍ମଦ ଅବିଭାଜିତ ୩୬ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇଥିଲେ। ରିଜ୍ୱାନ ୨୬ ଓ ଇଫ୍ତିକାର ୧୭ରନ କରି ଅପରାଜିତ ରହିଥିଲେ। ବାଂଲାଦେଶ ପକ୍ଷରୁ ମେହେଦି ହାସନ ମିରାଜ ୩ଟି ୱିକେଟ ନେଇଥିଲେ।
ବାଂଲାଦେଶ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ପ୍ରାରମ୍ଭରୁ ବିପର୍ଯ୍ୟୟ ଭୋଗିବା ସହିତ ୪ରନରେ ଦୁଇଟି ୱିକେଟ ହରାଇଥିଲା। ପ୍ରଥମ ଓଭରର ପଞ୍ଚମ ବଲରେ ସାହିନ୍ ସାହା ଆଫ୍ରିଦି ତାନଜିଦ୍ ହାସନଙ୍କୁ ଆଉଟ୍ କରି ପ୍ରଥମ ସଫଳତା ଦେଇଥିଲେ। ନାଜମୋଲ ହୋସେନ ସାଣ୍ଟୋ ମାତ୍ର ୪ରନ କରି ସାହିନ୍ଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ୩ୟ ୱିକେଟରେ ଲିଟନ ଓ ମାସ୍ତାଫିକ୍ୟୁର ରହିମ ୧୯ରନ ସଂଗ୍ରହ କରିଥିଲେ। ୨୩ରନ ସ୍କୋରରେ ମୁସ୍ତାଫିକ୍ୟୁର ୫ରନ କରି ଆଉଟ୍ ହୋଇଥିଲେ। ୪ର୍ଥ ୱିକେଟ ପାଇଁ ଲିଟନ ଓ ମହମ୍ମଦୁଲ୍ଲା ୭୯ରନ ସଂଗ୍ରହ କରିଥିଲେ। ୧୦୨ରନ ସ୍କୋର ଥିବାବେଳେ ଲିଟନ ୪୫ରନ କରି ଆଉଟ୍ ହୋଇଥିଲେ। ୧୩୦ରନରେ ଦଳ ୫ମ ୱିକେଟ ହରାଇଥିଲା। ମହମ୍ମଦୁଲ୍ଲା ୫୬ରନ କରି ଆଉଟ୍ ହୋଇଥିଲେ। ୬ଷ୍ଠ ୱିକେଟରେ ସାକିବ୍ ଅଲ୍୍ ହାସନ ଓ ତୋହିଦ ହୃଦୟ ମାତ୍ର ୧୦ରନ ଯୋଡ଼ିଥିଲେ। ୧୪୦ରନ ସ୍କୋର ଥିବାବେଳେଳ ହୃଦୟ ୭ରନ କରି ଆଉଟ୍ ହୋଇଥିଲେ। ସାକିବ୍ ଓ ମେହେଦି ହାସନ ମିରାଜ ୭ମ ୱିକେଟରେ ୪୫ରନ ସଂଗ୍ରହ କରିବା ସହିତ ସ୍କୋରକୁ ୧୮୫ରନରେ ପହଞ୍ଚାଇଥିଲେ। ସାକିବ୍ ୪୩ରନ କରି ଆଉଟ୍ ହୋଇଥିଲେ। େଶଷ ଆଡକୁ ମେହେଦି ହାସନ ମିରାଜଙ୍କ ୨୫ରନ ବଳରେ ଦଳ ୪୫.୧ ଓଭରରେ ୨୦୪ରନ କରି ଅଲ୍ଆଉଟ୍ ହୋଇଯାଇଥିଲା। ପାକିସ୍ତାନ ପକ୍ଷରୁ ସାହିନ ସାହ ଆଫ୍ରିଦି ଓ ମହମ୍ମଦ ୱାସିମ ୩ଟି ଲେଖାଏଁ, ହାରିଶ ରୈଫ ୨ଟି ୱିକେଟ ନେଇଥିଲେ।



