www.samajalive.in
Monday, December 8, 2025
20.1 C
Bhubaneswar

ନ୍ୟାୟିକ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ପ୍ରଯୁକ୍ତିବିଦ୍ୟା : ମୁଖ୍ୟ ବିଚାରପତି

ଆଠଗଡ଼  : ଆଠଗଡ଼ ବିଚାର ବିଭାଗୀୟ ଅଦାଲତର ନୂତନ ବହୁତଳ ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ ପାଇଁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌‌ ଏସ. ମୁରଲୀଧର ଶୁକ୍ରବାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଉପଲକ୍ଷେ ଅଦାଲତ ପରିସରରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟ ବିଚାରପତି ଶ୍ରୀ ମୁରଲୀଧର ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଦ୍ୱାରା ବିଚାର ପ୍ରକ୍ରିୟା ଓ ନ୍ୟାୟିକ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆସିଛି ବୋଲି ପ୍ରକାଶ କରିଥିଲେ। ଓଡ଼ିଶାର ୨୦ଜିଲା ସମେତ ଅନ୍ୟ ସମସ୍ତ ଅଞ୍ଚଳର ଆଇନଜୀବୀ ଓ ସାଧାରଣ ଲୋକ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଦ୍ୱାରା ଆଭାସି ମାଧ୍ୟମରେ ଯେ କୌଣସି ମାମଲା ହାଇକୋର୍ଟ, ଏପରିକି ସୁପ୍ରିମକୋର୍ଟରେ ରୁଜୁ କରି ତାର ବିଚାର କରାଇ ଉପକୃତ ହୋଇପାରୁଛନ୍ତି। ଏଥିପାଇଁ ଲୋକଙ୍କୁ କଟକ ଆସିବା ଦରକାର ପଡ଼ୁନାହିଁ। ଓଡ଼ିଶାରେ ବିଚାର ବିଭାଗ ଅଦାଲତ ଗୁଡ଼ିକର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି। ଜ୍ଞାନ ଆହରଣର ଜିଜ୍ଞାସା ଥିଲେ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରିବା ସହଜ ହୋଇପାରିବ। ଏଥିପାଇଁ ଆଇନଜୀବୀମାନଙ୍କର ତାଲିମର ଆବଶ୍ୟକତା ଥିଲେ ହାଇକୋର୍ଟ ପକ୍ଷରୁ ତାଲିମର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ବିଚାରପତି କହିଥିଲେ। ଆଠଗଡ଼ରେ ନୂତନ ଅଦାଲତ ଗୃହ ନିର୍ମାଣ ଦ୍ୱାରା ଆଇନଜୀବୀ ଓ ମହକିଲ ଉପକୃତ ହେବା ସହ ନ୍ୟାୟିକ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ହାଇକୋର୍ଟ ବିଚାରପତି ତଥା ଅଦାଲତ ଗୃହ ନିର୍ମାଣ କମିଟିର ଅଧ୍ୟକ୍ଷ ଡଃ ବିଦ୍ୟୁତ୍‌‌ ରଞ୍ଜନ ଷଡ଼ଙ୍ଗୀ ଯୋଗଦେଇ ଆଠଗଡ଼ର ଏହି ନୂତନ ଅଦାଲତ ଗୃହ ନିର୍ମାଣ ପରେ ବିଚାର ବ୍ୟବସ୍ଥା ଓ ନ୍ୟାୟିକ ପ୍ରକ୍ରିୟାରେ ଉଲ୍ଲେଖନୀୟ ବିକାଶ ହେବ ବୋଲି ମତବ୍ୟକ୍ତ କରିଥିଲେ। ଓଡ଼ିଶା ବାହାରେ ଥିବା ହାଇକୋର୍ଟର ବିଚାରପତି ଶୁଭାଶିଷ ତାଲପତ୍ର ଆଭାସି ମାଧ୍ୟମରେ ଆଠଗଡ଼ରେ ଏହି ଅତ୍ୟାଧୁନିକ ନୂତନ ଅଦାଲତ ଗୃହ ଏ ଅଞ୍ଚଳ ପାଇଁ ଏକ ମାଇଲ ଖୁଣ୍ଟ ସଦୃଶ ହେବ ବୋଲି ମତ ପ୍ରକାଶ କରିଥିଲେ। ଏହାଦ୍ୱାରା ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଆଇନଜୀବୀ ଓ ବିଚାର ବିଭାଗୀୟ ଅଧିକାରୀ ଉପକୃତ ହୋଇପାରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ।
କଟକ ଜିଲା ଓ ଦୌରାଜଜ୍‌‌ ସୌମେନ୍ଦ୍ର କୁମାର ରାଜଗୁରୁ ଜିଲାସ୍ତରରେ ବିଚାର ପ୍ରକ୍ରିୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହିପରି ଭିତ୍ତିଭୂମି ବିକାଶ ନ୍ୟାୟିକ ବ୍ୟବସ୍ଥାର ମୂଳଦୂଆକୁ ସୁଦୃଢ଼ କରିବ ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଠଗଡ଼ ଓକିଲ ସଂଘର ସଭାପତି ଜଗଦାନନ୍ଦ ତ୍ରିପାଠୀ ପୌରୋହିତ୍ୟ କରିଥିଲେ। ଆଠଗଡ଼ ଜେଏମଏଫସି ସମ୍ବେଦନା ସନ୍ଦୀପଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଆଠଗଡ଼ ବିଚାର ବିଭାଗୀୟ ଅଦାଲତର ନୂତନ ଗୃହ ପାଇଁ ୭କୋଟି ୨୪ଲକ୍ଷ ୪୪୪୮ଟଙ୍କା ଏବଂ ଓକିଲ ସଂଘ ସଭାଗୃହ ପାଇଁ ୧କୋଟି ୭ଲକ୍ଷ ୨୦୮୬୧ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ରେଜିଷ୍ଟ୍ରାର (ଜେନେରାଲ) ପ୍ରତାପ କୁମାର ପାତ୍ର, ରେଜିଷ୍ଟ୍ରାର (ଭିଜିଲାନ୍ସ ଓ ପ୍ରଶାସନିକ) ଅଖିଳ କୁମାର ପଶ୍ଚିମକବାଟ, ଆଠଗଡ଼ ଅତିରିକ୍ତ ଜିଲା ଓ ଦୌରାଜଜ୍‌‌ ପ୍ରଦୀପ୍ତ କୁମାର ସାହୁ, ବରିଷ୍ଠ ଦେୱାନୀ ବିଚାରପତି ମହାଶ୍ବେତା ପରିଜା, ଏସ୍‌ଡିଜେଏମ୍‌‌ ଏସ କୁନମୁନ ଆଚାରୀ, ପୂର୍ତ୍ତ ବିଭାଗ କୋଠାବାଡ଼ି ମୁଖ୍ୟଯନ୍ତ୍ରୀ ଜୀବନାନନ୍ଦ ନାୟକ, ଚାରବାଟିଆ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, କଟକ ଅତିରିକ୍ତ ଜିଲାପାଳ ଶିବ ଟପ୍ପୋ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ରଙ୍କ ସମେତ ବହୁ ସରକାରୀ ଅଧିକାରୀ, ଆଇନଜୀବୀ ଯୋଗଦାନ କରିଥିଲେ। ଓକିଲ ସଂଘ ସମ୍ପାଦକ ବନବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories