ଝୁମ୍ପୁରା: ଝୁମ୍ପୁରା ବ୍ଲକ ଧନୁର୍ଜୟପୁର ପଞ୍ଚାୟତର ଗଣ୍ଡବରେଇ ମୁଣ୍ଡା ସାହିକୁ ରାସ୍ତା ନଥିବାରୁ ଏହି ସାହିରେ ରହୁଥିବା ପରିବାରଗୁଡିକ ଯାତାୟତ କରିବା ପାଇଁ ଘୋର ଅସୁବିଧାର ସମ୍ମୁଖିନ ହୋଇ ଆସୁଥିଲେ। ପଞ୍ଚାୟତ ନିର୍ବାଚନ ସମୟରେ ଏହି ସାହି ବାସିନ୍ଦା ଗାଁକୁ ରାସ୍ତା ନିର୍ମାଣ ନହେଲେ ଭୋଟ ବର୍ଜନ କରିବା ପାଇଁ ଚେତାବନୀ ଦେଇଥିଲେ। ଏହି ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ହୋଇଥିବା ସରସ୍ୱତୀ ନାଏକ ସାହି ବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ସେ ସରପଞ୍ଚ ଭାବେ ନିର୍ବାଚିତ ହେଲେ ପ୍ରଥମେ ସାହିକୁ ରାସ୍ତା ସଂଯୋଗୀକରଣ କରିବି ବୋଲି। ନିର୍ବାଚନରେ ବିଜୟୀ ହେବା ପରେ ସରପଞ୍ଚ ସରସ୍ୱତୀ ନାଏକ ବିଡିଓ ଏବଂ ଏପିଓଙ୍କୁ ଗଣ୍ଡବରେଇ ମୁଣ୍ଡା ସାହିକୁ ରାସ୍ତା ନଥିବା ସମ୍ପର୍କରେ ଅବଗତ କରିବା ସହିତ ତୁରନ୍ତ ଗାଁକୁ ରାସ୍ତା ସଂଯୋଗୀକରଣ କରିବା ପାଇଁ ଅର୍ଥ ପ୍ରଦାନ କରିବା ପାଇଁ ଦାବି ରଖିଥିଲେ। ବିଡିଓ ଏବଂ ଏପିଓ ସାହି ଲୋକଙ୍କ କିପରି ଯାତାୟତ କରୁଛନ୍ତି ତାହା ଅନୁଧ୍ୟାନ କରିବା ପରେ ସାହିକୁ ରାସ୍ତା ନିର୍ମାଣ କରିବା ପାଇଁ ମନରେଗା ଯୋଜନାରୁ ଅର୍ଥ ମଞ୍ଜୁର କରିଛନ୍ତି ସାହିକୁ ନୂତନ ରାସ୍ତା ନିର୍ମାଣ କରିବା ପାଇଁ। ବ୍ଲକ ପ୍ରଶାସନ ତରଫରୁ ଏହି ସାହିକୁ ରାସ୍ତା ନିର୍ମାଣ କରିବା ପାଇଁ ମନରେଗା ଯୋଜନାରୁ ୬ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି। ଅର୍ଥ ମଞ୍ଜୁର ହେବା ପରେ ସାହିବାସିନ୍ଦାଙ୍କ ସହିତ ସରପଞ୍ଚ ଆଲୋଚନା କରିବା ପରେ ସାହିକୁ ନୂତନ ଭାବରେ ରାସ୍ତା ନିର୍ମାଣ କରିବା ପାଇଁ ସାହିରେ ରହିଥିବା ଜବକାର୍ଡ ଶ୍ରମିକମାନଙ୍କୁ ନେଇ କାମ ଆରମ୍ଭ କରିଛନ୍ତି। ଦୀର୍ଘ ବର୍ଷ ପରେ ଗଣ୍ଡବରେଇ ମୁଣ୍ଡା ସାହିକୁ ରାସ୍ତା ନିର୍ମାଣ ହୋଇ ପାରିଥିବାରୁ ସାହି ବାସିନ୍ଦା ସରପଞ୍ଚଙ୍କ ଏହି ବଳିଷ୍ଠ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ବର୍ତ୍ତମାନେ ଏହି ରାସ୍ତା କାମ ଠିକ୍ ଭାବରେ ଯେପରୀ ହୋଇ ପାରିବ ସେଥିପାଇଁ ଏହି ପଞ୍ଚାୟତର ଜିଆରଏସ୍ କେଶବ ଚନ୍ଦ୍ର ମହାନ୍ତଙ୍କୁ କାମଟି ସଂପୂର୍ଣ୍ଣ ଭାବରେ ପରିଚାଳିତ କରିବା ପାଇଁ ସରପଞ୍ଚ ଦାୟିତ୍ୱ ହସ୍ତାନ୍ତର କରିବା ସହିତ ସରପଞ୍ଚ ପ୍ରତିଦିନ କାର୍ଯ୍ୟସ୍ଥଳରେ ରହି ରାସ୍ତାକାମକୁ ତଦାରଖ କରୁଥିବା ଦେଖିବାକୁ ମିଳିଛି।
Popular Categories



