‘ଫଣି’ ଓଡ଼ିଶା ମୁହାଁ; ସତର୍କତା ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ/ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଫଣି’ ଏବେ ଓଡ଼ିଶା ମୁହାଁଉଛି। ଏହାର ପ୍ରଭାବରେ ମେ ୧ରୁ ରାଜ୍ୟରେ ଝଡ଼ତୋଫାନ ଆରମ୍ଭ ହୋଇଯିବ। ୩ରୁ ୪ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହେବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନରେ ଏହି ସୂଚନା ଦିଆଯାଇଛି।
ଓଡ଼ିଶାର ୪ ଜିଲା ପ୍ରତି ଅଧିକ ବିପଦ ଆଶଙ୍କା କରାଯାଉଛି। ସେଗୁଡ଼ିକ ମଧ୍ୟରେ ଖୋର୍ଦ୍ଧା, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ପୁରୀ ରହିଛି। ସିଧାସଳଖ ବାତ୍ୟା ଦ୍ବାରା ଏହା ପ୍ରଭାବିତ ହେବା ଆଶଙ୍କା କରାଯାଉଛି। ‘ଫଣି’ ଗତ ୬ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୧୧କିମି ବେଗରେ ଗତି କରୁଛି। ବଙ୍ଗୋପସାଗରର ଦକ୍ଷିଣ ପୂର୍ବରେ, ଶ୍ରୀଲଙ୍କାର ତ୍ରିଙ୍କୋମାଲିଠାରୁ ୬୨୦କିମି ପୂର୍ବ ଉତ୍ତର ପୂର୍ବ, ଚେନ୍ନଇଠାରୁ ୮୪୦କିମି ପୂର୍ବ-ଦକ୍ଷିଣ ପୂର୍ବ ଏବଂ ଆନ୍ଧ୍ରପ୍ରଦେଶର ମଛଲିପଟନମଠାରୁ ୯୯୦ କିଲୋମିଟର ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଆଗାମୀ ୬ଘଣ୍ଟା ମଧ୍ୟରେ ଏହା ଭୟଙ୍କର ସାମୁଦ୍ରିକ ଝଡ଼ରେ ଏବଂ ପରବର୍ତ୍ତୀ ୨୪ଘଣ୍ଟାରେ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ମେ ୧ତାରିଖ ସୁଦ୍ଧା ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହା ପରେ ବାତ୍ୟା ଦିଗ ବଦଳାଇ କ୍ରମଶଃ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ।
ପାଣିପାଗ ବିଭାଗ ଆକଳନ ଅନୁସାରେ ଓଡ଼ିଶା ଉପକୂଳ ମୁହାଁଉଥିବା ଫଣି ଆସନ୍ତା ୩ ତାରିଖ ରାତିରେ ପୁରୀ ଜିଲାର ଚନ୍ଦ୍ରଭାଗାଠାରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଆସନ୍ତ ୩ତାରିଖ ରାତିରେ ବାତ୍ୟା ସ୍ଥଳଭାଗ ଛୁଇଁବା ସହିତ ପୁରୀ, ଜଗତସିଂହପୁର,
କେନ୍ଦ୍ରାପଡ଼ା, ଭଦ୍ରକ, ଓ ବାଲେଶ୍ବର ଜିଲାର ଉପକୂଳ ଅଞ୍ଚଳ ଦେଇ ଅତିକ୍ରମ କରିବ। ଏହାର ପ୍ରଭାବରେ ଏସବୁ ଜିଲାରେ ପ୍ରବଳ ବର୍ଷା ପବନର ଆଶଙ୍କା ରହିଛି। ଏବେ ଏହା କ୍ରମଶଃ ଉତ୍ତରପୂର୍ବ ଆଡ଼କୁ ମୁହାଁଉଛି। ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଲାଗି ଆଲର୍ଟ ଜାରି କରାଯାଇଛି। କେନ୍ଦ୍ର କ୍ୟାବିନେଟ୍‌ ସଚିବ ପି.କେ. ସିହ୍ନା ଉପରୋକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବମାନଙ୍କ ସହିତ ଆଜି ସନ୍ଧ୍ୟାରେ ଭିଡ଼ିଓ କନଫରେନ୍ସି ଜରିଆରେ ପରିସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି। ବାତ୍ୟା କି ରୂପ ନେଉଛି ତାହା ଉପରେ ତୀକ୍ଷ୍ଣ ନଜର ରଖିବାକୁ ଭାରତୀୟ ପାଣିପାଗ ବିଭାଗ ଓ ରାଜ୍ୟ ଜରୁରୀକାଳୀନ ଅପରେସନ୍‌ ସେଣ୍ଟର ଗୁଡିକୁ ଶ୍ରୀ ସିହ୍ନା ନିର୍ଦେଶ ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗ ଅଧିକାରୀଙ୍କ ସହ ଆଲୋଚନା ପରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ) ଓ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ)ସହ ବାୟୁସେନାକୁ ହେଲିକପ୍ଟର ସହିତ ହାଇଆଲର୍ଟରେ ରଖାଯାଇଛି। ପ୍ରଧାନମନ୍ତ୍ରୀ ପରିସ୍ଥିତି ଉପରେ ନଜର ରଖିବା ସହ ଏଥିନେଇ ସମସ୍ତ ପ୍ରକାର ଆଗୁଆ ପ୍ରସ୍ତୁତି କରିବା ଏବଂ ସମ୍ଭାବ୍ୟ ପ୍ରଭାବିତ ରାଜ୍ୟଙ୍କୁ ତୁରନ୍ତ ସହାୟତା ପ୍ରଦାନ ଲାଗି ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ୨ତାରିଖ ସୁଦ୍ଧା ବାତ୍ୟା ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ଥିବାରୁ ଏଥିପାଇଁ ସତର୍କ ରହିବାକୁ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶାର ଦକ୍ଷିଣ ଓ ଉପକୂଳ ଜିଲାର ଜିଲାପାଳଙ୍କୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। ଓଡ଼ିଶାର ଉପକୂଳ ଜିଲାଗୁଡ଼ିକରେ କ୍ଷୟକ୍ଷତି ଘଟିବାର ଆଶଙ୍କା ରହିଛି। ଏହାର ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟର ୪ଟି ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଦିଆଯାଇଛି। ଏସବୁ ଜିଲାଗୁଡ଼ିକ ହେଲା ଖୋର୍ଦ୍ଧା, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ପୁରୀ। ବାତ୍ୟା ପାଇଁ ସତର୍କ ରହିବା ଓ ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି।
ଏହାର ପ୍ରଭାବରେ ମେ ୨ରୁ ଓଡ଼ିଶାର ଦକ୍ଷିଣ ଉପକୂଳ ଓ ଆନ୍ଧ୍ରର ଉତ୍ତର ଉପକୂଳରେ କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ମେ ୩ରୁ ଊପକୂଳ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳର କେତେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ମେ ୩ରୁ ପଶ୍ଚିମବଙ୍ଗର ଉପକୂଳ ଜିଲାଗୁଡ଼ିକ ଭିତରୁ କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଆସନ୍ତାକାଲି ​‌େ​‌କରଳର ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଓ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ସମୟରେ ତାମିଲନାଡ଼ୁର ଉତ୍ତର ଉପକୂଳ ଓ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳରେ ସ୍ବଳ୍ପ ଓ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି।
ବାତ୍ୟା ପ୍ରଭାବରେ ମେ ୨ରେ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ୫୦ରୁ ୬୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ମେ ୩ ବେଳକୁ ପବନର ବେଗ ବୃଦ୍ଧି ପାଇ ୭୦କିମିରେ ପହଞ୍ଚିବ। ମେ ୧ରୁ ୩ ମଧ୍ୟରେ ଓଡ଼ିଶା, ତାମିଲନାଡ଼ୁ, ଦକ୍ଷିଣ ଓ ଉତ୍ତର ଅାନ୍ଧ୍ରପ୍ରଦେଶ ଓ ପୁଡ଼ୁଚେରୀର ସମୁଦ୍ର ଅଶାନ୍ତ ରହିବ। ତେଣୁ ଏହି ସମୟ ମଧ୍ୟରେ ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରିଦିଆଯାଇଛି। ଯେଉଁମାନେ ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇଛନ୍ତି ସେମା​‌େ​‌ନ ଯଥାଶୀଘ୍ର କୂଳକୁ ଫେରିଅାସିବା ପାଇଁ ପରାମର୍ଶ ଦିଆଯାଇଛି। ରାଜ୍ୟର ସବୁ ବନ୍ଦରରେ ଦୁଇ ନମ୍ବର ବିପଦସଙ୍କେତ ଜାରି କରାଯାଇଛି ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ରର ମୁଖ୍ୟ ସୂଚନା ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ଆଜି ସ୍ବତନ୍ତ୍ର ରିଲିଫ କମିଶନର, ପୁଲିସ ମହାନିର୍ଦେଶକ, ଏନଡ଼ିଆରଏଫ, ସ୍ଥଳସେନା, ନୌସେନା, ଓଡ଼୍ରାଫ, ଅଗ୍ନିସେବା ବିଭାଗ ମୁଖ୍ୟଙ୍କ ସମୀକ୍ଷା କରିବା ସହିତ ଦକ୍ଷିଣ ଓ ଉପକୂଳ ଜିଲାର ଜିଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦେଶ ଦେଇଛନ୍ତି।
ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି ଯେ ଏ ସମୟରେ ବାତ୍ୟା ଆସିବା ଏକ ବିଲକ୍ଷଣ। ତେବେ ସାମୁଦ୍ରିକ ଝଡ଼ ପ୍ରଭାବରେ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ଜିଲାଗୁଡ଼ିକ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟା ମୁକାବିଲା ନିମନ୍ତେ ୨୦ଟି ଓଡ଼୍ରାଫ ଟିମ, ଏନଡ଼ିଆରଏଫର ୧୨ଟି ୟୁନିଟ ଏବଂ ୩୩୫ ଫାୟାର ଷ୍ଟେସନ ୟୁନିଟକୁ ସଜାଗ ରଖାଯାଇଛି। ସବୁ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି।

Comments are closed.