ଚନ୍ଦ୍ରମାପାଟପୁରରେ ଅଭିଲେଖଯୁକ୍ତ ବୀରଶିଳା ଚିହ୍ନଟ

ଭୁବନେଶ୍ବର: ଯୁଦ୍ଧରେ ଉଲ୍ଲେଖନୀୟ ବୀରତ୍ୱ ପ୍ରଦର୍ଶନ କରିଥିବା ଅଥବା ଯୁଦ୍ଧ କରି ପ୍ରାଣବଳି ଦେଇଥିବା ମହାନ ବୀରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ମଧ୍ୟଯୁଗୀୟ ସମୟରେ ସ୍ଥାପନ କରାଯାଉଥିଲା ବୀରଶିଳା (ହିରୋଷ୍ଟୋନ)। ଭାରତର ବିଭିନ୍ନ ସ୍ଥାନରେ ଏପରି ହିରୋଷ୍ଟୋନ ସବୁ ଦେଖିବାକୁ ମିଳୁଥିବାବେଳେ ଓଡ଼ିଶାରେ ପ୍ରାୟ ଭୌମଶାସନ (୯ମ ଶତାବ୍ଦୀ)ଠାରୁ ଆରମ୍ଭ କରି ବ୍ରିଟିଶ ଶାସନ କାଳ (୧୯ଶ ଶତାବ୍ଦୀ) ପର୍ଯ୍ୟନ୍ତ ପ୍ରତିଷ୍ଠିତ ଅନେକ ହିରୋଷ୍ଟୋନ ଦେଖିବାକୁ ମିଳେ। ବୀରଶୀଳାରେ ସାଧାରଣତଃ କୌଣସି ଅସ୍ତ୍ରଶସ୍ତ୍ରଧାରୀ ବୀରଙ୍କୁ ଯୁଦ୍ଧ କରୁଥିବା ଭଙ୍ଗୀରେ ଅଥବା ନିଜର ଆରାଧ୍ୟ ଦେବତାଙ୍କୁ ପୂଜା କରୁଥିବା ଦୃଶ୍ୟରେ ଦେଖିବାକୁ ମିଳିଥାଏ। କେତେକ ହିରୋଷ୍ଟୋନ ଅଭିଲେଖଯୁକ୍ତ ହୋଇଥାନ୍ତି, ଏପରି କ୍ଷେତ୍ରରେ ବୀରଙ୍କ ସମ୍ପର୍କରେ ସମ୍ୟକ ପରିଚୟ ମିଳିପାରିଥାଏ। ନିକଟରେ ‘କଳିଙ୍ଗ ଏପିଗ୍ରାଫିକାଲ ରିସର୍ଚ୍ଚ ଗ୍ରୁପ’ ପକ୍ଷରୁ ଚାଲିଥିବା ଓଡ଼ିଶାର ପ୍ରାଚୀନ ଅଭିଲେଖ ସମ୍ପର୍କିତ ଅନୁସନ୍ଧାନ ସମୟରେ ଐତିହ୍ୟ ଗବେଷକ ଦୀପକ କୁମାର ନାୟକ ଓ ମିହିର ବାହିନୀପତିଙ୍କ ଦ୍ୱାରା ଏକ ଅଭିଲେଖଯୁକ୍ତ ବୀରଶିଳା ଚିହ୍ନଟ ହୋଇଛି। ଖୋର୍ଦ୍ଧା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚନ୍ଦ୍ରମାପାଟପୁର ଶାସନ ଗ୍ରାମରେ ରହିଛି ଏହି ପ୍ରାଚୀନ ଐତିହାସିକ କୀର୍ତ୍ତିରାଜି।

କେ.ଇ.ଆର.ଜି.ର ସଦସ୍ୟ ଦୀପକ କୁମାର ନାୟକ କହିଛନ୍ତି ଯେ, ଏହି ବୀରଶିଳାଟିକୁ ଆମକୁ ଚନ୍ଦ୍ରମାପାଟପୁର ଗ୍ରାମର ଭୈରବୀ ମନ୍ଦିର ନିକଟରେ ଅବହେଳିତ ଅବସ୍ଥାରେ ଥିବାର ଦେଖିବାକୁ ମିଳିଥିଲା। ଏହି ବୀରଶିଳାରେ ଅଙ୍କିତ ହୋଇଛି ଏକ ଗଜାରୋହୀ ବୀରଙ୍କ ଚିତ୍ର। ଏହି ବୀରଙ୍କ ଧନୁରୁ ପ୍ରେରିତ ତୀର ଏକ ଶତ୍ରୁ ସୈନ୍ୟଙ୍କୁ ବିଦ୍ଧ କରୁଛି, ମୂର୍ତ୍ତିଟିର ନିମ୍ନଭାଗରେ ରହିଛି କିଛି ଅଶ୍ୱାରୋହୀ ସୈନିକଙ୍କ ଯୁଦ୍ଧଯାତ୍ରାର ଛବି। ବୀରଶିଳାର ଉପରିଭାଗରେ ତିନି ଧାଡ଼ିର ଅଭିଲେଖ ଦେଖିବାକୁ ମିଳୁଛି। ଏହି ଅଭିଲେଖ ପ୍ରାୟ ୧୧ଶ/୧୨ଶ ଶତାବ୍ଦୀରେ କଳିଙ୍ଗୋତ୍କଳରେ ବ୍ୟବହୃତ ଓଡ୍ର ନାଗରୀ ଲିପି ଓ ସଂସ୍କୃତ ଭାଷାରେ ଖୋଦିତ ହୋଇଛି। ଅଭିଲେଖର କିଛି ଅଂଶ ଖରାବର୍ଷା ମାଡ ଓ ଚୂନ ପ୍ରଲେପ ଯୋଗୁଁ ନଷ୍ଟ ହୋଇଯାଇଥିଲେ ମଧ୍ୟ ଆମେ କେତେକ ଶବ୍ଦକୁ ପଢିବାକୁ ସମର୍ଥ ହୋଇଛୁ ବୋଲି ସେ କହିଛନ୍ତି।

କେ.ଇ.ଆର.ଜି.ର ସଦସ୍ୟ ମିହିର ବାହିନୀପତିଙ୍କ ମତରେ ନିରାକାରପୁର ଓ ଏହାର ଆଖପାଖ ଅଞ୍ଚଳ ଯଥା ମାଳିସାହି, ଗଡ଼ଖାରଦ, ତିପୁରୀ, ମୁଗପଦର ଆଦି ସ୍ଥାନମାନଙ୍କରେ ଏପରି ଅନେକ ବୀରଶିଳା ସବୁ ବିକ୍ଷିପ୍ତ ଭାବରେ ଦେଖିବାକୁ ମିଳନ୍ତି। ଏସବୁ କଳିଙ୍ଗନଗର ଗଙ୍ଗବଂଶର ରାଜା ଦେବେନ୍ଦ୍ର ବର୍ମା ରାଜରାଜ (ଚୋଡଗଙ୍ଗଦେବଙ୍କ ପିତା)ଙ୍କ ଉତ୍କଳ ଅଭିଯାନ ସମୟର ସାମରିକ ସଂଘର୍ଷର ପ୍ରତିଫଳନ ହୋଇପାରନ୍ତି। ପୁରୀ-ଖୋର୍ଦ୍ଧା ଜିଲ୍ଲା ସୀମାନ୍ତ ଅଞ୍ଚଳ ତଥା ଚିଲିକା ହ୍ରଦ ତଟବର୍ତ୍ତୀ ଗ୍ରାମମାନଙ୍କରୁ ମିଳୁଥିବା ଏସବୁ ପୁରାତନ ବୀରଶିଳା ସମୂହ ଓଡ଼ିଶାର ଗୌରବମୟ ସାମାରିକ ଐତିହ୍ୟର ମୁକସାକ୍ଷୀ। ସ୍ଥାନୀୟ ଅଞ୍ଚଳରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରି ଏସବୁ ବୀରଶିଳାଗୁଡିକ ଏକତ୍ର ରଖାଯାଇ ପାରିଲେ ଏହାର ଐତିହାସିକ ଗୁରୁତ୍ୱ ସାଧାରଣ ଲୋକ ହୃଦୟଙ୍ଗମ କରିପାରନ୍ତେ ବୋଲି ଗବେଷକ ଶ୍ରୀ ବାହିନୀପତି ମତବ୍ୟକ୍ତ କରିଛନ୍ତି।

Comments are closed.