www.samajalive.in
Monday, December 8, 2025
20.1 C
Bhubaneswar

ଆଇପିଏଲ୍‌: ଚୂଡ଼ାନ୍ତ ନିଲାମ ତାଲିକାରେ ୫୯୦ କ୍ରିକେଟର୍‌

ନୂଆଦିଲ୍ଲୀ, ୧ା୨: ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୨ ସଂସ୍କରଣ ନିମନ୍ତେ ମେଗା ଖେଳାଳି ନିଲାମ ଚଳିତମାସ ୧୨ ଓ ୧୩ରେ ବେଙ୍ଗାଲୁରୁରେ ହେବ। ଏଥିପାଇଁ ଆଇପିଏଲ୍‌ ପରିଚାଳନା ପରିଷଦ ମଙ୍ଗଳବାର ୫୯୦ ଜଣ କ୍ରିକେଟର୍‌ଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ କରିଛି। ନିଲାମ ହେବାକୁ ଥିବା ୫୯୦ କ୍ରିକେଟରଙ୍କ ମଧ୍ୟରୁ ୩୭୦ ଜଣ ଭାରତୀୟ ଥିବା ବେଳେ ୨୨୦ ଜଣ ବିଦେଶୀ ରହିଛନ୍ତି। ସୂଚନାଯୋଗ୍ୟ; ଆଇପିଏଲ୍‌ ଖେଳାଳି ନିଲାମ ନିମନ୍ତେ ମୋଟ୍‌ ୧୨୧୪ ଜଣ କ୍ରିକେଟର୍‌ ସେମାନଙ୍କ ନାମ ପଞ୍ଜୀକରଣ କରିଥିଲେ। ଏହି ତାଲିକାରୁ ଯେଉଁ ଖେଳାଳିଙ୍କ ପାଇଁ ୧୦ଟି ଫ୍ରାଞ୍ଚାଇଜି ମଧ୍ୟରୁ ଗୋଟିଏ ଫ୍ରାଞ୍ଚାଇଜି ମଧ୍ୟ ଆଗ୍ରହ ଦେଖାଇଛି; ସେହି ୫୯୦ ଜଣଙ୍କୁ ଚୂଡ଼ାନ୍ତ ନିଲାମ ତାଲିକାରେ ସାମିଲ କରାଯାଇଛି। ଫଳରେ ବାକି ୬୨୪ ଜଣ ତାଲିକାରୁ ବାଦ୍‌ ପଡ଼ିଛନ୍ତି।
ନିଲାମ ହେବାକୁ ଥିବା ୫୯୦ ଜଣ କ୍ରିକେଟର୍‌ଙ୍କ ମଧ୍ୟରୁ ୨୨୮ଜଣ ବିଭିନ୍ନ ଦେଶର ବରିଷ୍ଠ କ୍ରିକେଟ୍‌ ଦଳକୁ ପ୍ରତିନିଧିତ୍ବ କରିଥିବା ବେଳେ ୩୫୫ ଜଣ ଆନ୍ତର୍ଜାତିକ କ୍ରିକେଟର ନୁହନ୍ତି। ୭ ଜଣ କ୍ରିକେଟର୍‌ ଆଇସିସିର ଆସୋସିଏଟ୍‌ ଦେଶର ରହିଛନ୍ତି। ନିଲାମ ହେବାକୁ ଥିବା କ୍ରିକେଟର୍‌ଙ୍କ ମଧ୍ୟରୁ ୪୮ଜଣଙ୍କ ମୂଳ ମୂଲ୍ୟ (ବେସ୍‌ ପ୍ରାଇସ୍‌) ୨ କୋଟି ଟଙ୍କା ରଖାଯାଇଛି; ଯାହା ସର୍ବାଧିକ। ଏହି ତାଲିକାରେ ଥିବା କେତେକ ଭାରତୀୟ କ୍ରିକେଟର୍‌ ହେଉଛନ୍ତି ଶିଖର ଧାୱନ୍‌, ଶ୍ରେୟାସ ଆୟର, ମହମ୍ମଦ ସାମି, ଭୁବନେଶ୍ବର କୁମାର, ଉମେଶ ଯାଦବ, ସାର୍ଦ୍ଦୁଳ ଠାକୁର, ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ୟୁଜବେନ୍ଦ୍ର ଚହଲ୍, ଶୁବ୍‌ମାନ ଗିଲ୍‌ ପ୍ରମୁଖ। ସେହିପରି ଯୁବ କ୍ରିକେଟର୍‌ ଈଶାନ କିଷନ୍‌, ଦେବବତ୍ତ ପାଡିକଲ୍‌, ଦୀପକ ଚହର୍‌, ହର୍ଷଲ ପଟେଲ ପ୍ରମୁଖଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କା ରଖାଯାଇଛି। ୨ କୋଟି ଟଙ୍କା ମୂଳ ମୂଲ୍ୟ ଥିବା ବିଦେଶୀ କ୍ରିକେଟର୍‌ଙ୍କ ମଧ୍ୟରେ ଅଛନ୍ତି ଅଷ୍ଟ୍ରେଲିଆର ପାଟ୍‌ କମିନ୍‌ସ, ଦକ୍ଷିଣ ଆଫ୍ରିକାର କାଗିସୋ ରବାଡା, ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ​‌େ​‌ବାଲ୍‌ଟ, ଅଷ୍ଟ୍ରେଲିଆର ମିଚେଲ୍‌ ମାର୍ଶ ଓ ଷ୍ଟିଭେନ୍‌ ସ୍ମିଥ୍‌, ବାଂଲାଦେଶର ସାକିବ ଅଲ୍‌ ହାସନ୍‌, ଦକ୍ଷିଣ ଆଫ୍ରିକାର ଫାଫ୍‌ ଡୁ ପ୍ଲେସି ପ୍ରମୁଖ। ବରିଷ୍ଠ ଭାରତୀୟ ବ୍ୟାଟସମ୍ୟାନ୍‌ ସୁରେଶ ରୈନା ଓ ରବିନ୍‌ ଉଥପ୍ପାଙ୍କ ସର୍ବନିମ୍ନ ମୂଲ୍ୟ ୨ କୋଟି ଟଙ୍କା ରଖିଥିଲେ ମଧ୍ୟ ଏତେ ପରିମାଣ ଅର୍ଥରେ ତାଙ୍କୁ କୌଣସି ଦଳ କିଣିବାର ସମ୍ଭାବନା କମ୍‌ ରହିଛି।
ସେହିପରି ୨୦ ଜଣ କ୍ରିକେଟର୍‌ ସେମାନଙ୍କ ମୂଳ ମୂଲ୍ୟ ୧.୫ କୋଟି ଟଙ୍କା ରଖିଥିବା ବେଳେ ୩୪ ଜଣ ନିଜ ମୂଳ ମୂଲ୍ୟ ୧ କୋଟି ଟଙ୍କା ରଖିଛନ୍ତି। ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ଅଧିନାୟକ ଯଶ୍‌ ଧୁଲ୍‌, ଭିକି ଓସ୍ତୱାଲ୍‌ ଓ ରାଜବର୍ଦ୍ଧନ ହଙ୍ଗଆରଗେକର୍‌ଙ୍କ ସହ ଶାହାରୁଖ୍‌ ଖାଁ, ଦୀପକ ହୁଡା ଓ ଆଭେସ୍‌ ଖାଁଙ୍କ ଉପରେ ସବୁ ଦଳର ନଜର ରହିପାରେ। ନିଲାମ ତାଲିକାରେ ଦକ୍ଷିଣ ଆଫ୍ରିକାର ୪୨ ବର୍ଷ ବୟସ୍କ ସ୍ପିନର ଇମ୍ରାନ୍‌ ତାହିର୍‌ ସବୁଠାରୁ ବୟସ୍କ ଏବଂ ଆଫଗାନିସ୍ତାନର ୧୭ ବର୍ଷ ବୟସ୍କ ନୁର ଅହମ୍ମଦ ସର୍ବକନିଷ୍ଠ। ନିଲାମ ପୂର୍ବରୁ ପୁରୁଣା ୮ଟି ଫ୍ରାଞ୍ଚାଇଜିଙ୍କୁ ସର୍ବାଧିକ ୪ ଜଣ ଲେଖାଏଁ ଏବଂ ୨ଟି ନୂଆ ଫ୍ରାଞ୍ଚାଇଜି ଅହମ୍ମଦାବାଦ ଓ ଲକ୍ଷ୍ନୌଙ୍କୁ ୩ ଜଣ ଲେଖାଏଁ ଖେଳାଳି ରଖିବାର ଅନୁମତି ମିଳିଥିଲା। ଅହମ୍ମଦାବାଦ ଓ ଲକ୍ଷ୍ନୌ ୩ ଜଣ ଲେଖାଏଁ ଖେଳାଳିଙ୍କୁ ରଖିଥିବା ବେଳେ ମୁମ୍ବଇ, ଚେନ୍ନଇ, କଲକାତା, ଦିଲ୍ଲୀ ୪ ଜଣ ଲେଖାଏଁ ଏବଂ ହାଇଦରବାଦ, ବାଙ୍ଗାଲୋର ଓ ରାଜସ୍ଥାନ ୩ ଜଣ ଲେଖାଏଁ ଏବଂ ପଞ୍ଜାବ ୨ ଜଣ ଖେଳାଳିଙ୍କୁ ରଖିଛି। ତେଣୁ ଖେଳାଳି ନିଲାମରେ ସବୁଠାରୁ ଅଧିକ ୨୩ ଜଣ କ୍ରିକେଟର୍‌ଙ୍କୁ କିଣିବାର ସୁଯୋଗ ପଞ୍ଜାବ କିଙ୍ଗ୍‌ସ ନିକଟରେ ରହିଛି। ପଞ୍ଜାବ କିଙ୍ଗ୍‌ସ ପାଖରେ ସର୍ବାଧିକ ୭୨ କୋଟି ଟଙ୍କା ରହିଛି। ଦିଲ୍ଲୀ କ୍ୟାପିଟାଲ୍‌ସ ନିକଟରେ ସବୁଠାରୁ କମ୍‌ ୪୭.୫ କୋଟି ଟଙ୍କା ରହିଛି। ଖେଳାଳି ନିଲାମରେ ଅଷ୍ଟ୍ରେଲିଆର ୪୭, ୱେଷ୍ଟଇଣ୍ଡିଜ୍‌ର ୩୪, ଦକ୍ଷିଣ ଆଫ୍ରିକାର ୩୩, ଶ୍ରୀଲଙ୍କାର ୨୩, ଇଂଲଣ୍ଡର ୨୪, ନ୍ୟୁଜିଲାଣ୍ଡର ୨୪ ଓ ଅାଫଗାନିସ୍ତାନର ୧୭ ଜଣ କ୍ରିକେଟର୍‌ ରହିଛନ୍ତି। ତେବେ ଇଂଲଣ୍ଡର ବେନ୍‌ ଷ୍ଟୋକ୍‌ସ, ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ଓ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌ ନିଲାମରୁ ଓହରି ଯାଇଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories