www.samajalive.in
Wednesday, December 10, 2025
26.1 C
Bhubaneswar

ଗଞ୍ଜାମରେ ଟଳିନି କରୋନା ବିପଦ! ୨୪ ଘଣ୍ଟାରେ ବଦଳିଲା କୋଭିଡ ଡାକ୍ତରଖାନା ବନ୍ଦ ନିଷ୍ପତ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଇବା ଏବଂ ଶୀତଳାପଲ୍ଲୀସ୍ଥିତ କୋଭିଡ୍‌ ହସ୍‌ପିଟାଲ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ଦର୍ଶାଯାଇ ସେହି ଡାକ୍ତରଖାନାକୁ ଚଳିତ ମାସ ୩୧ ତାରିଖରେ ବନ୍ଦ କରିଦେବାକୁ ଘୋଷଣା କରାଯାଇଥିଲା । ହେଲେ ଏହି ଘୋଷଣାର ମାତ୍ର ୨୪ ଘଣ୍ଟା ପରେ ପୁଣି ଥରେ ନିଷ୍ପତ୍ତି ବଦଳି ଯାଇଛି । ଜିଲାରେ କରୋନାର ଦ୍ବିତୀୟ ପର୍ଯ୍ୟାୟ ଲହର ଆଶଙ୍କାରେ ଏହି ହସ୍‌ପିଟାଲ୍‌କୁ ଖୋଲା ରଖିବାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପୁନଃ ନିର୍ଦେଶନାମା ଜାରି କରିଛନ୍ତି । ଅପରପକ୍ଷେ ହସ୍‌ପିଟାଲ୍‌ର ପରିଚାଳନା ଦାୟିତ୍ବରେ ଥିବା ଘରୋଇ ସଂସ୍ଥା ହାଇଟେକ୍‌ ମେଡ଼ିକାଲ୍‌ କଲେଜ୍‌ ଏବଂ ହସ୍‌ପିଟାଲ୍‌କୁ କରୋନା ଚିକିତ୍ସା ପାଇଁ ଜିଲା ପ୍ରଶାସନ ଆଉ କିଛି ଦିନ ସୁଯୋଗ ​‌ଦେଇଛନ୍ତି।
ପ୍ରବାସୀ ଓଡ଼ିଆମାନେ ଘରକୁ ଫେରିବା ପରେ ଜିଲାରେ କରୋନାସ୍ଥିତି ଉତ୍କଟ ଆଶଙ୍କା ରହିବାରୁ ଏପ୍ରିଲ ୧୦ ତାରିଖରେ ଶୀତଳାପଲ୍ଳୀରେ ରହିଥିବା ଟାଟା ମେଡିକୋକୁ କୋଭିଡ୍‌ ହସ୍‌ପିଟାଲରେ ପରିଣତ ସହ ଉଦଘାଟନ କରାଯାଇଥିଲା। ଟାଟା କେବଳ କୋଠା ଯୋଗାଇ ଦେଇଥିବା ବେଳେ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ଚିକିତ୍ସା ଉପକରଣ ଏବଂ ଆବଶ୍ୟକ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ । ହେଲେ ଚିକିତ୍ସାରେ ଅବ୍ୟବସ୍ଥା ଅଭିଯୋଗ ହେବା ପରେ ଜୁଲାଇ ୨୦ ତାରିଖ ହାଇଟେକ୍‌ ମେଡ଼ିକାଲ୍‌ କଲେଜ୍‌ ଏବଂ ହସ୍‌ପିଟାଲ୍‌କୁ ରାଜ୍ୟ ସରକାର ଟାଟା କୋଭିଡ ମେଡ଼ିକାଲ୍‌ର ପରିଚାଳନା ଦାୟିତ୍ବ ପ୍ରଦାନ କରିଥିଲେ । ଗତ କିଛିମାସ ହେଲା ସରକାରୀ ଭାବେ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଅଧିକାଂଶ ଦିନ ୨୦ରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ମଙ୍ଗଳବାର ଜିଲାର କୋଭିଡ୍‌ ନୋଡାଲ୍‌ ଅଫିସର୍‌ ତଥା ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥାନନ୍‌ ଜିଲା ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ କରୋନା ସ୍ଥିତି ନେଇ ସମୀକ୍ଷା କରିଥିଲେ । ବୈଠକରେ ଜିଲାପାଳ କୁଲାଙ୍ଗେ କହିଥିଲେ ଯେ, ଯେହେତୁ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି, ଏଣୁ ଖୁବ୍‌ଶୀଘ୍ର ଶୀତଳାପଲ୍ଲୀ କୋଭିଡ୍‌ ହସ୍‌ପିଟାଲ୍‌କୁ ବନ୍ଦ କରିଦିଆଯିବ । ବୁଧବାର ଜିଲାପାଳଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ନିର୍ଦେଶନାମା ଜାରି ହୋଇଥିଲା । ସେଥିରେ ଉଲ୍ଲେଖ କରାଯାଇଥିଲା ଯେ, ଦୃତଗତିରେ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ଯୋଗୁ ନଭେମ୍ବର ୩୦ ତାରିଖଠାରୁ ମେଡ଼ିକାଲ୍‌କୁ ବନ୍ଦ କରିଦିଆଯିବ । ଏଣିକି ନୂଆ ରୋଗୀଙ୍କୁ ଭର୍ତ୍ତି ନକରିବା ପାଇଁ ପତ୍ର ଜରିଆରେ ହାଇକେଟ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ଏହି ନିର୍ଦେଶର ଦିନକ ପରେ ଅର୍ଥାତ୍‌ ଗୁରୁବାର ଏଥିରେ ପରିବର୍ତ୍ତନ କରାଯାଇଛି । ଜିଲାପାଳ କୁଲାଙ୍ଗେଙ୍କ ପକ୍ଷରୁ ଜାରି ନିର୍ଦେଶରେ ଜିଲାରେ ଦ୍ବିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣର ଆଶଙ୍କା ରହିଛି । ଏଣୁ ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ହସ୍‌ପିଟାଲ୍‌ ଖୋଲା ରହୁ । କିନ୍ତୁ କେବଳ ୫୫ଟି ଆଇସିୟୁ ବେଡ୍‌ ହିଁ କାର୍ଯ୍ୟକ୍ଷମ ହେବ ବୋଲି ଜିଲାପାଳ ସ୍ପଷ୍ଟ କରିଛନ୍ତି।
ତେବେ ପ୍ରଥମ ବନ୍ଦ ଏବଂ ପରେ ଖୋଲିବା ନିଷ୍ପତ୍ତିକୁ ନେଇ ଏବେ ନାନା ପ୍ରଶ୍ନ ସୃଷ୍ଟି ହୋଇଛି । ଜିଲାରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣର ଲହର ନେଇ ବହୁ ପୂର୍ବରୁ ଜିଲାପାଳ କୁଲାଙ୍ଗେ କହି ଆସୁଥିଲେ । ତଥାପି ହସ୍‌ପିଟାଲ୍‌କୁ ବନ୍ଦ ପାଇଁ ନିର୍ଦେଶ ଜାରି କରିଥିଲେ । ଜିଲାର ଆହୁରି ୨ଟି ହସ୍‌ପିଟାଲ୍‌ରେ ଆଇସିୟୁ ସୁବିଧା ରହିଛି । ଅଶ୍ବିନୀ କୋଭିଡ୍‌ ହସ୍‌ପିଟାଲ୍‌ରେ ୭୪ଟି ଏବଂ ଏମ୍‌କେସିଜିସ୍ଥିତ କୋଭିଡ୍‌ ୱାର୍ଡ଼ରେ ୨୪ଟି ଆଇସିୟୁ ବେଡ୍‌ ରହିଥିବା ସତ୍ତ୍ବେ ଶୀତଳାପଲ୍ଲୀ କୋଭିଡ୍‌ ହସ୍‌ପିଟାଲ୍‌ରେ ୫୫ଟି ଆଇସିୟୁ ବେଡ୍‌କୁ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ହୋଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories