ନୂଆଦିଲ୍ଲୀ: ଭାରତୀୟ ଜାଭେଲିନ୍ ତାରକା ତଥା ଅଲିମ୍ପିକ୍ସ ସ୍ବର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରା ଭାରତୀୟ ସ୍ଥଳ ସେନାରେ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ପାହ୍ୟା ପାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର ନୀରଜଙ୍କୁ ଏକ ସ୍ବତନ୍ତ୍ର ଉତ୍ସବରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପାହ୍ୟା ପ୍ରଦାନ କରିଥିଲେ। ନୀରଜଙ୍କ ନିଯୁକ୍ତିଙ୍କୁ ଭାରତୀୟ ରାଜପତ୍ରରେ ଉଲ୍ଲେଖ କରାଯାଇଛି। ବିଶ୍ବ ଚମ୍ପିଆନ୍ ନୀରଜ ଏପ୍ରିଲ ୧୬ରୁ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ହୋଇଛନ୍ତି।
୨୦୧୬ରେ ଭାରତୀୟ ସ୍ଥଳ ସେନାରେ ନୀରଜ ନାଏବ୍ ସୁବେଦାର ଭାବେ ପ୍ରଥମେ ନିଯୁକ୍ତି ପାଇଥିଲେ। ହେଲେ କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ କୃତିତ୍ବ ଯୋଗୁଁ ୨୦୨୧ରେ ନୀରଜ ସୁବେଦାର ପାହ୍ୟାକୁ ପଦୋନ୍ନତି ପାଇଥିଲେ। ୨୦୨୨ରେ ନୀରଜ ସୁବେଦାର ମେଜର ପାହ୍ୟା ପାଇଥିଲେ। ୨୦୧୮ରେ ନୀରଜ ଚୋପ୍ରା ଅର୍ଜୁନ ପୁରସ୍କାର ପାଇଥିବା ବେଳେ ୨୦୨୧ରେ ଖେଳ ରତ୍ନ ଏବଂ ୨୦୨୨ରେ ପଦ୍ମଶ୍ରୀ ପାଇଥିଲେ। ପୁଣି ୨୦୨୨ରେ ନୀରଜଙ୍କୁ ଭାରତୀୟ ସେନା ‘ପରମ ବିଶିଷ୍ଟ ସେବା ମେଡାଲ’ ପ୍ରଦାନ କରିଥିଲା। ୨୦୨୧ ଟୋକିଓ ଅଲିମ୍ପିକ୍ସରେ ନୀରଜ ଜାଭେଲିନ୍ରେ ସ୍ବର୍ଣ୍ଣପଦକ ଜିତି ଇତିହାସ ରଚିଥିଲେ। ୨୦୨୪ ଅଲିମ୍ପିକ୍ସରେ ସେ ରୌପ୍ୟପଦକ ପାଇଥିଲେ। ଏହାସହ ୨୦୨୩ ବିଶ୍ବ ଚମ୍ପିଆନ୍ସିପ୍, ୨ଟି ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଡାଏମଣ୍ଡ ଲିଗ୍େର ମଧ୍ୟ ସ୍ବର୍ଣ୍ଣପଦକ ଜିତିଥିଲେ।



