ରୋଗରେ ପୀଡ଼ିତ ହତାଶ ମଣିଷଟିର ଆକୁଳ ନିବେଦନ, “ମୋତେ ଡାକ୍ତରଖାନା ନିଅନାହିଁ। ମୋତେ ମୋ ଘରେ ତମ ସମସ୍ତଙ୍କ ଗହଣରେ ମରିବାକୁ ଦିଅ।” ତାଙ୍କୁ ଘେରି ଠିଆ ହୋଇଥିବା ପୁଅ, ବୋହୂ, ନାତି, ନାତୁଣୀ ସମସ୍ତେ ସ୍ତବ୍ଧ ଓ ଚକିତ ହୋଇଗଲେ। ସମସ୍ତଙ୍କ ଆଖି ଲୁହ ଛଳଛଳ ହୋଇଗଲା। ବ୍ୟସ୍ତ ବିବ୍ରତ ହୋଇ ପୁଅ ପଚାରିଲା, ଏମିତି କଣ କହୁଛ ବାପା!ବେଦନାଭରା କଣ୍ଠରେ ବାପା କହିଲେ, “ଏ ଯେଉଁ ଉନ୍ନତ ବେସରକାରୀ ଡାକ୍ତରଖାନାକୁ ମୋତେ ନେଉଛୁ, ସେଠାରେ ମୋର ଚିକିତ୍ସା କେତେଦିନ ଚାଲିବ କିଏ କହିବ ! ଯଦି ବେଶିଦିନ ଚାଲିବ ତମେ ସମସ୍ତେ ସର୍ବସ୍ୱାନ୍ତ ହୋଇଯିବ। ଡାକ୍ତରଖାନାରେ ମରିଗଲେ, ତାଙ୍କର ସମସ୍ତ ପ୍ରାପ୍ୟ ଦେଇ ନପାରିଲେ ମୋ ମୁର୍ଦାରଟାକୁ ଶ୍ମଶାନକୁ ନେବା ପାଇଁ ଛାଡ଼ିବେ ନାହିଁ। ଡାକ୍ତରଖାନାରେ ଯେଉଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେବ, ତାକୁ ଦେବା ପାଇଁ ଆମର ସମ୍ବଳ କାହିଁ? ସରକାରଙ୍କ ତରଫରୁ କୌଣସି ଆର୍ଥିକ ସାହାଯ୍ୟ ମିଳିବାର ସମ୍ଭାବନା ତ ନାହିଁ। ମୁଁ ମରିଗଲେ ଋଣ ଶୁଝିବାରେ ଜୀବନ ସାରା ତମେ ଛଟପଟ ହେବ। ବଞ୍ଚିକରି ଫେରି ଆସିଲେ, ଜୀବନ ଥିବା ପର୍ଯ୍ୟନ୍ତ ତମମାନଙ୍କ ସହିତ ଋଣର ବୋଝ ମୁଣ୍ଡାଇ ମୁଁ ଯନ୍ତ୍ରଣାରେ ଡହଳବିକଳ କେବଳ ହେବି ନାହିଁ ମୋ ଅନ୍ତରାତ୍ମା ଚିତ୍କାର କରି ଉଠିବ। ସେ ଜୀବନ ଆଉ ଜୀବନ ହୋଇ ରହିବ ନାହିଁରେ, ତାହା ଜୀବନ୍ତ ମରଣ ହୋଇଯିବ।” ଏତିକି କହି ଆଖିରୁ ତାଙ୍କର ଦୁଇଧାର ତତଲା ଲୁହ ଝରିପଡ଼ିଲା।
ଏହା କୌଣସି ଗପ ନୁହେଁ। ଦୀର୍ଘଦିନ ଧରି ଚିକିତ୍ସିତ ହୋଇଥିବା ବହୁ ଲୋକଙ୍କ ଜୀବନର ପ୍ରତିଦିନର ଏ ହେଉଛି କରୁଣ କାହାଣୀ। ସବୁ ଦେଖି, ଶୁଣି ଆମେ ନିର୍ଲିପ୍ତ ଭାବରେ ସବୁ ସହି ଯାଉଛେ। ସତେ ଯେମିତି ଆମର ଏଥିରେ କିଛି କର୍ତ୍ତବ୍ୟ ନାହିଁ ! ଏ ସବୁ ଦେଖି ଶାସନ, ପ୍ରଶାସନ, ସମାଜ ସମସ୍ତେ ନୀରବ। ଏ ତ କେବଳ ସ୍ୱଚ୍ଛଳ ଅବସ୍ଥାରେ ଥିବା ମଧ୍ୟବିତ୍ତ ପରିବାରର ଅନେକ ବ୍ୟକ୍ତିଙ୍କର ଜୀବନର ଦୁଃଖଦ କାହାଣୀ। ସାଧାରଣ, ଦରିଦ୍ର ଓ ଅସହାୟ ଲୋକ ବିଭିନ୍ନ ଗୁରୁତର ରୋଗରେ ପୀଡ଼ିତ ହୋଇ ଚିକିତ୍ସା ନ ପାଇ ଗାଁ ଗହଳିରେ, ସହରର ଗଳିକନ୍ଦିରେ, ଘରକୋଣରେ ଶଢ଼ି ଶଢ଼ି ମରୁଛନ୍ତି। ବିଭିନ୍ନ ଦୁରାରୋଗ୍ୟର ଶିକାର ହୋଇ, ଚିକିତ୍ସା ଅଭାବରୁ ପଙ୍ଗୁ ଅକର୍ମଣ୍ୟ ହୋଇ ଯାଉଛନ୍ତି। ଗ୍ରାମର ସରପଞ୍ଚ, ବ୍ଲକ ଉନ୍ନୟନ ଅଧିକାରୀ, ଉପ ଜିଲାପାଳ, ଜିଲାପାଳ ଓ ସରକାରଙ୍କ ପାଖରେ ସେମାନେ ବିକଳ ଗୁହାରି କରୁଛନ୍ତି ତାଙ୍କ ଚିକିତ୍ସା ପାଇଁ। ଏ ଭଳି ଅନେକ ହୃଦୟ ବିଦାରକ ଘଟଣା ଆମ ଦୃଷ୍ଟିକୁ ଆସୁଛି। କିନ୍ତୁ କିଏ ଶୁଣୁଛି! ସତେ ଯେମିତି ସମସ୍ତେ ପଥର ପାଲଟି ଯାଇଛନ୍ତି। ବିଭିନ୍ନ ଗଣମାଧ୍ୟମରେ ସେମାନଙ୍କର ଚିକିତ୍ସା ପାଇଁ,ତାଙ୍କର ପଡ଼ୋଶୀ, ଗ୍ରାମବାସୀ, ତା’ର ଦରିଦ୍ର ବାପା, ଭାଇ, କାହାର ବିଧବା ମା, ସରକାର, ପ୍ରଶାସନିକ ଅଧିକାରୀ ଓ ସମାଜର ବଦାନ୍ୟ ବ୍ୟକ୍ତିମାନଙ୍କର ସାହାଯ୍ୟ ପାଇଁ ଆକୁଳ ପ୍ରାର୍ଥନା କରୁଛନ୍ତି। ଗଣମାଧ୍ୟମରେ ଏ ସଂପର୍କିତ କାର୍ଯ୍ୟକ୍ରମ ଦେଖି ମନ ଭାରାକ୍ରାନ୍ତ ହୋଇଯାଏ। ଏ ଭଳି କାର୍ଯ୍ୟକ୍ରମର ଉଦ୍ୟୋକ୍ତାଙ୍କୁ ଆମେ ସାଧୁବାଦ ଜଣାଉଛୁ; କାରଣ ସେମାନେ ଏହାକୁ ଲୋକଲୋଚନକୁ ଆଣିବା ସହ ସାହାଯ୍ୟ ସହାୟତା ବି ଯୋଗାଉଛନ୍ତି। ଦୁଃସ୍ଥ, ଆର୍ତ୍ତ, ବିକଳାଙ୍ଗ, ରୋଗଗ୍ରସ୍ତ ମଣିଷଙ୍କର ଆଶୀର୍ବାଦ ସେମାନଙ୍କୁ ନିଶ୍ଚୟ ମିଳିବ।
କରୋନାର ଭୟାବହ ଅବସ୍ଥା ଦେଖି ସମଗ୍ର ବିଶ୍ୱ ଆତଙ୍କିତ ହୋଇଗଲା। ପ୍ରଥମ ଲହର ବେଳେ ଏହାର ତ କୌଣସି ନିର୍ଦିଷ୍ଟ ଚିକିତ୍ସା ଜଣା ନଥିଲା। ଦୀର୍ଘଦିନ ଧରି ସମଗ୍ର ଦେଶରେ ତାଲାବନ୍ଦ କରାଗଲା। ସରକାର ଜାରି କରିଥିବା ବିଭିନ୍ନ କଟକଣା ଯଥା ତୁଣ୍ଡି ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା, ନିହାତି ଆବଶ୍ୟକ ନଥିଲେ ଘରୁ ବାହାରକୁ ନ ବାହାରିବା, ସଭା, ସମିତି, ଉତ୍ସବ ଓ ପୂଜାପାର୍ବଣରେ ନିଜକୁ ସାମିଲ୍ ନକରିବା ଇତ୍ୟାଦି ମାନିକରି ଚଳିବାକୁ ପଡ଼ିଲା। ଦେଶସାରା ପ୍ରତ୍ୟେକ ରାଜ୍ୟ ସ୍ଥାୟୀ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରିବା ସହିତ ଅନେକ ଅସ୍ଥାୟୀ ଡାକ୍ତରଖାନାମାନ ମଧ୍ୟ ଖୋଲିଲେ। ପ୍ରଥମ ଲହରର ସଂକ୍ରମଣ ଓ ଭୟବହତା କମିବାରୁ ଜନସାଧାରଣ ଆଶ୍ୱସ୍ତ ହେଲେ। ତା’ ପରେ ଆସିଲା କରୋନାର ଦ୍ୱିତୀୟ ଲହର। ଆମର ଦୁର୍ଭାଗ୍ୟକୁ ଏହା ଅତ୍ୟନ୍ତ ଭୟଙ୍କର ହୋଇ ଉଠିଲା। ସଂକ୍ରମଣ ଆତଙ୍କଜନକ ଭାବରେ ବଢ଼ି ଚାଲିଲା। ରାଜ୍ୟମାନେ ବନ୍ଦ କରିଦେଇଥିବା ତାଙ୍କର ଅସ୍ଥାୟୀ ଡାକ୍ତରଖାନାଗୁଡ଼ିକ ଖୋଲିବା ସହିତ ଶଯ୍ୟା ସଂଖ୍ୟା ମଧ୍ୟ ବଢ଼ାଇବାକୁ ଲାଗିଲେ। କରୋନା ଟିକା ବ୍ୟାପକ ଭାବରେ ଦେଶରେ ଦିଆଗଲା। ତଥାପି, ଅବସ୍ଥା ଏତେ ଅଣାୟତ୍ତ ହୋଇଗଲା ଯେ କରୋନା ଆକ୍ରାନ୍ତ ରୋଗୀର ପରିବାରର ଲୋକେ ଡାକ୍ତରଖାନାରେ ଶଯ୍ୟାଟିଏ ପାଇଁ ସରକାର, ପ୍ରଶାସନିକ ଅଧିକାରୀ, ବିଶିଷ୍ଟ ଲୋକମାନଙ୍କ ପାଖରେ ଆକୁଳ ନିବେଦନ କଲେ। ଓଡ଼ିଶା, ଆନ୍ଧ୍ର ଓ ଏପରିକି ଦିଲ୍ଲୀର ଡାକ୍ତରଖାନାରେ ଶଯ୍ୟାଟିଏ ପାଇଁ ମୋତେ ମଧ୍ୟ ଅନେକ ବ୍ୟକ୍ତି ଅନୁରୋଧ କଲେ ଓ ମୁଁ ସେମାନଙ୍କୁ ଯଥାସାଧ୍ୟ ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲି। ରୋଗୀ ସଂଖ୍ୟା ଏତେ ବଢ଼ିଗଲା ଯେ ଦେଶର ପ୍ରାୟ ଅଧିକାଂଶ ରାଜ୍ୟରେ ଆଇସିୟୁ, ଅମ୍ଳଜାନ, ଭେଣ୍ଟିଲେଟର ଯୋଗାଇବା କଷ୍ଟସାଧ୍ୟ ହୋଇପଡ଼ିଲା। ବହୁ ଲୋକଙ୍କର ଅକାଳରେ ଜୀବନ ଚାଲିଗଲା। ଅନେକ ଅତି ସାଂଘାତିକ ରୋଗୀଙ୍କର ଇକ୍ମୋ ଚିକିତ୍ସାର ଆବଶ୍ୟକତା ପଡ଼ିଲା। ଏ ବ୍ୟବସ୍ଥା କେବଳ ଦେଶର କେତେକ ଉନ୍ନତ ଡାକ୍ତରଖାନାରେ ଉପଲବ୍ଧ ହେଉଥିଲା। ଏ ଭଳି କେତେଜଣ ରୋଗୀଙ୍କୁ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ବିମାନରେ ନିଆଗଲା। ଏଥିପାଇଁ କୋଟିଏରୁ ଅଧିକ ଟଙ୍କା ଚିକିତ୍ସା ପାଇଁ ଲାଗୁଥିବା କୁହାଗଲା। ଆମର କେତେ ବ୍ୟକ୍ତି ଏ ଭଳି ଚିକିତ୍ସା କରିପାରିବେ! ପରିବାର ଲୋକଙ୍କର ଆର୍ଥିକ ସାହାଯ୍ୟ ପାଇଁ ବୁକୁଫଟା ଆକୁଳ ନିବେଦନ ସେତେବେଳେ ଆମ ସମସ୍ତଙ୍କୁ ଚିନ୍ତିତ ଓ ବିବ୍ରତ କରି ପକାଇଲା। ଓଡ଼ିଶାରେ ଏ ବ୍ୟବସ୍ଥା ନଥିବାରୁ ଲୋକେ ଅତି ମାତ୍ରାରେ ଆତଙ୍କିତ ହୋଇପଡ଼ିଲେ। ବଡ଼ ଆଶ୍ୱାସନାର କଥା ଯେ ଏବେ କଟକ ବଡ଼ ଡାକ୍ତରଖାନାରେ ୯ଟି ଇକ୍ମୋ ମେସିନ ବସାଗଲା ଯେଉଁଠି ସାଧାରଣ ରୋଗୀ ଅନ୍ତତଃ ମାଗଣାରେ ଚିକିତ୍ସା ପାଇବେ। ରାଜ୍ୟ ସରକାରଙ୍କର ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଇକମୋ ମେସିନ ସହିତ ଏଥିପାଇଁ ଆବଶ୍ୟକ ବିଶେଷଜ୍ଞ ଡାକ୍ତର ଓ ପ୍ରଶିକ୍ଷିତ ସ୍ୱାସ୍ଥ୍ୟ ସହାୟକମାନେ ତୁରନ୍ତ ନିଯୁକ୍ତି ପାଇବା ଦରକାର। ଠିକ୍ ସେହିଭଳି କେନ୍ଦ୍ର ସରକାରଙ୍କ ତରଫରୁ ଭୁବେନଶ୍ୱରର ଏମ୍ସରେ ମଧ୍ୟ ଇକ୍ମୋ ମେସିନ ସ୍ଥାପନ କରାଯାଇଛି। ଆମର ବିଶ୍ୱାସ ଏହା ଦ୍ୱାରା ଅନେକ ଜୀବନ ରକ୍ଷା କରାଯାଇ ପାରିବ। ଏ ପର୍ଯ୍ୟନ୍ତ ଆମକୁ ଜଣାନାହିଁ କରୋନାର ତୃତୀୟ ଲହର କି ରୂପରେ ଆସିବ। ସେଥିପାଇଁ ସମଗ୍ର ଦେଶରେ ଏହାର ମୁକାବିଲା କରିବା ପାଇଁ ପ୍ରସ୍ତୁତି ଚାଲିଛି। କରୋନା ଭଳି ଏ ଭୟାବହ ମହାମାରୀ ଏବେ ଆସିଛି, ସମୟକ୍ରମେ ସେ ତ ଚାଲିଯିବ। କିନ୍ତୁ ଅନ୍ୟସବୁ ରୋଗପାଇଁ ଡାକ୍ତରଖାନାଗୁଡ଼ିକରେ ଆବଶ୍ୟକ ଡାକ୍ତର ଓ ଔଷଧ ଉପଲବ୍ଧ ହେବା ଓ ଲୋକେ ଉପଯୁକ୍ତ ଚିକିତ୍ସା ପାଇବା ବର୍ତ୍ତମାନ ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି।
କରୋନା ଆମ ସମାଜର, ସାଧାରଣ ମଣିଷର ସୁଖ, ଶାନ୍ତି କେବଳ ଲୁଣ୍ଠନ କରିନାହିଁ, ଆମକୁ ବହୁତ ଶିକ୍ଷା ମଧ୍ୟ ଦେଇଛି। ଜନତାର ସେବା, ବିଶେଷ ଭାବରେ ରୁଗ୍ଣ ସମାଜର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାର, ପ୍ରଶାସକ ଓ ନିଜ ଦେଶକୁ ଭଲ ପାଉଥିବା ସବୁ ବ୍ୟକ୍ତିଙ୍କର ଆଖି ଖୋଲିଦେଇଛି। ସାଧାରଣ ମଣିଷର ସ୍ୱାସ୍ଥ୍ୟସେବା ପାଇଁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ବିଭିନ୍ନ ଯୋଜନା କରିଛନ୍ତି। ତଥାପି ତାହା ପର୍ଯ୍ୟାପ୍ତ ନୁହେଁ। ଆମ ସମସ୍ତଙ୍କର ଲକ୍ଷ୍ୟ ହେଉ ଏ ରୋଗାକ୍ରାନ୍ତ ମଣିଷକୁ ଉପଯୁକ୍ତ ଚିକିତ୍ସାର ସୁବିଧା ଦେଇ ସେ ଓ ତା’ ପରିବାରକୁ ରକ୍ଷା କରିବା। ଦେଶର ପ୍ରାୟ ସବୁ ରାଜ୍ୟ ଭଳି ଓଡ଼ିଶାରେ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରିଛନ୍ତି। ଦେଶରେ ଓଡ଼ିଶା ସମେତ ତିନିଟି ରାଜ୍ୟ ଛଡ଼ା ଅନ୍ୟ ସବୁ ରାଜ୍ୟ ତାଙ୍କ ନିଜ ରାଜ୍ୟର ସ୍ୱାସ୍ଥ୍ୟସେବା ପାଇଁ କରିଥିବା ସ୍ୱତନ୍ତ୍ର ଯୋଜନା ସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ଆୟୁଷ୍ମାନ ଯୋଜନାକୁ ପ୍ରଚଳିତ କରିଛନ୍ତି। ଏହାଦ୍ୱାରା ବହୁ ଗରିବ, ଅସହାୟ, ଅବହେଳିତ ଓ ଦୁରାରୋଗ୍ୟ ବ୍ୟାଧିରେ ଆକ୍ରାନ୍ତ ସାଧାରଣ ମଣିଷ ଉପକୃତ ହେଉଛନ୍ତି। ଦୁଃସ୍ଥ ରୋଗାକ୍ରାନ୍ତ ମଣିଷର ସେବା ଯେତେବେଳେ ଆମ ସମସ୍ତଙ୍କର ଲକ୍ଷ୍ୟ, ଆମ ମତରେ ଓଡ଼ିଶା ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହିତ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ପ୍ରଚଳନ କରନ୍ତୁ। ଗରିବ ଜନସାଧାରଣ, ରୋଗାକ୍ରାନ୍ତ ବ୍ୟକ୍ତି ଏହା ଫଳରେ ବହୁ ମାତ୍ରାରେ ଉପକୃତ ହେବେ ଓ ନୂତନ ଜୀବନ ପାଇବେ।
ଚିକିତ୍ସକଙ୍କୁ ଦେବଦୂତ କୁହାଯାଏ। ରୋଗ ଯନ୍ତ୍ରଣାରେ ଆର୍ତ୍ତନାଦ କରୁଥିବା, ମୃତ୍ୟୁକୁ ଆଖି ଆଗରେ ଦେଖି ଭୟରେ ଶିହରି ଉଠୁଥିବା ବ୍ୟକ୍ତିଟିର ଚିକିତ୍ସା କରି ତାକୁ ନୂତନ ଜୀବନ ଦାନ କରୁଛନ୍ତି ସେମାନେ। ଉନ୍ନତ ଧରଣର ବା ଅତ୍ୟାଧୁନିକ ଚିକିତ୍ସାଳୟ ପ୍ରତିଷ୍ଠା କରି ଯେଉଁ କେତେକ ହୃଦୟବାନ ବ୍ୟକ୍ତି ଅସଂଖ୍ୟ ମୃତକଳ୍ପ ମଣିଷର ପ୍ରାଣରେ ନୂତନ ଜୀବନ ସଞ୍ଚାର କରୁଛନ୍ତି ଓ ସେମାନଙ୍କ ପ୍ରତି ସହାନୁଭୂତିଶୀଳ ହେଉଛନ୍ତି, ସେମାନେ ମଧ୍ୟ ଅଭିନନ୍ଦନୀୟ। ସରକାରୀ ଡାକ୍ତରଖାନାଗୁଡ଼ିକରେ ଡାକ୍ତର ଓ ତାଙ୍କର ସହାୟକଗଣ, ଯେଉଁମାନେ ଜୀବନକୁ ବାଜି ଲଗାଇ ରୋଗଗ୍ରସ୍ତ ମଣିଷର ଚିକିତ୍ସା ଓ ସେବା କରୁଛନ୍ତି, ସେମାନେ ମଧ୍ୟ ବହୁ ପ୍ରଶଂସାର ପାତ୍ର। ଆମର ପରାମର୍ଶ ଓ ନିବେଦନ, ସରକାର, ପ୍ରଶାସକ, ହୃଦୟବାନ ବେସରକାରୀ ଡାକ୍ତରଖାନାର ପ୍ରତିଷ୍ଠାତା, ଚିକିତ୍ସକ ସମାଜ, ବଦାନ୍ୟ ବ୍ୟକ୍ତିମାନେ, ଦୁଃଖ ଦୁର୍ଦଶାଗ୍ରସ୍ତ ଜନସମାଜକୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ତାଙ୍କର ମାନବୀୟ କର୍ତ୍ତବ୍ୟ ସଂପାଦନ କରନ୍ତୁ ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ।
ସ୍ୱାସ୍ଥ୍ୟସେବା ହେଉଛି ମଣିଷ ଜୀବନର ଶ୍ରେଷ୍ଠ ସେବା। ସୁସ୍ଥ ଜୀବନ ଧରି ପ୍ରତ୍ୟେକ ମଣିଷର ବଞ୍ଚିବାର ଅଧିକାର ରହିଛି। ଏହା ସେମାନଙ୍କର ମାନବିକ ଓ ସାମ୍ବିଧାନିକ ଅଧିକାର। ଏ ଅଧିକାରକୁ ସୁରକ୍ଷା ଓ ସମ୍ମାନ ଦେବା ହେଉଛି ପ୍ରତ୍ୟେକ ସରକାରର ସବୁଠାରୁ ବଡ଼ ଦାୟିତ୍ୱ ଓ କର୍ତ୍ତବ୍ୟ। ଯେଉଁ ସରକାର ସ୍ୱାସ୍ଥ୍ୟସେବାକୁ ଯେତେ ଉନ୍ନତ, ବ୍ୟାପକ, ପ୍ରଗତିଶୀଳ ଓ ଜନକଲ୍ୟାଣକାରୀ କରିପାରିବେ, ସେ ସେହିଭଳି ଭାବେ ପାଇବେ ଜନସମାଜର ଶ୍ରଦ୍ଧା ଓ ସମ୍ମାନ।
ବିଶ୍ୱଭୂଷଣ ହରିଚନ୍ଦନ
ରାଜ୍ୟପାଳ, ଆନ୍ଧ୍ର ପ୍ରଦେଶ
ବିଜୟୱାଡା – ୫୨୦୦୦୨

