ଭୁବନେଶ୍ୱର : ରାଜ୍ୟରେ ଯୁକ୍ତ ୩ ପାଠ୍ୟକ୍ରମରେ ‘ବିପର୍ଯ୍ୟୟ ପରିଚାଳନା’ ସାମିଲ ହେବ ଏବଂ ଏହା ବାଧ୍ୟତାମୂଳକ ବିଷୟ ହେବ। ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିବା ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।
ରାଜ୍ୟରେ ଉଚ୍ଚଶିକ୍ଷାକୁ ବିଶ୍ୱସ୍ତରୀୟ କରି ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ କରି ଗଢି ତୋଳିବା ପାଇଁ ନିରନ୍ତର ପ୍ରୟାସର ଆବଶ୍ୟକତା ରହିଛି। ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବିଭିନ୍ନ ସଂସ୍କାର ଓ ଗଠନ ମୂଳକ କାର୍ଯ୍ୟକ୍ରମ ଗ୍ରହଣ କରି ଉଚ୍ଚଶିକ୍ଷାର ବିକାଶ ଦିଗରେ ମହତ୍ୱପୂର୍ଣ୍ଣ ଯୋଗଦାନ କରିଛି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହଛନ୍ତି।
ଶୁକ୍ରବାର ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟର ଠାରେ ଆୟୋଜିତ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଚତୁର୍ଥ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ସାହୁ କହିଲେ ଉଚ୍ଚଶିକ୍ଷା ପରିଷଦ ଦ୍ୱାରା ରାଜ୍ୟରେ ମଡେଲ ସିଲାବସ୍ ପ୍ରଚଳନ ସହିତ ପରୀକ୍ଷାରେ ସଂସ୍କାର ଆଣିବା ଉଲ୍ଲେଖନୀୟ ପଦକ୍ଷେପ। ଏଥିସହିତ ଏକକ ପିଜି ପ୍ରବେଶିକା ପରୀକ୍ଷା କରାଯାଇ ପିଜି ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ନାମଲେଖା କୋଭିଡ ମହାମାରୀ ସମୟରେ ଏକ ବଡ ଉପଲବ୍ଧ ଥିଲା। ପରୀକ୍ଷା ପରିଚାଳନାରେ ସଂସ୍କାର ସହିତ ପ୍ରଶ୍ନବ୍ୟାଙ୍କ ପ୍ରସ୍ତୁତି ଛାତ୍ରଛାତ୍ରୀ ତଥା ଅଧ୍ୟାପକ ମାନଙ୍କ ପରୀକ୍ଷା ପ୍ରସ୍ତୁତିରେ ସହାୟକ ହେବ ବୋଲି ମନ୍ତ୍ରୀ ଡଃ ସାହୁ କହିଥିଲେ।
ଏଥି ସହିତ ଉଚ୍ଚଶିକ୍ଷା କ୍ଷେତ୍ରରେ ଗବେଷଣାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ “ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଓ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା”କୁ କାର୍ଯ୍ୟାକାରୀ କରିବା ଦିଗରେ ଉଚ୍ଚଶିକ୍ଷା ପରିଷଦର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଏହି ଯୋଜନାରେ ସମ୍ପ୍ରତି ଦୁଇଟି ବ୍ୟାଚର ୭୭ ଜଣ ଯୁବ ଅଧ୍ୟାପକ ଓ ୩୦ ଜଣ ରିସର୍ଚ୍ଚ ଫେଲୋ କାର୍ଯ୍ୟ କରୁଛନ୍ତି। ଯୋଜନାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଯୁବ ଅଧ୍ୟାପକ/ଅଧ୍ୟାପିକା ମାନଙ୍କୁ ଗବେଷଣା ନିମନ୍ତେ ଦୁଇ ବର୍ଷ ନିମନ୍ତେ ୫ ଲକ୍ଷ ଟଙ୍କା ସିଡ ଫଣ୍ଡ ପ୍ରଦାନ ଓ ଏନଇଟିରେ ଚୟନ ହୋଇଥିବା ଓ ରାଜ୍ୟ ବିଶ୍ୱବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନରେ ପୂର୍ଣ୍ଣକାଳୀନ ଗବେଷଣାରତ ଛାତ୍ରଛାତ୍ରୀଙ୍କ ପିଏଚଡି ନିମନ୍ତେ ମାସିକ ୧୫ ହଜାର ଟଙ୍କା ୪ ବର୍ଷ ନିମନ୍ତେ ପ୍ରଦାନ କରାଯାଉଛି ବୋଲି ଡଃ ସାହୁ କହିଥିଲେ।
ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କହିଲେ ପରିବର୍ତିତ ପାଠ୍ୟକ୍ରମ ଅନୁଯାୟୀ ଅଧ୍ୟାପକମାନଙ୍କୁ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଛି। ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ କହିଲେ ଉଚ୍ଚଶିକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ପରିଷଦକୁ ଅଧିକ ସୁଦୃଢ ଓ କ୍ରିୟାଶୀଳ କରାଯାଇଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପ୍ରଚଳିତ ପାଠ୍ୟସୂଚୀରେ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ବିଷୟକୁ ସାମିଲ କରିବା ପାଇଁ ଓଡ଼ିଶା ସରକାରଙ୍କ କ୍ୟାବିନେଟ ବୈଠକ ନିଷ୍ପତି ଅନୁଯାୟୀ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଦ୍ୱାରା ସ୍ନାତକ ସ୍ତରରେ “ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା” ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଏହାକୁ ଆଜି ଆନୁଷ୍ଠାନିକ ଭାବେ ସ୍ନାତକ ସ୍ତରରେ ପ୍ରଚଳନ କରାଯାଇଛି। ଏହି ପରିବର୍ତିତ ସିଲାବସ୍ଟି ଏକ ବାଧ୍ୟତା ମୂଳକ ପାଠ୍ୟକ୍ରମ ଯାହାକି କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଯୁକ୍ତ ୩ର ପ୍ରଥମ ବର୍ଷ ପ୍ରଥମ ସେମିଷ୍ଟାରରେ ପଢ଼ାଯିବ। ଏହି ପାଠ୍ୟକ୍ରମ ବାଧ୍ୟତାମୂଳକ ବିଷୟ ଭାବେ ପ୍ରଚଳନ କରିବା ଦ୍ୱାରା ରାଜ୍ୟର ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା କ୍ଷେତ୍ର ଅଧିକ ମଜ୍ବୁତ୍ ହେବ ଏବଂ ରାଜ୍ୟର ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା କ୍ଷେତ୍ରରେ ଅଧିକ ଜ୍ଞାନ ଅର୍ଜନ କରିବାରେ ଓ ଦକ୍ଷତାର ସହିତ ମୁକାବିଲା କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ ଡଃ ସାହୁ କହିଥିଲେ। ବୈଠକରେ ପରିଷଦର ସମସ୍ତ ସଭ୍ୟ ଏବଂ କୁଳପତିମାନେ ଯୋଗଦାନ କରିଥିଲେ।
ଯୁକ୍ତ ୩ ପାଠ୍ୟକ୍ରମରେ ସାମିଲ ହେବ ବିପର୍ଯ୍ୟୟ ପରିଚାଳନା
Popular Categories



