www.samajalive.in
Saturday, December 6, 2025
26.1 C
Bhubaneswar

ବଡ଼ଧରଣର ସୁନା ଚୋରି ପର୍ଦାଫାଶ : ୬.୫ କିଲୋ ସୁନା ଓ ୪.୪୪ ଲକ୍ଷ ଟଙ୍କା ଜବତ,  ମାଷ୍ଟରମାଇଣ୍ଡ ସହ ୧୫ ଗିରଫ

ଛତ୍ରପୁର : ମାସକ ତଳେ ଘଟିଥିବା ଏକ ବଡ ଧରଣର ସୁନା ଚୋରିର ପର୍ଦାଫାଶ କରିଛି ଗଞ୍ଜାମ ପୁଲିସ। ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ଜଣେ ସୁନା ଦୋକାନୀଙ୍କ ଘରେ ଡକାୟତମାନେ କଳାକନା ବୁଲାଇ ଦେଇଥିଲେ। କିଲୋ କିଲୋ ଓଜନର ସୁନାଗହଣା ଏବଂ ଲକ୍ଷ ଲକ୍ଷ ଟଙ୍କା ଚୋରି କରି ଦୁର୍ବୃତ୍ତମାନେ ମାସାଧିକ କାଳ ପୁଲିସକୁ ଚକମା ଦେଇଥିଲେ। ଡକାୟତ ଦଳକୁ ଧରିବାକୁ ପୁଲିସ ଅଭିଯାନ ଚଳାଇ ଶେଷରେ ସଫଳ ହୋଇଛି। ଚୋରି ସୁନାଗହଣା ମଧ୍ୟରୁ ସାଢେ ୬ କିଲୋ ସୁନା ଓ ପ୍ରାୟ ସାଢେ ୪ଲକ୍ଷ ନଗଦ ଜବତ ହୋଇଛି। ଏହି ଘଟଣାରେ ସଂପୃକ୍ତ ଅଭିଯୋଗରେ ପୁଲିସ ମାଷ୍ଟରମାଇଣ୍ଡ ସମେତ ୧୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୬ କି.ଗ୍ରା ୫୦୧ ଗ୍ରାମ ସୁନା ଅଳଙ୍କାର, ନଗଦ ୪ ଲକ୍ଷ ୪୪ ହଜାର ୫୦୦ ଟଙ୍କା, ଗୋଟିଏ ମୋବାଇଲ ଫୋନ, ଚୋରିରେ ବ୍ୟବହୃତ ବିଭିନ୍ନ ସରଞ୍ଜାମ, ଗୋଟିଏ ଏସି ଷ୍ଟାବିଲାଇଜର, ସିସିଟିଭିର ଡିଭିଆର ଆଦି ଜବତ କରାଯାଇଥିବା ଆଜି ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି।

ଗତ ମାସ ୧୨ ତାରିଖ ବିଳମ୍ବିତ ରାତିରେ ପୁରୁଷୋତ୍ତମପୁର ସହର ଚାଙ୍ଗୁଡିପଦର ସାହିର ସୁନା ବ୍ୟବାସୟୀ ସୁରେନ୍ଦ୍ର କୁମାର ନାୟକଙ୍କ ଘରୁ ବିପୁଳ ପରିମାଣର ସୁନା ଗହଣା ଚୋରି ହୋଇଥିଲା। ୧୩ ତାରିଖରେ ସ୍ଥାନୀୟ ପୁଲିସ ଥାନାରେ ସୁରେନ୍ଦ୍ର ଏତଲା ଦେଇଥିଲେ। ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ନିର୍ଦେଶ କ୍ରମେ ଅରିରିକ୍ତ ଏସପିଙ୍କ ନେତୃତ୍ୱରେ ପୁରୁଷୋତ୍ତମପୁର ଏସଡିପିଓ ଓ ଥାନା ଅଧିକାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇ ଏହାର ତଦନ୍ତ ଜାରି ରହିଥିଲା। ଚୋରି ମାମଲାରେ ସମ୍ପୃକ୍ତ ୧୦ ଜଣ ଓ ଚୋରି ହୋଇଥିବା ସୁନା କିଣିଥିବା ଅଭିଯୋଗରେ ଆଉ ୫ ଜଣ ଏପରି ମୋଟ ୧୫ ଜଣଙ୍କୁ ପୁଲିସ ଗିରଫ କରିଛି। ପୁଲିସ ଟିମ ବିଭିନ୍ନ ସ୍ଥାନରେ ଚଢଉ କରି ଭିନ୍ନ ଭିନ୍ନ ସ୍ଥାନରୁ ଦୁର୍ବୃତ୍ତଙ୍କୁ ଧରିବାରେ ସଫଳ ହୋଇଛି।

- Advertisement -

ଚୋରି ଘଟଣାର ମାଷ୍ଟର ମାଇଣ୍ଡ ଥିଲେ ପୁରୁଷୋତ୍ତମପୁରର କାଳିଆ ଓରଫ ଘନଶ୍ୟାମ ବେହେରା। ମାଷ୍ଟର ପ୍ଲାନ୍‍ର ଭାବେ ସୁନା ବ୍ୟବସାୟୀଙ୍କ ଗୁମାସ୍ତା ଅମିତ ବେହେରା ବୋଲି ଗଂଜାମ ଏସପି କହିଛନ୍ତି। ଘନଶ୍ୟାମ ମାଷ୍ଟର ମାଇଣ୍ଡ କାଳିଆକୁ ସୁନା ବିଷୟରେ ସୂଚନା ପ୍ରଦାନ କରୁଥିଲେ। ପୂର୍ବରୁ ଏହି ଦୋକାନରୁ ଚୋରି କରିବାକୁ ଏମାନେ ୬ଥର ଉଦ୍ୟମ କରି ବିଫଳ ହେଉଥିଲେ। କିନ୍ତୁ ଘଟଣା ଦିନ ପ୍ରବଳ ବର୍ଷାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ଚୋରି କରିବାରେ ସଫଳ ହୋଇଥିଲେ। ଘରେ ଲାଗିଥିବା ସିସିଟିଭିକୁ ଭାଙ୍ଗି ଦେଇଥିଲେ। ଚୋରି ଘଟଣାରେ ସମ୍ପୃକ୍ତ ଥାଇ ଗିରଫମାନେ ହେଲେ ପୁରୁଷୋତ୍ତମପୁର ନଇତଟ ସାହିର ମାଷ୍ଟର ମାଇଣ୍ଡ ଘନଶ୍ୟାମ ବେହେରା ଓରଫ କାଳିଆ, ବଡ ବାଉରି ସାହିର କାଳିଆ ଦାସ, ନନ୍ଦିକ ସାହିର ବାଘା ଓରଫ ତ୍ରିନାଥ ବେହେରା, ଗଡ ସାହିର କାହ୍ନୁଚରଣ ପଟ୍ଟନାୟକ ଓ ଶଙ୍କର ବେହେରା, କୋଳାସିଙ୍ଗି ଗାଁ ର ସ୍ୱରାଜ୍ୟ ଦାସ, କବିସୂର୍ଯ୍ୟନଗର ଥାନା ରଘୁନାଥ ପଲ୍ଲୀର ପିଣ୍ଟୁ ନାହାକ ଓ ସନ୍ୟାସୀ ନାହାକ, ବୁଢାଆମ୍ବ ବାଉରି ସାହିର ବୁଲୁ ନାହାକ ଏବଂ ସୁନା ବ୍ୟବସାୟୀଙ୍କ ଗୁମାସ୍ତା ପୁରୁଣା ଜଗନ୍ନାଥ ମନ୍ଦିର ସାହିର ଅମିତ ବେହେରା ।

ସେହିପରି ଚୋରି ସୁନା କିଣିଥିବା ଅଭିଯୋଗରେ ପୁଲିସ ଆଉ ୫ଜଣଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ପୁରୁଷୋତ୍ତମୁପର ବଜାର ସାହିର ଡି. ଦୀପୁ ଆଚାର୍ଯ୍ୟ, ନନ୍ଦିକ ସାହିର ସନ୍ତୋଷ ଆଚାର୍ଯ୍ୟ, ନଇତଟସାହିର ମିଥୁନ ବେହେରା, ବ୍ରହ୍ମପୁର ଆସିକା ରୋଡସ୍ଥିତ ଶ୍ରୀରାମ ନଗରର ପି.ବୀରଭଦ୍ର ରାଓ ଓ ପଞ୍ଚଦେଉଳ ସାହିର ନନ୍ଦ କିଶୋର ଭଗତ । ଗିରଫମାନଙ୍କ ମଧ୍ୟରୁ ପିଣ୍ଟୁ ନାମରେ ପୂର୍ବରୁ ମାମଲା ରହିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଏସପି ସୂଚନା ଦେଇଛନ୍ତି। ଜବତ ୬ କି.ଗ୍ରା ୫୦୧ ଗ୍ରାମ ସୁନା ଅଳଙ୍କାର ମୂଲ୍ୟ ଆନୁମାନିକ ୩ କୋଟି ୫୦ ଲକ୍ଷ ଟଙ୍କା ହେବ । ଜିଲାରେ ଘଟିଥିବା ଅନ୍ୟ ଛୋଟବଡ ଚୋରି ଘଟଣାର ତଦନ୍ତ ଜାରି ରହିଛି ବୋଲି ଡିଆଇଜି କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ବିଜୟ କୁମାର ମଲ୍ଲିକ, ଅଶୋକ ମହାନ୍ତି, ଡିଏସପି ଉତ୍କଳକେଶରୀ ଦାଶ, ଅଜୟକୁମାର ମିଶ୍ର, ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ୱାଇଁ, ପୁରୁଷୋତ୍ତମପୁର ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

 

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories