ସୁଆଣ୍ଡୋ/ସାକ୍ଷୀଗୋପାଳ : ସତ୍ୟବାଦୀ ଯୁଗର ପ୍ରମୁଖ ବିନ୍ଧାଣୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ତାଙ୍କ ସତୀର୍ଥ ମାନଙ୍କ ପ୍ରଚେଷ୍ଟାରେ ୧୯୦୯ ମସିହାର କୁମାର ପୂର୍ଣ୍ଣୀମା ଦିନ ସତ୍ୟବାଦୀ ବକୁଳବନରେ ସତ୍ୟବାଦୀ ବନବିଦ୍ୟାଳୟର ଶୁଭାରମ୍ଭ କରାଯାଇଥିଲା । ସେହି ମହାପୁରୁଷ ମାନଙ୍କ କୀର୍ତ୍ତି ଓ କୃତି ଓଡିଶା ଇତିହାସର ଗୌରବୋଜ୍ୱଳ ଅଧ୍ୟାୟ। ତିଥି ଅନୁସାରେ ଉତ୍କଳମଣି ଗୋପବନ୍ଧୁ ମିଶନ ଓ ସତ୍ୟବାଦୀ ଭାରତ ବିକାଶ ପରିଷଦ ଶାଖା ଆନୁକୂଲ୍ୟରେ ଏହା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ପାଳିତ ହୋଇଯାଇଛି । ଉତ୍ସବରେ ସାହିତ୍ୟ ଆଲୋଚନା ଓ କବିତା ପାଠ ଅନୁଷ୍ଠିତ ହୋଇଥିଲା । ସଭାରେ ଡକ୍ଟର ଚିତରଞ୍ଜନ ମିଶ୍ର ଅଧ୍ୟକ୍ଷତା କରିଥିଲେ।

ପ୍ରଥମେ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଧୂପ ଦୀପ ପ୍ରଜ୍ବଳିତ କରାଯାଇ ସଭାକାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା। ଶିକ୍ଷକ ସତ୍ୟବାଦୀ ଦାଶ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ଗୋପବନ୍ଧୁଙ୍କ ସହିତ ପଞ୍ଚସଖାଙ୍କ ଦୃଷ୍ଟିରେ ଜନ୍ମଭୂମି ଥିଲା ସ୍ୱର୍ଗାଦପି ଗରୀୟସୀ। ତେଣୁ ସେମାନଙ୍କ ସାହିତ୍ୟ ତଥା ଇତିହାସ ରଚନାରେ ଅତୀତର ଗୌରବ ଗାନ ସହ ମାତୃଭୂମି ଓ ମାତୃଭାଷାକୁ ପ୍ରାଣଭରି ଭଲ ପାଇବାର ଜୀବନ୍ତ ଅଭିବ୍ୟକ୍ତି ଘଟିଛି ବୋଲି ଅତିଥି ମାନେ ସଭାରେ ଆଲୋକପାତ କରିଥିଲେ। ଏଥିରେ ଭାରତ ବିକାଶ ଶାଖା ସଭାପତି ପୂର୍ଣ୍ଣଚନ୍ଦ୍ର ରଥ, ଡ. ଦିଲ୍ଲିପ କୁମାର ସେନାପତି, ପ୍ରାକ୍ତନ ଶିକ୍ଷକ ପ୍ରଭାତ ଚନ୍ଦ୍ର ରଥ, ଉତ୍କଳମଣି ସାମ୍ବାଦିକ ସଂଘ ସଭାପତି ଧୀରେନ୍ଦ୍ର ସେନାପତି, ମାନସ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ୫୦ ଜଣ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । କବି ଓ କବୟିତ୍ରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥି ମାନେ ମାନପତ୍ର ପ୍ରଦାନ କରିଥିଲେ । ଏହି କବିତା କାର୍ଯ୍ୟକ୍ରମକୁ ବିଜୟକୁମାର ପଟ୍ଟନାୟକ ସଂଯୋଜନା କରିଥିଲେ । ଶେଷରେ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ପରିଡା ଧନ୍ୟବାଦ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ।



