www.samajalive.in
Thursday, December 11, 2025
27.1 C
Bhubaneswar

ସୁଖର ପରିଭାଷା

ସୁଖ ଥାଏ କେଉଁଠି ? ଆଶାରେ, ଅନୁଭବରେ ନା ସ୍ମୃତିରେ। କପିଳବାସ୍ତୁ ରାଜପ୍ରାସାଦର ରାଜକୀୟ ଥାଟବାଟରେ ନା ଶ୍ରମଣ ଜୀବନଚର୍ଯ୍ୟା ପାଳନ ପୂର୍ବକ ଭଗବାନ ବୁଦ୍ଧଙ୍କର ସାଧନାର ସିଦ୍ଧିରେ ? ଅଶୋକଙ୍କ କଳିଙ୍ଗ ଯୁଦ୍ଧର ବିଜୟୋଲ୍ଲାସରେ ନା ଅନୁତାପରେ ସନ୍ତାପିତ ଧର୍ମାଶୋକଙ୍କର ‘ସଙ୍ଘମ୍‌ ଶରଣମ୍ ଗଚ୍ଛାମି’ରେ? ଭରତଙ୍କୁ ଯୁବରାଜ ପଦରେ ଅଭିଷିକ୍ତ କରିବା ପାଇଁ କୈକେୟୀଙ୍କ ଦୁର୍ବାର ଅଭୀପ୍ସାରେ ନା ସତ୍ୟସନ୍ଧ ଶ୍ରୀରାମଚନ୍ଦ୍ରଙ୍କର ପିତୃସତ୍ୟ ପାଳନ ଜନିତ ବନବାସରେ? ମୋ ବଂଶ ନିବଂଶ ହେଉ ବୋଲି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ଜଗନ୍ନାଥଙ୍କ ପାଦପଦ୍ମରେ ଆକୁଳ ନିବେଦନରେ ନା ଆମ୍ଭମାନଙ୍କୁ ଧନ, ଜନ, ଗୋପ, ଲକ୍ଷ୍ମୀରେ ବିମଣ୍ଡିତ କରିବାକୁ ପ୍ରଭୁଙ୍କୁ ନିଉଛାଳି ହେବାରେ? ସୁଖ, ବ୍ରାହ୍ମ ମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରି ଜପ, ତପ, ଯୋଗ, ଧ୍ୟାନ, ଧାରଣାରେ ଥାଏ ନା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉଜାଗର ରହି ଗବେଷଣା ପ୍ରସୂତ ଉପଲବ୍ଧିରେ? ସୁଖ ଥାଏ ଭୋଗ ବିଳାସରେ ନା ତ୍ୟାଗ ତିତିକ୍ଷାରେ?
କିଛି ବର୍ଷ ତଳେ ଜଣେ ବିଖ୍ୟାତ ମନସ୍ତତ୍ତ୍ବବିତ୍‌ଙ୍କୁ ‘ସୁଖର ଅନୁସରଣ’ ଶୀର୍ଷକରେ ବକ୍ତୃତା ଦେବା ପାଇଁ ନିମନ୍ତ୍ରଣ କରିଥିଲୁ। କାର୍ଯ୍ୟବ୍ୟସ୍ତତା ଯୋଗୁଁ ସେ ପୂର୍ବାହ୍ଣରେ ନ ଆସିପାରି ମଧ୍ୟାହ୍ନଭୋଜନ ବିରତି ଉପରାନ୍ତେ ପହଞ୍ଚିଲେ। ସେ କହିଲେ ତୁମ ସମସ୍ତଙ୍କୁ ନିଦ ଲାଗୁଥିବ। ତେଣୁ ଆଲୋଚ୍ୟ ବିଷୟରେ ଆଲୋଚନା କରିବା ପୂର୍ବରୁ ମୁଁ ତମକୁ ଗୋଟେ ଚଳଚ୍ଚିତ୍ର ଦେଖାଉଛି। ସେ ଗ୍ୟାବ୍ରିଏଲ ମୁକିନୋଙ୍କ ନିର୍ଦେଶିତ ‘ଦି ପର୍ସୁଟ୍ ଅଫ୍‌ ହାପିନେସ’ ଚଳଚ୍ଚିତ୍ରର ସଂକ୍ଷିପ୍ତ ସଂସ୍କରଣ ଦେଖାଇଲେ। ପ୍ରାୟ ଦୁଇ ଘଣ୍ଟାର ଚଳଚ୍ଚିତ୍ରକୁ ସମ୍ପାଦନା କରି ମାତ୍ର ୪୦ ମିନିଟରେ ଦେଖେଇଲେ। ଚଳଚ୍ଚିତ୍ର ସରିଲା ପରେ ସମସ୍ତେ ଆନନ୍ଦରେ ଲୁହ ପୋଛୁଥିଲେ। ଉଚ୍ଛ୍ବସିତ କରତାଳିରେ ଫାଟି ପଡୁଥାଏ ପ୍ରଶିକ୍ଷଣ କେନ୍ଦ୍ର। ଜଣେ ଏକାକୀ ପିତା (ସିଙ୍ଗଲ ପ୍ୟାରେଣ୍ଟ) ନିଜ ପାଞ୍ଚ ବର୍ଷର ପୁଅକୁ ମଣିଷ କରିବାକୁ ପ୍ରତି ମୁହୂର୍ତ୍ତରେ କିପରି ସଂଘର୍ଷ କରିପାରନ୍ତି ଚଳଚ୍ଚିତ୍ରଟି ତାର ନିଚ୍ଛକ ପ୍ରତିଛବି। କ୍ରିସ୍ ଗାର୍ନରଙ୍କ ନିଜସ୍ୱ କାହାଣୀକୁ ସିନେମାରେ ପ୍ରାଣବନ୍ତ କରିଛନ୍ତି ପିତା ୱିଲ ସ୍ମିଥ ଓ ଚଳଚ୍ଚିତ୍ରରେ ପୁତ୍ର ଭୂମିକାରେ ଅଭିନୟ କରିଥିବା ତାଙ୍କ ନିଜ ପୁତ୍ର ଜାଡେନ।
ସିନେମାଟି ଦେଖେଇ ସାରି ସେ ଦୁଇଟି କଥା କହିଲେ ‘ଜୀବନରେ ଯେତେ ବି ବିଷମ ପରିସ୍ଥିତି ଆସୁନା କାହିଁକି କେବେ ବି ଆପଣମାନେ ସଂଘର୍ଷ ଛାଡ଼ିବେନି କି ବାଟ ଛାଡ଼ି ଅବାଟକୁ ଯିବେନି। ତା’ପରେ ସେ ପ୍ରତିଭାଗୀମାନଙ୍କୁ ଦୁଇଟି ଦଳରେ ବାଣ୍ଟି ଦେଲେ। କହିଲେ ନିଜ ଅଭିଜ୍ଞତା ଓ ଏଇ ଚଳଚ୍ଚିତ୍ର ଅବଲମ୍ବନରେ ଦୁଇ ଦଳ ସୁଖ ଓ ଦୁଃଖକୁ ବ୍ୟାଖ୍ୟା କରିବେ। ଗୋଟିଏ ଦଳ ନିତିଦିନିଆ ଘଟଣାରୁ ଦୈନଦିନ ଜୀବନରେ ମିଳୁଥିବା ଖୁସିକୁ ଓ ଅନ୍ୟ ଦଳ କ୍ଳେଶକୁ ପରିଭାଷିତ କରିବେ। ପ୍ରଥମ ଦଳ କହିଲେ ସରଳ ଜୀବନଯାପନ, ସକାରାତ୍ମକ ଭାବନା, ସମ୍ବେଦନଶୀଳ ମନୋଭାବ ଓ ଅନ୍ୟର ଦୋଷ ନ ଧରିବା ଗୁଣ ହିଁ ସୁଖର ମୂଳ କାରଣ। ଦ୍ବିତୀୟ ଦଳ କହିଲେ ରୋଗଶଯ୍ୟାରେ ପଡ଼ି ଯନ୍ତ୍ରଣାରେ ଘାଣ୍ଟି ହେବା, ନିଃସଙ୍ଗତାବୋଧ ଓ ଦୁଶ୍ଚିନ୍ତା ହିଁ ସବୁଠୁ ବଡ଼ ଦୁଃଖ।
ଦୁଇ ଦଳର ମତାମତର ନିଷ୍କର୍ଷ ହେଲା ପ୍ରତିଦିନ ବ୍ୟାୟାମ କରି ହାଲକାଫୁଲକା ରହିଲେ, ଭଲ ବହିଟିଏ ପଢ଼ିଲେ, ମନ ପସନ୍ଦର ଗୀତଟିଏ ଶୁଣିଲେ, ପିତାମାତା, ଅନ୍ତରଙ୍ଗ ବନ୍ଧୁ, ଆତ୍ମୀୟଙ୍କ ସହ ମନଖୋଲି ହସଖୁସିରେ ଦି’ପଦ କଥା ହୋଇଗଲେ ମନକୁ ଶାନ୍ତି ମିଳେ। ସହକର୍ମୀ, ଭାଇଭଉଣୀ, ପୁଅଝିଅ, ଯିଏ ବି କିଛି ଭଲ କାମ କଲେ ତାଙ୍କୁ ସାବାସୀ ଦେଲେ, ସେମାନେ ଉତ୍ସାହିତ ହୁଅନ୍ତି। ଘରକାମ ପାଇଁ ପତ୍ନୀଙ୍କୁ ପ୍ରଶଂସା କଲେ ଦେଖିବେ ତାଙ୍କ ମୁହଁରେ ଲାବଣ୍ୟ ଫୁଟି ଉଠିବ। ରାସ୍ତାରୁ କଣ୍ଟାଟି ଉଠେଇ ଡଷ୍ଟବିନରେ ଫୋପାଡ଼ି ଦେଲେ, ବସରେ, ରେଳଗାଡ଼ିରେ ନିଜେ ଛିଡ଼ା ହୋଇ ମହିଳା, ବୃଦ୍ଧବ୍ୟକ୍ତିଙ୍କୁ ନିଜ ଆସନଟି ଛାଡ଼ିଦେଲେ, ନିୟମିତ ରକ୍ତଦାନ କଲେ ଯେଉଁ ଆନନ୍ଦ ମିଳେ ତାହା ହିଁ ସୁଖ। ଅଭୀଷ୍ଟ ଲକ୍ଷ୍ୟ ପୂରଣ ପାଇଁ ନିରନ୍ତର ଯୁଝିବାରେ ଯେଉଁ ଜୀବନାନୁଭୂତି ମିଳେ ତାହା ବେଶ ଆନନ୍ଦଦାୟକ। ମନକୁ ସ୍ଥିର କଲେ ଏକାଗ୍ରତା ଆସେ। ଏକାଗ୍ରଚିତ୍ତ ହୋଇ ପରମାତ୍ମାଙ୍କ ଚିନ୍ତାରେ ଆତ୍ମନିବିଷ୍ଟ ହେଲେ ମନରେ ଶାନ୍ତି ଆସେ। ଶାନ୍ତି ହିଁ ସୁଖର କାରଣ।
ମନସ୍ତତ୍ତ୍ବବିତ୍‌ଙ୍କୁ ଧନ୍ୟବାଦ ଅର୍ପଣ କରି ପ୍ରଶିକ୍ଷଣ କେନ୍ଦ୍ରର ମୁଖ୍ୟ ତାଙ୍କ ବନ୍ଧୁଙ୍କ କଥା କହିଲେ। କହିଲେ, ମୋ ବନ୍ଧୁ ପ୍ରତିଦିନ ସକାଳେ ଅଦୃଶ୍ୟ ଝୁଲାମୁଣିଟିଏ ଧରି ଶ୍ରୀମନ୍ଦିର ଯାଆନ୍ତି। ସାଥିରେ ଲମ୍ବା ତାଲିକାଟିଏ ଥାଏ। ଜଗମୋହନରେ ଠିଆ ହୋଇ ପ୍ରଭୁଙ୍କୁ ଚାହିଁ କାନ୍ଦୁଥାଆନ୍ତି। ଦେଖିଲେ ଲାଗିବ ଆହା କି ଭକ୍ତି; କିନ୍ତୁ ଧାରଧାର ଅଶ୍ରୁ ଭିତରେ ଅଦୃଶ୍ୟ ଝୁଲାମୁଣିଟି ଭରିଦେବାକୁ ମହାପ୍ରଭୁଙ୍କୁ ବାରମ୍ବାର ଆକୁଳ ନିବେଦନ କରୁଥାନ୍ତି। ମୋ ବନ୍ଧୁ ଏପରି କରିବାରେ ଏକା ନୁହନ୍ତି। ସବୁ ଶ୍ରଦ୍ଧାଳୁ ଗୋଟିଏ ଲାଉର ମଞ୍ଜି। ଯେତେ ପାଇଲେ ବି ପ୍ରାପ୍ତିରେ ତୃପ୍ତି ନାହିଁ। ଜୀବନ ସରିଯାଏ, ସୁଖ ଅନ୍ୱେଷଣ ସରେନି।
ଦିନକର କଥା। ମହାପ୍ରଭୁ ଶ୍ରୀଜଗନ୍ନାଥ ନିଶାର୍ଦ୍ଧରେ ମାଆ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ଡାକି କହିଲେ ବହୁଦିନ ହେଲା ଗୋଟିଏ କଥା କହିବି କହିବି ହେଉଛି। ମାଆ ଲକ୍ଷ୍ମୀ କହିଲେ କେଉଁ କଥା କହିବେ କହୁନାହାନ୍ତି ମଣିମା। ପ୍ରଭୁ କହିଲେ, ସକାଳ ପହରୁ ମନ୍ଦିର ଖୋଲିଲା ବେଳଠାରୁ ଅନେକ ଶ୍ରଦ୍ଧାଳୁ ଆସୁଛନ୍ତି; କିନ୍ତୁ ନିଷ୍କାମ ଭକ୍ତି କାହିଁ କେଉଁଠି ଦେଖୁନି। ଭକ୍ତର ବାଟ ଚାହିଁ ପ୍ରତୀକ୍ଷାରେ ବସିଛି। କାଳେ କେତେବେଳେ ଜଣେ ଭକ୍ତ ଆସି ପହଞ୍ଚିଯିବେ। ମାଆ ହସିକରି କହିଲେ, ଆପଣ ତ ଗୀତାରେ କହିଛନ୍ତି ଚାରି ପ୍ରକାରର ବ୍ୟକ୍ତି ଆର୍ତ୍ତ, ଅର୍ଥାର୍ଥୀ, ଜିଜ୍ଞାସୁ, ଜ୍ଞାନୀ ଆପଣଙ୍କୁ ଭକ୍ତି କରନ୍ତି। ଭଜନ କରନ୍ତି। ଏବେ କେବଳ ଆର୍ତ୍ତ, ଅର୍ଥାର୍ଥୀ ହିଁ ଦର୍ଶନାର୍ଥୀ। ଆପଣ ତ ଭକ୍ତବତ୍ସଳ, କରୁଣା ସାଗର। ଆପଣଙ୍କ ଦୟା ହେଲେ ଅନନ୍ତ ସୁଖ ଅନ୍ୱେଷଣରେ ନିଷ୍କାମ ଭକ୍ତ ପୁଣି ନିଶ୍ଚୟ ଆସିବେ। ଚକାଡୋଳା ହସୁଥିଲେ।

ଗିରିଜା ଶଙ୍କର ମିଶ୍ର
ଦି ଲ୍ୟାଣ୍ଡମାର୍କ, ଫ୍ଲାଟ ୧୦୮, କୁହା, ସୁନ୍ଦରପଦା, ଜଟଣୀ ରାସ୍ତା
ଦୂରଭାଷ:୯୯୫୫୫୪୨୧୫୫

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories