ବେଙ୍ଗାଲୁରୁ: କରୋନା ଭୂତାଣୁର ମୁକାବିଲା ପାଇଁ ଦେଶରେ ଲକଡାଉନ ଚାଲିଥିବାବେଳେ କର୍ଣ୍ଣାଟକରେ ଏକ ହାଇପ୍ରୋଫାଇଲ ବିବାହ ଅନୁଷ୍ଠିତ ହୋଇଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀଙ୍କ ପୁଅ ନିଖିଲ କୁମାରସ୍ବାମୀ ଶୁକ୍ରବାର କଂଗ୍ରେସର ପୂର୍ବତନ ମନ୍ତ୍ରୀ ଏମ. କ୍ରିଷ୍ଣାପାଙ୍କ ବଡ଼ ଭାଣିଜୀ ରେବତୀଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏକ ହାଇପ୍ରୋଫାଇଲ ଘରେ ବିବାହ ହୋଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ନିରାଡ଼ମ୍ବରପୂର୍ଣ୍ଣ ଥିବା କୁହାଯାଉଛି।
ତେବେ ଲକଡାଉନ ଯୋଗୁ କେନ୍ଦ୍ର ସରକାର କେତେକ ଗାଇଡଲାଇନ ଜାରି କରିଛନ୍ତି। ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକ ଏକତ୍ର ନ ହେବା ଏବଂ କୌଣସି ଅନ୍ତିମ ସଂସ୍କାରରେ ୨୦ରୁ ଅଧିକ ଲୋକଙ୍କର ସମାବେଶ ହୋଇପାରିବ ନାହିଁ ବୋଲି ନିର୍ଦେଶ ରହିଛି। କିନ୍ତୁ ଶୁକ୍ରବାର କର୍ଣ୍ଣାଟକରେ ହୋଇଥିବା ଏହି ବିବାହକୁ ନେଇ ବିଭିନ୍ନ ମହଲରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିବାହ ଉତ୍ସବ ସ୍ଥଳରେ ଏକାଧିକ ବ୍ୟକ୍ତି ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଏହି ବିବାହକୁ ନେଇ ପୂର୍ବରୁ ବିଭିନ୍ନ ମହଲରେ ଆଲୋଚନା ହେବା ପରେ ଏହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବ୍ୟାପାର ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀ କହିଥିଲେ।



