କରୋନା କଷଣ: ଇଞ୍ଜିନିଅରିଂ କ୍ଷେତ୍ର ସବୁଠାରୁ ପ୍ରଭାବିତ ; ୭୨% ଖୋଜୁଛନ୍ତି ଚାକିରି

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ କରୋନା ଦେଖାଇଛି ତାହାର ଭୟଙ୍କର ରୂପ । ଲୋକଙ୍କ ଜୀବନ ଯାଇଛି, ଜୀବିକା ବି ଯାଇଛି । ଭୟ ସାଙ୍ଗକୁ ଭୋକ ଲୋକଙ୍କ ଜୀବନକୁ ଦୁର୍ବିସହ କରି ପକାଇଛି । ୟୁରୋପୀୟ ଦେଶ ସମୂହ ଓ ଆମେରିକାରେ ସ୍ଥିତି ଅତ୍ୟନ୍ତ ଜଟିଳ । ଭାରତ ବି ଏଥିରୁ ବାଦ ପଡ଼ିନାହିଁ । କୋଟି କୋଟି ଲୋକଙ୍କ ଦାନାପାଣି ଉପରେ ପ୍ରଭାବ ପକାଇଛି କରୋନା । କେବଳ ନିମ୍ନବର୍ଗ ନୁହେଁ, ଉଚ୍ଚ ବର୍ଗର କର୍ମଜୀବୀ ମଧ୍ୟ କରୋନା ମାଡ଼ରୁ ବର୍ତି ପାରି ନାହାନ୍ତି । ବର୍ତମାନ ସ୍ଥିତିରେ ଦେଶରେ ନିଯୁକ୍ତି ସଙ୍କଟଜନକ ସ୍ଥିତିରେ ଗତି କରୁଛି । ଏପରିକି ୭୨% ଇଞ୍ଜିନିଅରିଂ ବୃତ୍ତିଧାରୀ ନୂଆ ନିଯୁକ୍ତି ଖୋଜୁଛନ୍ତି ବୋଲି  ବ୍ରିଜ ଲାବ୍ସ ସଲ୍ୟୁସନ ଏଲ୍ଏଲପି ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି । ସାରା ଦେଶର ପ୍ରାୟ ଦେଢ଼ ହଜାର ବୈଷୟିକ ବୃତ୍ତିଧାରୀଙ୍କୁ ନେଇ କରାଯାଇଥିବା ଏହି ସର୍ଭେରୁ କିଛିଟା ଚମକପ୍ରଦ ଓ କଷ୍ଟକର ତଥ୍ୟ ଆଲୋକକୁ ଆସିଛି ।

– ସର୍ବେକ୍ଷଣ ଅନୁସାରେ ୭୧.୯୫% ବୃତ୍ତିଧାରୀ ଯୁବକଯୁବତୀଙ୍କୁ ଘାରିଛି ନିଯୁକ୍ତି ଚିନ୍ତା । ସେମାନେ ନୂଆ ନିଯୁକ୍ତି ସନ୍ଧାନରେ ଅଛନ୍ତି ।

– ଦେଶର ଦୁର୍ବଳ ଆର୍ଥନୀତିକ ସ୍ଥିତି ଇଞ୍ଜିନିଅରିଂ ବୃତ୍ତିଧାରୀଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନ ହୋଇଛି । ୭୬.୮୯% ବୃତ୍ତିଧାରୀ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି ।

– ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରୁଥିବା ୨୪.୯୨% ଇଞ୍ଜିନିୟର ସେମାନଙ୍କର ବର୍ତମାନର ଚାକିରି ବଦଳାଇବାକୁ ଯାଉଛନ୍ତି ।  କରୋନା ସଙ୍କଟ ସେମାନଙ୍କ ବୃତ୍ତିକୁ ପ୍ରଭାବିତ କରିଛି ।

-୧୫.୫୩% ଇଞ୍ଜିନିଅରିଂ ସ୍ନାତକ  ବର୍ତମାନ କାର୍ଯ୍ୟକରୁଥିବା ସ୍ଥାନରେ ଯେନତେନ ପ୍ରକାରେ ରହିବାକୁ ଚାହୁଁଛନ୍ତି । ଅନ୍ୟସ୍ଥାନରେ ସେମାନଙ୍କ ପାଇଁ ଉପଯୁକ୍ତ ସ୍ଥାନ ନ ଥିବା ସେମାନେ ବିଚାର କରୁଛନ୍ତି ।

-ସମାନ ପରିମାଣର ଇଞ୍ଜିନିଅରିଂ ବୃତ୍ତିଧାରୀ (ଯୁବକ ଓ ଯୁବତୀ) ଲକ୍ ଡ଼ାଉନ ସେମାନଙ୍କ ବୃତ୍ତି ଓ ଜ୍ଞାନକୁ ପ୍ରଭାବିତ କରିଛି ବୋଲି କହିଛନ୍ତି । କରୋନା ବିଭିନ୍ନ କମ୍ପାନୀରେ ବୃତ୍ତିଧାରୀଙ୍କ ମଧ୍ୟରେ ଦକ୍ଷତା ଦୂରତ୍ବ ସୃଷ୍ଟି କରିଛି ବୋଲି ମତ ଦେଇଛନ୍ତି ।

ଏହି ସର୍ଭେକୁ ନେଇ ବ୍ରିଜ୍ ଲ୍ୟାବ୍ସର ପ୍ରତିଷ୍ଠାତା ନାରାୟଣ ମହାଦେବନ କହିଛନ୍ତି ଯେ ନିଯୁକ୍ତି କ୍ଷେତ୍ରରେ କରୋନା ମହାମାରୀ ଏକ ଗୁରୁତର ପ୍ରଭାବ ପକାଇଛି । ଉଭୟ ନୂତନ ବୈଷୟିକ ସ୍ନାତକ ଓ ସ୍ନାତକୋତ୍ତର ପାସ୍ଆଉଟ୍ ଏବଂ ପୁରୁଖା ବୃତ୍ତିଧାରୀ ସମାନ ସମ୍ମୁଖୀନ ହୋଇଛନ୍ତି । ବର୍ତମାନ ବଜାର ଓ ଶିଳ୍ପର ସ୍ଥିତିକୁ ଦେଖିଲେ ନିକଟ ଭବିଷ୍ୟତରେ ଏହା ଏକ ଗୁରୁତର ସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି । ତେବେ ସବୁଠାରୁ ଆଶ୍ବସ୍ତିର ବିଷୟ ହେଉଛି ଲକ୍ ଡ଼ାଉନ ଜନିତ ପରିସ୍ଥିତି ଯୋଗୁଁ ପ୍ରତିଯୋଗିତା ମନୋଭାବ ସମ୍ପନ୍ନ ଯୁବପିଢ଼ି ଓ ବୃତ୍ତିଧାରୀଙ୍କ ପାଇଁ ଜ୍ଞାନ ଆହରଣର ବଡ଼ ସୁଯୋଗ ସୃଷ୍ଟି କରିଛି । ଏହା ହିଁ ଭବିଷ୍ୟତରେ ସେମାନଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହୋଇପାରେ ବୋଲି ନାରାୟଣ ମହାଦେବନ କହିଛନ୍ତି ।

Comments are closed.