ବଲାଙ୍ଗିର: ବଲାଙ୍ଗିର ନିକଟସ୍ଥ ସାଇଟ ସଦାଇପାଲି ପଲ୍ଲିଶ୍ରୀ ଷ୍ଟାଡିୟମରେ ଅନୁଷ୍ଠିତ ଏଆଇଏଫ୍ଏଫ୍ ଡି.ଡିପ୍ଲୋମା ଫୁଟବଲ କୋଚିଂ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଛି। ଅଲ୍ ଇଣ୍ଡିଆ ଫୁଟବଲ ଫେଡ଼େରେସନ ନୂଆଦିଲ୍ଲୀ ଓ ଫାଓ କଟକର ମିଳିତ ଆନୁକୂଲ୍ୟରେ ବଲାଙ୍ଗିର ଜିଲା କ୍ରୀଡ଼ା ସଂସଦ ପକ୍ଷରୁ ଡ.ଶ୍ରୀକର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବାଧାନରେ ସାଇଟ କ୍ୟାମ୍ପସରେ ଡିସେମ୍ବର ୧୧ ତାରିଖ ଠାରୁ ୧୭ ତାରିଖ ପଯ୍ୟନ୍ତ ଶିବିର ଚାଲିଥିଲା।
ଏଆଇଏଫ୍ଏଫ୍ ପ୍ରଶିକ୍ଷକ ଭାବେ କଲକାତାର ସୟଦ ଅଲତାଭ ଉଦ୍ଦିନ ଅହମ୍ମଦ ଯୋଗଦେଇ ତାଲିମ ଦେଇଥିବା ବେଳେ ବଲାଙ୍ଗିର ଜିଲା ଫୁଟବଲ କୋଚ ପରାଶର ବାଗ ସଂଯୋଜକ ଦାୟିତ୍ୱ ତୁଳାଇଥିଲେ। ଓଡ଼ିଶାର ୨୨ ଜିଲାରୁ ୨୮ ଜଣ ଫୁଟବଲ କୋଚ୍ ପ୍ରଶିକ୍ଷଣ ନେଇଥିଲେ। ଉଦ୍ଯାପନୀ ଉତ୍ସବରେ ଫାଓ ଓଡ଼ିଶା କାର୍ଯ୍ୟକାରୀ ସଭାପତି ଡ.ଶ୍ରୀକର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ବଲାଙ୍ଗିର ଜିଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ହରି ନାରାୟଣ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ପ୍ରଶିକ୍ଷକ ଜନାବ ଅହମ୍ମଦଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ। ସପ୍ତାହ ବ୍ୟାପୀ ପ୍ରଶିକ୍ଷଣ ଶିବିରରେ ଜିଲା କ୍ରୀଡ଼ା ସଂସଦ ପକ୍ଷରୁ ବହୁ ସଦସ୍ୟ ଯୋଗଦେଇ କୋଚ୍ମାନଙ୍କୁ ଉତ୍ସାହିତ କରିଥିଲେ। କୋଚ ପରାଶର ବାଗ ଧନ୍ୟବାଦ ଦେଇଥିଲେ।



