www.samajalive.in
Tuesday, December 9, 2025
17.1 C
Bhubaneswar

ପାଇଖାନା ନିର୍ମାଣ ନାଁରେ ୨୦୦ କୋଟିର ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ନବରଙ୍ଗପୁର : ନବରଙ୍ଗପୁର ଜିଲାରେ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ବ୍ୟକ୍ତିଗତ ପାଇଖାନା ନିର୍ମାଣ ନହୋଇ ଓ ଅର୍ଦ୍ଧ ନିର୍ମିତ ପାଇଖାନା କରି ୨୦୦ କୋଟି ଟଙ୍କା ଆତ୍ମସାତ ହୋଇଛି ବୋଲି ଜିଲା କଂଗେସ କମିଟି ପକ୍ଷରୁ ଗୁରୁତର ଅଭିଯୋଗ କରାଯାଇଛି। ଜିଲା କଂଗ୍ରେସ ପକ୍ଷରୁ ଝରିଗାଁ ବ୍ଲକର ହୋଇଥିବା ପାଇଖାନା ଦୁର୍ନୀତି ନେଇ ବିଡିଓ ଓ କନିଷ୍ଠଯନ୍ତ୍ରୀ ମାନଙ୍କୁ ସିଧାସଳଖ ଟାର୍ଗେଟ କରିଛି। ଏହି ଅଭିଯୋଗର ୩୩ ଦିନ ବିତିଯାଇଛି। ଏହାର ତଦନ୍ତ ହୋଇଥିଲେ ହେଁ ଏହି ଦୁର୍ନୀତିରେ ସଂପୃକ୍ତ ବିଡିଓ ଓ କନିଷ୍ଠଯନ୍ତ୍ରୀଙ୍କର ବିରୋଧରେ ଜିଲା  ପ୍ରଶାସନ ତଥା ରାଜ୍ୟ ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ ବୋଲି  ରବିବାରଦିନ କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କିମଟିର  କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ପ୍ରଶ୍ନ ଉଠାଇଛନ୍ତି। ସେମାନେ ବିଡିଓଙ୍କୁ ନିଲମ୍ବିତ କରିବା ସହ ଗିରଫ ଦାବି କରିଛନ୍ତି। ଏବେ ବିଡିଓ  ଅଫିସ ଚେୟାରରେ ଆରାମରେ ବସିଥିବା ବେଳେ କନିଷ୍ଠଯନ୍ତ୍ରୀ ମାନେ ପାଇଖାନା ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି। ବାହ୍ୟମଳମୁକ୍ତ ଜିଲା ଭାବେ ନବରଙ୍ଗପୁର କେନ୍ଦ୍ରରକାରଙ୍କ ଠାରୁ ଆୱାର୍ଡ ପାଇଛି। ଦୁର୍ନୀତି ଜଳଜଳ ଦିଶୁଥିବା ବେଳେ ପାଇଖାନା ନ ହୋଇ କିଭଳି ବାହ୍ୟ ମଳମୁକ୍ତ ଗାଁ ବୋଲି ସରକାର ଘୋଷଣା କରିଛନ୍ତି ତାହା ହାସ୍ୟଷ୍ପଦ ହୋଇଛି। ଜିଲାରେ ମୋଟ ୨ ଲକ୍ଷ ୬୯ ହଜାର ୮୬୨ଟି ବ୍ୟକ୍ତିଗତ ପାଇଖାନା ନିର୍ମାଣ ବାବଦକୁ ୩୨୩ କୋଟି ୮୩ ଲକ୍ଷ ୪୪ ହଜାରଟଙ୍କା ଖର୍ଚ୍ଚ ହୋଇଛି। ଏନେଇ କେନ୍ଦ୍ର ସରକାର ୨୦୦କୋଟି ୪୯ ଲକ୍ଷ ୬୫ ହଜାରଟଙ୍କା ପ୍ରଦାନ କରିଥିବାବେଳେ ରାଜ୍ୟ ସରକାର ୧୨୧ କୋଟି ୪୩ ଲକ୍ଷ ୭୯ ହଜାରଟଙ୍କା ଦେଇଛନ୍ତି। ନବରଙ୍ଗପୁର ଜିଲାରେ ପାଇଖାନା ନିର୍ମାଣ ନାଁରେ ୨୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି। ଝରିଗାଁ ବ୍ଲକରେ ୩୧ ହଜାର ୨୧୨ ପାଇଖାନା ନିର୍ମାଣ ପାଇଁ ୩୭ କୋଟି ୪୫ ଲକ୍ଷ ୪୪ ହଜାରଟଙ୍କା ଖର୍ଚ୍ଚ ହୋଇଥିବା ତଥ୍ୟ ପ୍ରଦାନ କରାଯାଇଛି। ପାଇଖାନା ନିର୍ମାଣ ପାଇଁ ଟାର୍ଗେଟ ପୂରଣ ନାଁରେ ୬୧ଟି ଭେଣ୍ଡର ମାନଙ୍କୁ ଦିଆଯାଇଥିଲା। ବ୍ୟକ୍ତିଗତ ପାଇଖାନା ନିର୍ମାଣ ଯେଉଁ ହିତାଧିକାରୀ ନିଜେ କରିଛି ତାହା ଠିକ ରହିଛି। ମାଟି ଇଟା ବ୍ୟବହାର ନକରି ଭେଣ୍ଡରମାନେ ଛତିଗଡରୁ ଏଲ.ଡବ୍ଲୁ.ବି (ହାଲୁକା ଇଟା) ବ୍ୟବହାର କରିଛନ୍ତି। ସିମେଣ୍ଟ ପରିବର୍ତ୍ତେ ଅଠା ଦିଆଯାଇ ପାଇଖାନା ନିର୍ମାଣ କରାଯାଇଛି। ଯାହାକି ଗୋଟିଏ ବର୍ଷରେ ଧୋଇ ହୋଇ ଭାଙ୍ଗିଗଲାଣି। ଅନ୍ୟ ପକ୍ଷେ ଅନେକ ପାଇଖାନାର ଟାଙ୍କି ନାହିଁ। ଗୋଟିଏ ପାଇଖାନା ପାଇଁ ଦୁଇଟି ଟାଙ୍ଗି କରାଯିବା ନିୟମ ରହିଛି। ତହା ମଧ୍ୟ ହୋଇ ନାହିଁ। ଗୋଟିଏ ଗୋଟିଏ ଭେଣ୍ଡରଙ୍କ ପାଇଖାନା ବାବଦକୁ ଥରେ ବିଲ କରାଯିବା ପାଇଁ ୨ ଲକ୍ଷ ୫୦ ହଜାରଟଙ୍କା ଲେଖାଏବିଡିଓ ନେଇଥିବା ପୂର୍ବତନ ସାଂସଦ ଶ୍ରୀମାଝୀ ଅଭିଯୋଗ ଆଣିଛନ୍ତି  । ଏଯାଏଁ ଝରିଗାଁ ବ୍ଲକରେ ୯୦ ପ୍ରତିଶତ ପାଇଖାନା ଟାଙ୍କି ନ ଥାଇ ଅର୍ଦ୍ଧ ନିର୍ମିତ ହୋଇ ରହିଛି। ସୂଚନା ଅଧିକାର ମାଧ୍ୟମରେ ୯ ଜଣ ଏସମ୍ପର୍କରେ ତଥ୍ୟ ମାଗିଥିଲେ ମଧ୍ୟ କାହାରିକୁ ଦିଆଯାଇନାହିଁ। ପୂର୍ବତନ ନଗର ସଭାପତି ଉତ୍ତମ ତ୍ରିପାଠୀ ଜିଲା ଗ୍ରାମ୍ୟ ଜଳ ସୋଗାଣ ଓ ପରିମଳ ବିଭାଗକୁ ଏନେଇ ଆରଟିଆଇ ମାଧ୍ୟମରେ ତଥ୍ୟ ମାଗିଥିଲେ ମଧ୍ୟ ଦିଆଯାଇନାହିଁ । ଏହି ବିଭାଗ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟକୁ ଆବେଦନ ପତ୍ରକୁ ପଠାଇ ଦେଇଥିଲେ। ଏହି ଦୁର୍ନୀତି ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ଏହି ସମୟରେ ୫୫ ଜଣ ଭେଣ୍ଡେର ଓ କନିଷ୍ଠ ଯନ୍ତ୍ରୀଙ୍କ ଦେଖା ମିଳୁନାହିଁ। ଏବେ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି। ଏବେ ସାରା ଜିଲାରେ ପାଇଖାନା ନିର୍ମାଣ ନାଁରେ ଯେଉଁ ଦୁର୍ନୀତି ହୋଇଛି ତାହାକୁ ନେଇ କଂଗ୍ରେସର  କର୍ମକର୍ତ୍ତା ଓ କର୍ମୀ ମାନଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଆରମ୍ଭ କରିବ। ଦୁର୍ନୀତି ବିରୋଧରେ ଲଢେଇ ଜୋରଦାର କରାଯିବ। ଗୋଟିଏ ଗାଁକୁ ଦିଆଯାଇଥିବା ପାଇଖାନା ନିର୍ମାଣ ଟାର୍ଗେଟ ଅନ୍ୟ ଗାଁରେ ହୋଇଥିବାଦେଖାଇ ଦିଆଯାଇଛି। ବାସ୍ତବରେ ପାଇଖାନା ହିତାଧିକାରୀଙ୍କ ନାମରେ ନାହିଁ। ପାଇଖାନା ନିର୍ମାଣ ପାଇଁ ପ୍ରଥମେ ପଞ୍ଚୟତ ନିର୍ବାହୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ତାହା ଅନୁମୋଦନ କରାଯିବା ପରେ ପାଇଖାନା କାର୍ଯ୍ୟ ଆରମ୍ଭ ହୋଇଥାଏ। ଜିଓ ଟେଗିଂ ପରେ ହିତାଧିକାରୀଙ୍କୁ ନାମରେ ବିଲ ହୋଇଥାଏ। ଭେଣ୍ଡରମାନଙ୍କୁ ନିର୍ମାଣ କରାଯିବାକୁ ବିଡିଓ ଅନୁମତି ଦେବା ପରେ ଭେଣ୍ଡରମାନେ ପାଇଖାନା ନିର୍ମାଣ କାର୍ଯ୍ୟ କରିଥିଲେ। ସରକାରୀ ଅର୍ଥର ତତ୍ୱାବଧାରକ ବିଡିଓ ହୋଇଥିବାବେଳେ ପାଇଖାନା ନିର୍ମାଣ ନ ହୋଇ ଅର୍ଥ ଆତ୍ମସାତ କରଯାଇଥିବାରୁ ବିଡିଓଙ୍କୁ ଗିରଫ କରାଯିବାକୁ ଦାବି କରିଛନ୍ତି। ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଅର୍ଥ ଯୋଗାଇ ଦିଆଯାଇଛି।  ଏଥିପାଇଁ ଜିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ମଧ୍ୟ ସମ ପରିମାଣରେ ଦାୟି ରହିଛି। ଏହି ବିଭାଗ ଅଧିନରେ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକରୁଥିବା ବେଳେ ତାହାର ଜିଲା ଅଧିକାରୀ ଓ ଯନ୍ତ୍ରୀ ମଧ୍ୟ ଏହି ଦୁର୍ନୀତିରେ  ସାମିଲ ରହିଥିବା ପୂର୍ବତନ ସାଂସଦ ଶ୍ରୀ ମାଝୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମଳନୀରେ ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ସଦନ ନାୟକ, ନଗର ସଭାପତି ଉତ୍ତମ ତ୍ରିପାଠୀ, ସୁବାସ ଚନ୍ଦ୍ର ସୁର, ଯୁବ କଂଗ୍ରେସ ସଭାପତି ଅଖିଳ ଭତରା, ଯୁବ କଂଗ୍ରେସ ରାଜ୍ୟ ସମ୍ପାଦକ ଦ୍ୱାରିକା ମହାପାତ୍ର, ପୂର୍ବତନ ଜିଲା କଂଗ୍ରେସ ସଭାପତି ପ୍ରଦୀପ ସାହୁ, ପିସିସି ସଭ୍ୟ ଦିଲ୍ଲୀପ ବେହେରା, ଭୀମ ହରିଜନ, ଯୁବ ନେତା କୁନା ପାଢୀ, ବୃନ୍ଦାବନ ତ୍ରିପାଠୀ, ବାସୁଦେବ ପଟ୍ଟନାୟକ ଓ ଲିଗାଲ ସେଲ ସଭାପତି ଆଇନଜୀବୀ ରାମ ପ୍ରସାନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଜିଲା ପ୍ରଶାସନ ପଦକ୍ଷେପ ନ ନେଲେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରାଯିବ ବୋଲି ଜିଲା କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories