ଗଡ଼ମଧୁପୁର : ଗୋଟିଏ ଲିଟର ଡିଜେଲର ମୂଲ୍ୟ ତେଲଟାଙ୍କିରେ ୭୮ଟଙ୍କା ବିକ୍ରୀ ହେଉଥିବା ବେଳେ ଡୁବୁରି-ଚଣ୍ଡିଖୋଲ ୫୩ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଏହା ୬୦ରୁ ୬୫ ମଧ୍ୟରେ ମିଳୁଛି। ତେବେ ଏହି ତେଲ ଏଠାରେ ଏତେ କମ ମୂଲ୍ୟରେ କିପରି ମିଳୁଛି ତାହା ଅନେକଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ବାସ୍ତବ କଥା କିନ୍ତୁ ଭିନ୍ନ। ଖବର ଅନୁଯାଇ ଧର୍ମଶାଳା ବ୍ଲକ ଆରୁହା ଠାରୁ ବ୍ରାହ୍ମଣୀବ୍ରିଜ ପର୍ଯ୍ୟନ୍ତ ୫୩ନଂ ଜାତୀୟ ରାଜପଥ ପାର୍ଶ୍ବରେ ଦିନକୁ ଦିନ ତେଲଚୋରି ର୍ୟାକେଟ୍ ଏବେ ପୁରା ମାତ୍ରାରେ ସକ୍ରିୟ ହୋଇଉଠିଛନ୍ତି। ସେମାନେ ବିଭିନ୍ନ ପ୍ରକାର ପରିବହନକରୀ ଗାଡିରୁ ତେଲକାଢି କମ ମୂଲ୍ୟରେ ବିକ୍ରୀ କରୁଛନ୍ତି। ସେମାନେ ତେଲ ଲିଟର ପିଛା ବହୁତ କମରେ କିଣୁଥିବାରୁ ଏତେ ଶସ୍ତାରେ ବିକ୍ରୀ କରି ମାଲାମାଲ ହେଉଛନ୍ତି।
ଅପରପକ୍ଷେ ଗାଡିମାଲିକ ରାତିଦିନ ଅନିଦ୍ରା ହୋଇ ଗାଡିର କିସ୍ତି ସୁଝି ପାରୁନଥିବା ବେଳେ ଏହି ତେଲ ଚୋର ମାନେ ରାସ୍ତା ପାର୍ଶ୍ବରେ କେବିନ ବସାଇ ରାତିରେ ଗାଡିର ଚାଳକମାନଙ୍କୁ ହାତ କରି ଗାଡିଗୁଡିକରୁ ତେଲ କାଢି ମାଲାମାଲ ହେଉଛନ୍ତି। ଏହି ବିନାମୂଳଧନ ବେପାରରେ କୌଣସି ପ୍ରକାର ଆର୍ଥିକ କ୍ଷତିର ସମ୍ଭାବନା ନଥିବାରୁ ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥ ପାର୍ଶ୍ୱକୁ ଏମାନେ ନିିଜ ଅଧିନରେ ରଖି ଏହି ବେପାର କରିବାକୁ ଉଚିତ ମଣୁଛନ୍ତି। ଏହି ଚୋରା କାରବାରକୁ ଏ ଅଂଚଳରେ ଚାଲୁଥିବା କ୍ରସର ମାଲିକ ଓ କ୍ଷୁଦ୍ରଶିଳ୍ପ କାରଖାନାମାଲିକ ମାନେ ପ୍ରୋତ୍ସାହିତ କରୁଛନ୍ତି। ଖୁବ ବେପରୁଆ ଭାବେ ଚାଲିଥିବା ଏହି ଚୋରା କାରବାର ଦ୍ୱାରା କେତେକ ଅସାଧୁବ୍ୟକ୍ତି ମାଲାମାଲ ହେଉଥିବା ବେଳେ ବିଚରା ଟ୍ରକ ମାଲିକ ଓ ତେଲଟାଙ୍କି ମାଲିକ ମାନେ କରୋନା କ୍ଷତିଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। କାଳିଆପାଣି, ଟମକା ଓ କଳିଙ୍ଗନଗର ଶିଳ୍ପାଞ୍ଚଳରୁ ପାରାଦୀପ ଯାଉଥିବା ଅଧିକାଂଶ ଟ୍ରକ ,ଟିପର ଓ ହାଇୱା ଗାଡିରୁ ଏହି ଅସାଧୁ ବେପାରୀମାନେ ଚାଳକକୁ ହାତ କରି ରାସ୍ତାକଡରେ ତେଲ ବାହାର କରୁଛନ୍ତି।
ଏପରିକି ଅନେକ ସମୟରେ ଟ୍ୟାଙ୍କରରୁ ମଧ୍ୟ ତେଲ କଢାଯାଉଥିବା ଦେଖିବାକୁ ମିଳୁଛି। ଗାଡି ଚାଳକମାନଙ୍କୁ ଲୋଭର ବଶବର୍ତ୍ତୀ କରି ଗାଡିରୁ ତେଲ ଖୋଲି ୪୦ରୁ ୫୦ ଟଙ୍କା ମଧ୍ୟରେ ନେଉଥବା ବେଳେ ଏହାକୁ ତେଲଚୋର ମାନେ ୬୦ରୁ ୬୫ ଟଙ୍କା ମଧ୍ୟରେ ବିକ୍ରୀ କରୁଛନ୍ତି। ତେବେ ଏତେ କମରେ ସେମାନେ କିପରି ଯୋଗାଇ ଦେଉଛନ୍ତିର ଉତ୍ତରରେ ଜନୈକ ଗାଡି ମାଲିକ କହନ୍ତି ଚାଳକମାନେ ମାଲିକ ଅଗୋଚରରେ ତେଲ କାଢୁଥିବାରୁ ଏବଂ ମାଲିକ ତାହା ଜାଣିବାର ଭୟରେ ତେଲଚୋର ଚାଳକକୁ ଠକି୬ ଲିଟର ଜାରକିନକୁ ଫୁଲାଇ ପୁରା ଫୁଲ ଜାରକିନ ଡିଜେଲକୁ ୫ଲିଟର ହିସାବରେ କିଣି ରେଟ ଓ ମାପ ଉଭୟରେ ଲାଭ ଉଠାଉଛନ୍ତି। ଏହି କାରବାରର ଲାଭ ଉଠାଇବା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଛି।
କିଛି ପ୍ରଭାବଶାଳି ଲୋକଙ୍କ ନିୟନ୍ତ୍ରଣରେ ଥିବା ଏହି କାରବାର ପାଇଁ ଦୈନିକ ରାସ୍ତା କଡରେ ନୁଆ କରି କେବିନମାନ ବଢିବଢି ଚାଲିଛି। ଧର୍ମଶାଳା ଓ ଜେନାପୁର ଥାନା ଅଧିନରେ ରହିଥିବା ଏହି ଅଂଚଳରେ ଏବେ ବେଧଡକ ତେଲ କାରବାର ଯୋଗୁ ରାସ୍ତା ଦୁର୍ଘଟଣା ବଢିବା ସହ ଅସାମାଜିକ କାର୍ଯ୍ୟକଳାପ ବଢି ବଢି ଚଲିଛି। ଏ ସମ୍ବନ୍ଧରେ ବାରମ୍ବାର ଅଭିଯୋଗ ଓ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ଏହି ଅବୈଧ କାରବାରରେ ରୋକ ଲଗାଇବାକୁ କେହି ହେଲେ ଆନ୍ତରିକତା ଦେଖାଉ ନାହାନ୍ତି। କିଛିଦିନ ପୁର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଇବାରୁ ଧର୍ମଶାଳା ଥାନାର ତତକାଳିନ ଥାନାଧିକାରୀ ରାକେଟ ଉପରେ ଅଂକୁଶ ଲଗାଇବାକୁ ଚେଷ୍ଟା କରିଥିଲେ। କିଛି ଦିନ ଏହି କାରବାର ବନ୍ଦ ହେବାପରେ ଏହା ପୁଣି ଖୁଲମଖୁଲା ଚାଲିଛି। ରାଜପଥ ଉପରେ ଶହ ଶହ ଗାଡିକୁ ଅଟକାଇ ଡିଜେଲ ଚୋରି କରୁଥିଲେ ମଧ୍ୟ ଏମାନଙ୍କୁ ଚାରିଖୁଣ ମାଫ। ଏହି କାରବାର ଫଳରେ ମାଫିଆ ମାନେ ମାସିକ ଲକ୍ଷ ଲକ୍ଷ ଟଙ୍କାର ମୁନାଫା କରୁଥିବା ବେଳେ ଗାଡିମାଲିକ ଓ ବାଇକ ଆରୋହି ଏବଂ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଜିଲାପାଳ ଏହା ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।



