ଆଉ ଦିନ କେଇଟା ପରେ ଶୀତର ଆସର ଭାରତର ପ୍ରମୁଖ ପ୍ରାନ୍ତରେ ଦେଖାଯିବ। ଶୀତ ପୂର୍ବରୁ ପ୍ରତ୍ୟେକ ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ଭଲ। ଏବେଠାରୁ ଦୈନିକ ପ୍ରାତଃଭ୍ରମଣ ସହ କିଛି ସମୟ ବ୍ୟାୟାମ କଲେ ଶରୀର ଫୂର୍ତ୍ତି ରହିବ। ଅନ୍ୟପାଖେ ଖାଦ୍ୟପାନୀୟରେ ମଧ୍ୟ ନିଜ ବିଶେଷଜ୍ଞଙ୍କ ପରାମର୍ଶ ନେଇପାରିବେ। ଦିଲ୍ଲୀର ନାମୀ ନ୍ୟୁଟ୍ରିସନିଷ୍ଟ ଅଲକା ଶାହଙ୍କ ମତରେ ଶୀତ ବଢ଼ିବା ପୂର୍ବରୁ କେତେକ ଲୋ-ଫ୍ୟାଟ୍ ଖାଦ୍ୟ ନିଜ ଭୋଜନରେ ସାମିଲ କରନ୍ତୁ।
– ଏଇ ଋତୁରେ ତ୍ବଚାକୁ ଓମେଗା ଥ୍ରୀ ଫ୍ୟାଟି ଏସିଡର ଖୋରାକ୍ ମିଳିବା ଆବଶ୍ୟକ। ମାଛ ସପ୍ତାହରେ ୨-୩ଥର ଖାଇବା ସହ ଫଳମୂଳ ମଧ୍ୟ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ।
– ଶୀତଦିନେ ଆଭାକାଡୋ ଫଳ ନିୟମିତ ଖାଇପାରିବେ। ଏଇ ବିଦେଶୀ ଫଳଟି ଆଜିକାଲି ଭାରତୀୟ ଫୁଡ୍ ବଜାରରେ ସହଜରେ ମିଳୁଛି। ଆଭାକାଡୋ ଖାଇଲେ ଶରୀରକୁ ପୋଟାସିୟମ୍ର ସ୍ରୋତ ମିଳିବା ସହ ତ୍ବଚା ଭାଙ୍ଗ ସମସ୍ୟା ଦୂର ହୋଇଥାଏ।
– ଅଳ୍ପ ପରିମାଣର ଶୁଦ୍ଧ ଦେଶୀ ଘିଅ ଭୋଜନରେ ମିଶାନ୍ତୁ। ଡାଲି ଛୁଙ୍କରେ ହେଉ କିମ୍ବା ଗରମ ଭାତ ଖାଇବା ସମୟରେ ଅଧ ଚାମଚ ଘିଅ ମିଶାଇ ଖାଅନ୍ତୁ। ଘିଅ ଖାଇଲେ ହଜମ କ୍ଷମତା ଭଲ ହେବା ସହ ଶୀତଦିନିଆ ତ୍ବଚା ଓ କେଶ ସମସ୍ୟାରୁ ମୁକ୍ତି ମିଳେ।
– ନଡ଼ିଆ ଚଟଣି କିମ୍ବା ନଡ଼ିଆ ଲଡ଼ୁ ମଧ୍ୟ ଏଇ ଦିନେ ଖାଇବା ଉଚିତ। ଭୋକ ହେଉନଥିଲେ କିମ୍ବା ବଦ୍ହଜମ ହେଉଥିଲେ, ନଡ଼ିଆ କୋରାର ପ୍ରୟୋଗ ବ୍ୟଞ୍ଜନରେ କରିପାରନ୍ତି। ଶୀତଋତୁରେ ଶରୀରକୁ ଏଇ ଫଳଟି ଆବଶ୍ୟକ ପରିମାଣର ପୋଷକତତ୍ତ୍ବ ଯୋଗାଇଥାଏ।
– ଦହି ଆମ ସୌନ୍ଦର୍ଯ୍ୟ ଚର୍ଚ୍ଚାରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ଶରୀରକୁ ମଧ୍ୟ ଉତ୍ତମ ଖୋରାକ୍ ଯୋଗାଥିବାର ବିଶେଷଜ୍ଞଙ୍କ ମତ। ଶୀତଦିନେ ଦହିକୁ ଦିନବେଳା ଖାଇପାରିବେ। ଥଣ୍ଡା, ସର୍ଦ୍ଦି ହେଉଥିଲେ, ଦହି ନ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ।


