www.samajalive.in
Monday, December 15, 2025
16.1 C
Bhubaneswar

ଆରଡିରେ ବନ୍ୟା ପରିସ୍ଥିତି ,ନଦୀଗର୍ଭକୁ ଧସିଲା ଜାତୀୟ ରାଜପଥ ; ଯାତାୟତ ଠପ୍‍

.-ବନ୍ୟାଜଳ ନିଷ୍କାସନରେ ବାଧକ ସାଜିଛି ଅମାବାସ୍ୟା ଜୁଆର
.-ନଦୀବନ୍ଧ ଠାରୁ ୪ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ
.-ସାହି ରୁ ସାହିକୁ ଯିବା ପାଇଁ ଡଙ୍ଗା ଏକମାତ୍ର ଭରସା
.-ଉଜୁଡିବ ଶାରଦ ଚାଷ ; ଋଣ ପରିଶୋଧ ଚିନ୍ତାରେ ଚାଷୀ
.-୧୫ ଗାଁ ବାହ୍ୟ ଜଗତରୁ ବିଛିନ୍ନ
.-ମିଳୁନି ପିଇବା ପାଣି ; ବନ୍ୟାପାଣିରେ ଚାଲିଛି ପାକ ପ୍ରସ୍ତୁତି
.-୩ଦିନ ହେଲା ଭୋକିଲା ପଡିଛନ୍ତି ଶତାଧିକ ଗୃହ ପାଳିତ ପଶୁ
ଆରଡି; ବୈତରଣୀ ନଦୀର ବନ୍ୟାଜଳ ଉପର ମୁଣ୍ଡରେ ହ୍ରାସ ପାଉଥିବା ବେଳେ ଅମାବାସ୍ୟା ଜୁଆର ଯୋଗୁଁ ତଳମୁଣ୍ଡରେ ବନ୍ୟାଜଳ ବଢିବାରେ ଲାଗିଛି। ଫଳରେ ଭ୍‍ଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଆରଡି, ସୁନ୍ଦରପୁର, ଓଳଗ ଓ ନାନ୍ଦପୁର ପଞ୍ଚାୟତରେ ବନ୍ୟା ପରିସ୍ଥିତି ଅପରିବର୍ତ୍ତିତ ରହିଛି। ଗତ ୩ଦିନ ହେଲା ଆଖଣ୍ଡଳମଣି-ଯାଜପୁର ଜାତୀୟ ରାଜପଥର ପ୍ରାୟ ଦେଢକିମି ପର୍ଯ୍ୟନ୍ତ ବନ୍ୟାଜଳ ପ୍ରବାହିତ ହେବା ଦ୍ୱାରା ଗତକାଲି ରାତିରେ ଜାତୀୟ ରାଜପଥର ବୋଡକ ନିକଟରେ ୩୦ଫୁଟ୍‍ ରାସ୍ତା ବୈତରଣୀ ମଧ୍ୟକୁ ଧସିଯାଇଛି। ରବିବାର ଆରଡିପୀଠର ପାନ୍ଥନିବାସ, ଉପ-ସ୍ୱାସ୍ଥ୍ୟକେନ୍ଦ୍ର, ଆର୍ୟୁବେଦିକ ଚିକିତ୍ସାଳୟ, ସରକାରୀ ବିଦ୍ୟାଳୟ, ବ୍ୟାଙ୍କ ଆଦି ସ୍ଥାନରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ମୁଆଁ ଓ ସନ୍ତରା ଗାଁରେ ବନ୍ୟାଜଳ ପ୍ରବେଶ କରିବାରୁ ବିଲସାହି, ପଦାସାହି, ଦାସସାହି, ବୈତରଣୀକୂଳ ସାହି ଆଦି ସ୍ଥାନରେ ଥିବା ବାସଗୃହ ବନ୍ୟା ଘେରରେ ରହିଛି। ଏହି ଅଞ୍ଚଳ ନଦୀକୂଳରେ ଥିବାରୁ ବୈତରଣୀ ନଦୀବନ୍ଧ ବୁଡି ରବିବାର ସୁଦ୍ଧା ରାଜରାସ୍ତାରେ ୪ଫୁଟ୍‍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ମୁଆଁ-ଆରଡି-ସନ୍ତରା ସମେତ ବୋଡକ, ଷାଠିବାଙ୍କୁଡା, ଅମୃତମଣୀ, କୋଇଲିଖା, ନାନ୍ଦପୁର, ଭୂଇଁପୁର, ପାଲଟପୁର, ଶୀତଳପୁର, ବାଙ୍କମୁଆଁ, ପହଣା, ଓଳଗ, ବାତୋଳ, ସିଙ୍ଗିପୁର, ସାନପଙ୍କି ଆଦି ୧୫/୨୦ ଗାଁ ବାହ୍ୟ ଜଗତରୁ ସମ୍ପୁର୍ଣ୍ଣ ଭାବେ ବିଛିନ୍ନ ହୋଇଯାଇଛି। ଏହି ଗାଁ ଗୁଡିକରେ ସାହି ରୁ ସାହିକୁ ଯିବାପାଇଁ ହେଲେ ଡଙ୍ଗା ସାହାର୍ଯ୍ୟରେ ଲୋକମାନେ ଯାତାୟତ କରୁଛନ୍ତି। ପହଣା ଗାଁର ବିଦ୍ୟାଳୟ ସମେତ ଅନେକ ସ୍ଥାନରେ ବନ୍ୟାଜଳ ପ୍ରବେଶ କରିଛି। ଗାଁ ମାନଙ୍କରେ ବନ୍ୟାଜଳ ପ୍ରବେଶ କରିଥିବାରୁ ଅନେକ ପରିବାରଙ୍କର ଚୁଲି ଜଳିନି। ବିଶେଷକରି ବନ୍ୟା ଅଞ୍ଚଳରେ ପାନୀୟ ଜଳ ଅଭାବ ଯୋଗୁ ବିପନ୍ନମାନେ ବନ୍ୟାଜଳରେ ପାକ ପ୍ରସ୍ତୁତ କରୁଥିବାର ଦେଖିବାକୁ ମିଳିଛି। ଅନ୍ୟପଟେ ବନ୍ୟାଜଳ ଦୀର୍ଘ ୩/୪ଦିନ ଧରି ଏକରଏକର ସାରଦ ଚାଷରେ ଲହଡି ଭାଙ୍ଗୁଥିବାରୁ ଚଳିତବର୍ଷ ଚାଷ ସମ୍ପୁର୍ଣ୍ଣ ଉଜୁଡିଜିବ ବୋଲି ଆଶଙ୍କା ଦେଖାଦେଇଛି। ଯାହାକୁ ନେଇ ଶତାଧିକ ଚାଷୀ ଏବେ ଋଣ ପରିଶୋଧ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି।  ୪ଦିନ ହେଲା ଗୃହପାଳିତ ପଶୁ କ୍ଷେତକୁ ଯାଇ ନପାରି ଗୋଠରେ ବନ୍ଧା ହୋଇଥିଲେ ମଧ୍ୟ ଖାଦ୍ୟ ଅଭାବରୁ ଭୋକିଲା ହୋଇ ପଡିଛନ୍ତି। ହେଲେ ଏପ୍ରର୍ଯ୍ୟନ୍ତ କୈାଣସି ସରକାରୀ ସହାୟତା ମିଳି ନ ଥିବାରୁ ବିପନ୍ନଙ୍କ ଦୁର୍ଦ୍ଦଶା ବଢିଛି। ବନ୍ୟା ସର୍ମ୍ପକରେ ଆରଡି ଆର.ଆଇଙ୍କୁ ପଚାରିବାରୁ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ୟାଞ୍ଚଳର କ୍ଷେତ୍ର ପରିଦର୍ଶନ କରାଯାଇଛି।  ବନ୍ୟାକୁ ମୁକାବିଲା କରିବା ପାଇଁ ସରକାରୀ ବୋଟ, ଲାଇଫ୍‍ ଜାକେଟ ଓ ସମସ୍ତ ପ୍ରକାର ଆନୁସଂଗିକ ବ୍ୟବସ୍ଥା ରଖା ଯାଇଛି। ତାହାସହ ପ୍ରାଥମିକ ଭାବେ ବନ୍ୟାଞ୍ଚଳରେ ଗୋଖାଦ୍ୟ ଖୁବ୍‍ଶିଘ୍ର ପ୍ରଦାନ କରାଯିବା ପାଇଁ ତହସିଲି ପକ୍ଷରୁ ସୂଚନା ମିଳିଛି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories