www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରଦୀପ ବିରୋଧୀ ଗୋଷ୍ଠୀ ବବିଙ୍କ ଶରଣରେ….

ଗୋପାଳପୁର : ଗୋପାଳପୁରର ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଜନବିରୋଧୀ କାର୍ଯ୍ୟ ଯୋଗୁଁ ବିଜେଡି ଦଳ ପକ୍ଷରୁ ବହିଷ୍କୃତ କରାଯିବା ସହ ଚାକିରି ଦେବା ନାମରେ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗରେ କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟ ଚାଲାଣ ପରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଏକ ପ୍ରକାର ନେତା ବିହୀନ ହୋଇପଡିଛି। ଏହାର ଫାଇଦା ନେଇ ଏବେ ଏଠାରେ ବିଜେଡିର ମଙ୍ଗ ଧରିବାକୁ ରଙ୍ଗେଇ ମୁଣ୍ଡା ବ୍ଲକ ଅଞ୍ଚଳ ସମେତ ବ୍ରହ୍ମପୁର ର ବହୁ ଆଗଧାଡିର ନେତା ନିଜକୁ ଗୋପାଳପୁରର ନେତା ଭାବେ ଚିତ୍ରଣ କରି ନିଜ ନିଜର ଦବଦବା ଦେଖାଇବାରେ ବ୍ୟସ୍ତ ରହିଥିବା ଦେଖିବାକୁ ମିଳିଛି। ଏହା ସହ ବିଧାୟକ ଡ଼. ପାଣିଗ୍ରାହୀଙ୍କ ପକ୍ଷରୁ ନବବର୍ଷର ଶୁଭେଚ୍ଛା ବାର୍ତ୍ତା ଥାଇ ଏକ ବ୍ୟାନର ବ୍ଲକ କାର୍ଯ୍ୟାଳୟ ପରିସରରେ ଟଙ୍ଗା ଯିବା ଘଟଣା ପରେ ଏଠାରେ ବିଧାୟକ ସପକ୍ଷ ଓ ବିରୋଧୀ ଗୋଷ୍ଠୀ ସକ୍ରିୟ ରହିଥିବା ଆଲୋଚନା ଜୋର ଧରିଥିଲା। କିନ୍ତୁ ଏହି ଘଟଣା ପରେ ବ୍ଲକ ପରିସରରେ ବ୍ଲକ ଉପାଧ୍ୟକ୍ଷ ଅଜିତ ଦାସଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଗୋପାଳପୁର  ବିଜେଡି ରେ ଦୁଇଗୋଷ୍ଠୀ ନଥିବା ସୂଚନା ଦେବା ସହ ଏଠାରେ ଗୋଟିଏ ଗୋଷ୍ଠୀ ହିଁ ସକ୍ରିୟ ରହିଥିବା ତାହାହେଲା ବିଧାୟକ ବିରୋଧୀ ଗୋଷ୍ଠୀ ବୋଲି ସଫେଇ ଦେଇଥିଲେ। ଏହା ସହ ବ୍ଲକ କାର୍ଯ୍ୟାଳୟ ପରିସରରେ ଟଙ୍ଗା ଯାଇଥବା ବ୍ୟାନରକୁ ବିରୋଧୀ ଦଳ ପକ୍ଷରୁ ଟଙ୍ଗା ଯାଇ ଦଳରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା ଚଳାଉଥିବା ନେଇ ମତ ରଖିଥିଲେ। ସେମାନଙ୍କ ନେତା ନବୀନ ପଟ୍ଟନାୟକ ରହିଥିବା ବେଳେ ଗୋପାଳପୁରର ସମସ୍ତ ଦାୟିତ୍ବ ସେ ନିଜେ ବୁଝୁଛନ୍ତି ବୋଲି ପ୍ରକାଶ କରିଥିଲେ। ଅନ୍ୟ ପଟେ ବ୍ରହ୍ମପୁରର ଜଣେ ଆଗଧାଡିର ବିଜେଡି ମହିଳା ମୋର୍ଚ୍ଚାର ନେତ୍ରୀ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ୧୧ ପଞ୍ଚାୟତର ସମିତି ସଭ୍ୟମାନଙ୍କୁ ସାଥିରେ ନେଇ ଗତ ୩୦ ତାରିଖରେ ଯାଜପୁର ବିଧାୟକ ତଥା ବିଜେଡି ଅର୍ଗାନାଇଜିଗଂ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି ଦାସ)ଙ୍କ ସହ ସାକ୍ଷାତ କରି ନବବର୍ଷର ଶୁଭେଚ୍ଛା ଦେବା ସହ ତାଙ୍କ ନିକଟରେ ସମିତି ସଭ୍ୟଙ୍କ ସମର୍ଥନ ରହିଥିବା ନେଇ ପରିପ୍ରକାଶ କରିଥିଲେ। କିନ୍ତୁ ଏହି ଘଟଣାପରେ ରଙ୍ଗେଇଲୁଣ୍ଡା ବ୍ଲକରେ ରହିଥିବା ବିଧାୟକ ବିରୋଧୀ ଗୋଷ୍ଠୀ ଏହାକୁ ସହଜରେ ହଜମ କରିପାରି ନ ଥିଲେ। ଏହି ଘଟଣାକୁ କାଉଣ୍ଟର ଦେବା ଏବଂ ଗୋପାଳପୁରର ବିଜେଡି କର୍ମୀଙ୍କ ନିକଟରେ ସେମାନଙ୍କ ଦବଦବା ଦେଖାଇବା ପାଇଁ ଆଜି ବ୍ଲକ ଉପାଧ୍ୟକ୍ଷ ଅଜିତ ଦାସ, ବ୍ଲକ ଅଧ୍ୟକ୍ଷ ଚିନି ଉଷାରାଣୀ,ଦୁଇ ଜିଲ୍ଲା ପରିଷଦ ସଭ୍ୟ ଶଶୀଭୂଷଣ ମହାନ୍ତି ଓ ମଞ୍ଜୁଶ୍ରୀ ଦଳାଇଙ୍କ ନେତୃତ୍ବରେ ପ୍ରାୟ ୧୪୦ କର୍ମୀ, ସରପଞ୍ଚ ଓ ସମିତି ସଭ୍ୟଙ୍କୁ ନେଇ ଭୁବନେଶ୍ଵରରେ ପହଞ୍ଚି ବିଧାୟକ ବବି ଦାସଙ୍କ ସହ ସାକ୍ଷାତ କରି ନବବର୍ଷର ଶୁଭେଚ୍ଛା ଦେବା ସହ ଗୋପାଳପୁରରେ ନିଜର ଦବଦବା ରହିଥିବା ପରିପ୍ରକାଶ କରିଥିବା ଜଣାପଡିଛି। ଆଜି ଏହି ଭେଟଘାଟ ସମୟରେ ବବି ଦାସଙ୍କ ପକ୍ଷରୁ ଗୋପାଳପୁରରେ ବିଜେଡିର ଏକ କାର୍ଯ୍ୟାଳୟ ସ୍ଥାପନ ନିମନ୍ତେ କହିଥିବା ସହ ଏନଏସି, ପଞ୍ଚାୟତ ଓ ବ୍ଲକ ସ୍ତରରେ କମିଟି ଗଠନ କାର୍ଯ୍ୟ ସମାପନ କରିବାକୁ କହିଥିବା ସହ ଗୋପାଳପୁରର ନେତା ଓ କର୍ମୀ ମାନେ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ମାଧ୍ୟମରେ ସମସ୍ତ କାର୍ଯ୍ୟ କରିବାକୁ କହିଥିବା ସହ ଆଗାମୀ ଦିନରେ ‌ପ୍ରତି ୩/୪ ଦିନରେ ଥରେ ଗୋପାଳପୁରର ବିଜେଡି କର୍ମୀଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କଥାବାର୍ତ୍ତା ହେବେ ବୋଲି କହିଥିବା ସହ ଯେଉଁ ମୁହୂର୍ତ୍ତରେ ଯାହାର ମଧ୍ୟ କିଛି ଅସୁବିଧା ହୁଏ ତାହା ହେଲେ ତାଙ୍କ ସହ ସିଧାସଳଖ ଯୋଗାଯୋଗ କରିବାକୁ କହିଛନ୍ତି। ଏହା ସହ ବବି ଦାସ ଅଛି ଯାଇଥିବା ସମସ୍ତ ନେତା ଓ କର୍ମୀମାନଙ୍କୁ ମୋବାଇଲ କଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ କଥା ହୋଇଥିବା ମଧ୍ୟ ନେତାମାନେ ପରିପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟର ସମସ୍ତ ଏନଏସି, ବ୍ଲକରେ ନୂତନ ଅଧ୍ୟକ୍ଷ ନାମ ଘୋଷଣା ହୋଇସାରିଥିବା ବେଳେ ନୂତନ କମିଟି ଗଠନ କାର୍ଯ୍ୟ ସରିଥିଲେ ସୁଦ୍ଧା ଆଜି ଯାଏଁ ରଙ୍ଗେଇଲୁଣ୍ଡା କିମ୍ବା ଗୋପାଳପୁର ଏନଏସି କିମ୍ବା ପଞ୍ଚାୟତ ସ୍ତରୀୟ ସଭାପତିଙ୍କ ନାମ ଘୋଷଣା ହୋଇପାରିନଥିବା ବେଳେ ନୂତନ କମିଟି ମଧ୍ୟ ଗଠନ ହୋଇପାରିନାହିଁ। ଏଣୁ ଆଗାମୀ ଦିନରେ ଏଠାରେ ବିଜେଡିର କ’ଣ କାର୍ଯ୍ୟପନ୍ଥା ରହିବ କିଏ ଏଠାରେ ନେତୃତ୍ବ ନେବ ତାହା ବିଜେଡି ଦଳ ସ୍ଥିର କରିବା ବେଳେ ଯଦି ସ୍ଥାନୀୟ ଅଞ୍ଚଳର କୌଣସି ଲୋକଙ୍କୁ ଗୋପାଳପୁରର ନେତା ଭାବେ ଦଳ ଚୟନ ନକଲେ ଏଠାରେ ଦଳ ପାଇଁ ବୁମେରାଂ ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା ରହିଥିବା ଆଲୋଚନା ଜୋର ଧରିଛି ‌।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories