www.samajalive.in
Tuesday, December 9, 2025
16.1 C
Bhubaneswar

ଫାଇଲିନ୍‍କୁ ୭ବର୍ଷ ବିତିବ : ଶତାଧିକ ପ୍ରପୀଡ଼ିତଙ୍କୁ ମିଳିନି ବାସଗୃହ

ଭୁବନେଶ୍ୱର :ଫାଇଲିନ୍‍ ଯିବାର ୭ବର୍ଷ ବିତିବାକୁ ବସିଲାଣି। ହେଲେ ଏପର୍ଯ୍ୟନ୍ତ ପୁରୀ ଜିଲାର ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକର ଶତାଧିକ ପ୍ରପୀଡ଼ିତଙ୍କୁ ଓଡ଼ିଆରପି ଯୋଜନାରେ ଆବାସ ଖଣ୍ଡିଏ ମିଳିପାରିଲା ନାହିଁ। ଏମିତିକି ପ୍ରପୀଡ଼ିତଙ୍କୁ ଆବାସ ଯୋଜନାରେ ସାମିଲ କରିବାପାଇଁ ହାଇକୋର୍ଟ, ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ଆଦେଶ ରହିଛି, ହେଲେ ସବୁ ଆଦେଶ କାଗଜକଲମରେ ସୀମିତ ରହିଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମଧ୍ୟ ଦରିଆ ମଝିରେ ଥିବା ଏହି ଅଞ୍ଚଳର ଅବହେଳିତଙ୍କ ପାଇଁ ଅପହଞ୍ଚ ହୋଇଛି ବୋଲି ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ ୨୦୧୩ ଅକ୍ଟୋବର ୧୨ରେ ଫାଇଲିନ୍‍ରେ ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମର ହଜାର ହଜାର ପରିବାରକୁ ବେସାହାରା କରିଦେଇଥିଲା। ସରକାରଙ୍କ ପକ୍ଷରୁ ସେତେବେଳେ ସର୍ଭେ କରାଯାଇଥିଲା ଯେ ଏହି ତିନୋଟି ଜିଲାରେ ପ୍ରାୟ ୩୦ହଜାର ପରିବାର ପ୍ରପୀଡ଼ିତ ଥିବା ଜଣାଯାଇଥିଲା। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଓ ଖୋର୍ଦ୍ଧା ଜିଲାରେ ୧୪ହଜାର ପରିବାରକୁ ଓଡ଼ିଆରପି ଯୋଜନାରେ ବାସଗୃହ ଯୋଗାଇ ଦିଆଯାଇଛି। ହେଲେ ସବୁଠାରୁ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲାର ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକର ୧୪ହଜାରରୁ ଊର୍ଦ୍ଧ୍ବ ପରିବାରକୁ ସମ୍ପୂର୍ଣ୍ଣ ଭାବେ ଏପର୍ଯ୍ୟନ୍ତ ଆବାସ ଖଣ୍ଡିଏ ମିଳିପାରି ନାହିଁ। ଏମିତିକି ସରକାରଙ୍କ ପକ୍ଷରୁ ପୁନଶ୍ଚ ସର୍ଭେ କରାଯାଇ ୪୮୩୨ ପରିବାରକୁ ସମ୍ପୂର୍ଣ୍ଣ ଘର ଭଙ୍ଗା(ଫୁଲ କୋଲାପ୍ସ)ବାବାଦ ସହାୟତା ଟଙ୍କା ମିଳିଛି। ହେଲେ ସେଥିମଧ୍ୟରୁ ଏପର୍ଯ୍ୟନ୍ତ ମାତ୍ର ୩୦୪୬ଜଣଙ୍କୁ ଓଡ଼ିଆରପି ଯୋଜନାରେ ସାମିଲ କରାଯାଇଛି। ମାତ୍ର ଅନ୍ୟ ହିତାଧିକାରୀମାନେ ଏପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇ ନଥିବାରୁ ଖଣ୍ଡିଆ ପଲିଥିନ ତଳେ ଜୀବନ ବିତାଉଥିବା ଇଂ. ଟୁନା ସ୍ୱାଇଁ ଅଭିଯୋଗ କରିଛନ୍ତି।

- Advertisement -

ଶ୍ରୀ ସ୍ୱାଇଁଙ୍କ ଅଭିଯୋଗ ହେଲା ଯେ ତତ୍କାଳୀନ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ୨୦୧୮ ଏପ୍ରିଲରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଷ୍ପତି ହୋଇଥିଲା ଯେ ଯେଉଁମାନଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଛି ଏବଂ ସେମାନେ ଯଦି ପୂର୍ବରୁ ମୋ-କୁଡ଼ିଆ କିମ୍ବା ଇନ୍ଦିରା ଆବାସରେ ସାମିଲ ହୋଇ ଅଗ୍ରିମ ନେଇଛନ୍ତି, ଉକ୍ତ ଅର୍ଥ ଫେରାଇଲେ ଓଡ଼ିଆରପି ଯୋଜନାରେ ସାମିଲ କରାଯିବ। ଏଥିପାଇଁ ଏସଆରସି ପକ୍ଷରୁ ୧୬୫୨.୭୮୮ଲକ୍ଷ ଟଙ୍କା ମଂଜୁର ହୋଇଥିଲା, ଅବଶିଷ୍ଟ ଟଙ୍କା ବିଶ୍ୱବ୍ୟାଙ୍କ ପ୍ରଦାନ କରିଥାନ୍ତା। ହେଲେ ଓସଡ଼ମା ଏବଂ ପୁରୀ ଜିଲାପାଳଙ୍କ ମଧ୍ୟରେ ଟାଳଟୂଳ ନୀତି ଅବଲମ୍ବନ ହେଉଥିବାରୁ ଏପର୍ଯ୍ୟନ୍ତ ହିତାଧିକାରୀମାନେ ଘର ପାଇ ପାରୁନାହାନ୍ତି।

ଏନେଇ ହାଇକୋର୍ଟଙ୍କ ପକ୍ଷରୁ ୨୦୧୮ ଡିସେମ୍ବରରେ ରାଜ୍ୟ ସରକାରଙ୍କୁ ମଧ୍ୟ ଏକ ନିର୍ଦେଶନାମା ଆସିଛି। ଏହାକୁ ନେଇ ଓସଡ଼ମା ପକ୍ଷରୁ ସଂପୃକ୍ତ ହିତାଧିକାରୀଙ୍କୁ ଚିଠି ମଧ୍ୟ ଲେଖାଯାଇଛି। ହେଲେ ବାସ୍ତବରେ କାହିଁକି ଏପର୍ଯ୍ୟନ୍ତ ଓଡ଼ିଆରପି ଯୋଜନା କୃଷ୍ଣପ୍ରସାଦରେ କାର୍ଯ୍ୟକାରୀ ହୋଇପାରୁ ନାହିଁ ତାହା ବୁଝା ପଡୁନାହିଁ ବୋଲି ଶ୍ରୀ ସ୍ୱାଇଁ କହିିଛନ୍ତି। ଏନେଇ ପୁରୀ ଜିଲାପାଳ, ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଏବଂ ବିଧାନସଭା ସମ୍ମୁଖରେ ବାରମ୍ବାର ଦାବି ଓ ଅନଶନ କରାଯାଇଛି। ହେଲେ କୌଣସି ସୁଫଳ ମିଳୁନାହିଁ। ପ୍ରପୀଡ଼ିତମାନେ ଏବେ ବି ଖଣ୍ଡିଆ ପଲିଥିନ ତଳେ ବାସ କରୁଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ ପାଇଁ ସବୁ ଯୋଜନା କରୁଛନ୍ତି ହେଲେ କ’ଣ ପାଇଁ ଏଠାକାର ଲୋକଙ୍କୁ ମିଳୁନାହିଁ ତାହା ବୁଝାପଡୁନାହିଁ। ଯଦି ଓସଡ଼ମା କର୍ତୃପକ୍ଷ ତୁରନ୍ତ ଏଥିିପ୍ରତି ଦୃଷ୍ଟି ନଦିଅନ୍ତି ତେବେ ଶତାଧିକ ପରିବାର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories