www.samajalive.in
Saturday, December 6, 2025
26.1 C
Bhubaneswar

ଲୋକଶକ୍ତିର ପ୍ରୟୋଗ ଓ ପ୍ରଭାବ

ଲୋକତାନ୍ତ୍ରିକ ବ୍ୟବସ୍ଥାରେ ପରିଚାଳିତ ରାଜ୍ୟ ବା ଦେଶର ବିକାଶ ସମ୍ଭବ ହେବ ନାହିଁ, କେବଳ କଳ-ବଳ-କୌଶଳ ବା ଛଳ ବଚନରେ କିଛି ଭୋଟ ସଂଗ୍ରହ କରି ପ୍ରଚାରସର୍ବସ୍ୱ ନିଜର କ୍ଷମତା ପ୍ରଦର୍ଶନ ଦ୍ୱାରା; ଏହା ସମ୍ଭବ ହେବ ସାଧାରଣ ଲୋକଙ୍କର ସହଭାଗିତା ଏବଂ କ୍ଷମତାକୁ ନିରନ୍ତର ପ୍ରଶ୍ନ କରିବାର ଏବଂ ତା’ ପାଖରୁ ଉତ୍ତର ଦାବି କରିବାର ସାମର୍ଥ୍ୟ ଓ ସାହସିକତାରେ। ନେତାମାନଙ୍କ ପ୍ରତିଶ୍ରୁତି ପାଣିର ଗାର ବୋଲି କହି ସେମାନେ କେବଳ ନିରବରେ ଦୀର୍ଘଶ୍ୱାସ ଛାଡ଼ିବେ ନାହିଁ, ବରଂ ନେତାମାନଙ୍କୁ ଊର୍ଦ୍ଧ୍ବଶ୍ୱାସରେ ନୟାନ୍ତ କରିଦେଲା ଭଳି ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିବେ। ପ୍ରତିକ୍ରିୟା ପ୍ରକାଶ କରିବେ। ପ୍ରତିବାଦର ସ୍ୱର ଓ ସଂଳାପରେ କ୍ଷମତାକୁ ଯୋଡ଼ହସ୍ତ ନୁହେଁ, ନତମସ୍ତକ ହୋଇ ଚାଲିବାକୁ ବାଧ୍ୟ କରିବେ। ସଚେତନ କରିଦେବେ ନିଜର ଭୁଲିଯାଉଥିବା ଭୂମି ଓ ଭୂମିକା ସମ୍ପର୍କରେ। ତଥାପି ଯଦି କ୍ଷମତା ନିଷ୍କ୍ରିୟ ଓ ନିଷ୍ଫଳ ରହେ, ତେବେ ଜନତା ହିଁ ଆଗେଇ ଆସିବେ ନିଜର ସାମୂହିକ ଶକ୍ତି ଓ ସଂଗଠନ ମାଧ୍ୟମରେ ଅପୂର୍ଣ୍ଣ କାର୍ଯ୍ୟ ଓ ପ୍ରକଳ୍ପକୁ ପୂର୍ଣ୍ଣ କରିବା ଦିଗରେ।

ଆଶା ଓ ଆନନ୍ଦର କଥା, ଲୋକଶକ୍ତିର ପ୍ରୟୋଗ ତଥା ବିନିଯୋଗ କ୍ଷେତ୍ରରେ ଅନେକ ଉଦାହରଣ ଦେଖିବାକୁ ମିଳୁଛି। ଆମ ରାଜ୍ୟର କେତେକ ଅପନ୍ତରା ଅଞ୍ଚଳରେ ଯାତାୟାତ ଏବଂ ଯୋଗାଯୋଗ ପାଇଁ ରାସ୍ତାଟିଏ ନ ଥିଲାବେଳେ ସେହି ଅଞ୍ଚଳର ସାଧାରଣ ବାସିନ୍ଦା ଆଉ ସରକାରଙ୍କ ମିଛ ପ୍ରତିଶ୍ରୁତିକୁ ଅପେକ୍ଷା ନ କରି ଏକାଠି ହୋଇ ରାସ୍ତା ନିର୍ମାଣ କରୁଛନ୍ତି। ଏସବୁ ନିଜର ସଂଗୃହୀତ ଅର୍ଥରେ ଏବଂ ସମ୍ମିଳିତ ଉଦ୍ୟମରେ।

- Advertisement -

ଏଇ ଆମ ରାଜଧାନୀ ଭୁବନେଶ୍ୱର କଥା। ସୈନିକ ସ୍କୁଲ ପାଖରେ ସୃଷ୍ଟି ହୋଇଛି ଆବର୍ଜନାର ପାହାଡ଼। ସେସବୁର ଅପସାରଣ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ନ କରାଯିବା ଏବଂ ସୈନିକ ସ୍କୁଲର ସ୍ଥାନାନ୍ତର ପାଇଁ ସରକାରୀ ଉଦ୍ୟମକୁ ବିରୋଧ କରି ସ୍ଥାନୀୟ ସଚେତନ ନାଗରିକମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବର୍ଷା ଆରମ୍ଭ ହୋଇଗଲେ ଦେଖିବାକୁ ମିଳିବ ଆମ ସ୍ମାର୍ଟ ସିଟିର ଅବସ୍ଥା। ୨୦୧୪ରେ ଅନୁକୂଳ ହେଲା ସ୍ୱଚ୍ଛ ଭାରତ ଅଭିଯାନ। କ୍ଷମତାରେ ଅଧିଷ୍ଠିତ ମାନ୍ୟବରମାନେ ନିଜର ଶୁଭ୍ର ସଫେଦ ପରିଧେୟ​‌ରେ ହାତରେ ଝାଡୁ ଧରି ରାସ୍ତା ପରିଷ୍କାର କରୁଥିବାର ଫଟୋ ଦେଖି ଆମେ ଆମୋଦିତ ହେଲୁ। ବର୍ତ୍ତମାନ ସାରା ପୃଥିବୀରେ ସବୁଠାରୁ ଅସ୍ୱଚ୍ଛ ଦେଶ ଭାବରେ ଗଣା ହେଉଛି ଭାରତ। ଅବଶ୍ୟ ଏ କ୍ଷେତ୍ରରେ ନିଜର ନାମ ଦରଜ କରିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ପାକିସ୍ତାନ ଏବଂ ବାଂଲାଦେଶ। ପ୍ରଦୂଷିତ ପାଣି ଓ ପବନ। ନଦନଦୀଭରା ଓଡ଼ିଶାରେ ନଦୀଗୁଡ଼ିକ ନିଜର ଅସ୍ତିତ୍ୱ ହରେଇବାକୁ ବସିଛନ୍ତି। ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମରେ ଦେଖିବାକୁ ମିଳୁଛି ଆମର ମା’ ଭଉଣୀମାନେ ଦୁର୍ଗମ ଅଞ୍ଚଳରେ ଧାଡ଼ିବାନ୍ଧି କିପରି ଚାଲିଛନ୍ତି ମାଇଲ ମାଇଲ ଦୂର, କୌଣସି କ୍ଷୁଦ୍ର ଜଳାଶୟରୁ ଜଳ ସଂଗ୍ରହ ପାଇଁ। ସରକାରଙ୍କ ଦ୍ୱାରା ସ୍ଥାପିତ ନଳକୂପ ସବୁ ଅଚଳ। କାହିଁକି ଏଭଳି ବ୍ୟବସ୍ଥା ବୋଲି ପଚାରିଲେ ଉତ୍ତର ଦେବାକୁ କେହି ନାହାନ୍ତି।

ସାଧାରଣ ଲୋକଙ୍କ ସ୍ୱର ହୋଇ ଯେତେବେଳେ ସାମ୍ବାଦିକଟିଏ କୌଣସି ଘଟଣା ବା ଅଘଟଣର ଅନୁସନ୍ଧାନମୂଳକ ସତ୍ୟ ଓ ତଥ୍ୟ ପ୍ରକାଶ କରୁଛି, ସେତେବେଳେ ତା’ ଉପରେ ଶାରୀରିକ ଆକ୍ରମଣ କରି ତା’ର ସ୍ୱରକୁ ନିଶ୍ଚିହ୍ନ କରିଦେବାର ଉଦ୍ୟମ ଦେଖିବାକୁ ମିଳୁଛି। ସଦ୍ୟ ପ୍ରକାଶିତ ଘଟଣାଟି ହେଲା ବଲାଙ୍ଗିରର ଜଣେ ସାମ୍ବାଦିକଙ୍କ ଉପରେ ଅମାନୁଷିକ ଆକ୍ରମଣ। ଏପରିକି ଆଇନଶୃଙ୍ଖଳା ରକ୍ଷାକାରୀ ପୁଲିସ ବାହିନୀ ଉପରେ ଅପରାଧୀମାନଙ୍କର ଆକ୍ରମଣ ଏବଂ ଜଣେ ଶିକାରୀ ଗୁଳିରେ ବନ ଅଧିକାରୀଙ୍କ ମୃତ୍ୟୁରେ ଆମ ଶାସନ ବ୍ୟବସ୍ଥାର ନଗ୍ନ ଚିତ୍ର ଦେଖିବାକୁ ମିଳୁଛି।
ଦୁର୍ନୀତିର ପୁଷ୍କରିଣୀରେ ମହାଆନନ୍ଦରେ ଜଳକ୍ରୀଡ଼ା କରୁଥିବା ଆମର ସରକାରୀ ସେବାକାରୀଙ୍କ ମଧ୍ୟରୁ ସାଧାରଣ କର୍ମଚାରୀଙ୍କ ଆଖିଝଲସା ଅସାଧାରଣ କଳା କାରନାମା ଦେଖିବାକୁ ମିଳୁଛି ଭିଜିଲାନ୍ସ କାର୍ଯ୍ୟକର୍ତ୍ତାମାନଙ୍କ ସତର୍କ, ସନ୍ଧାନୀ ଦୃଷ୍ଟିରେ। ସେମାନଙ୍କ ଜାଲରେ ପଡୁଛନ୍ତି ପ୍ରତିଦିନ କେହି ନା କେହି। ପ୍ରଶ୍ନ ଉଠୁଛି, ଏମାନେ ପୋଖରୀ କେରାଣ୍ଡି ମାଛ; ବାଳିଆମାନେ ଯାଉଛନ୍ତି କୁଆଡ଼େ? କାହିଁକି ଅନ୍ତରାଳରେ ଥିବା ଦୁର୍ନୀତିର ପାହାଡ଼ ଉପରେ ବସି ନିଜର ସାମ୍ରାଜ୍ୟ ବିସ୍ତାର କରିଥିବା ମହାବଳୀଙ୍କ ପାଖରେ ପହଞ୍ଚି ପାରୁନାହିଁ ଆମର ଭିଜିଲାନ୍ସ? ଯଦି ବା କୌଣସି କ୍ଷେତ୍ରରେ ତଦନ୍ତର ନିର୍ଦେଶ ଦିଆଯାଉଛି, ତେବେ ସେ ତଦନ୍ତର ଦାନ୍ତ ଭାଙ୍ଗିଦେବାରେ ମଧ୍ୟ ବେଶୀ ସମୟ ଲାଗୁନାହିଁ। ଲୋକଙ୍କ ଭୁଲାମନ ଉପରେ ଭରସା ରଖି ଆଗେଇ ଚାଲିଛନ୍ତି ଆମର ସରକାର।

ତଥାପି ପ୍ରଶ୍ନ ପଚାରିବା ଆରମ୍ଭ ହୋଇଛି। ପ୍ରଶ୍ନ ହେଉଛି, ଓଡ଼ିଶାରେ ଦୀର୍ଘକାଳ ଧରି ରହିଥିବା ସରକାରକୁ ପରିବର୍ତ୍ତନ କରିଥିବା ଲୋକେ ପରିବର୍ତ୍ତିତ ସରକାରରେ ପୂର୍ବ ସରକାରର ସବୁ ଅଗ୍ରହଣୀୟ ପଦକ୍ଷେପକୁ କିପରି ଓ କାହିଁକି ଗ୍ରହଣ କରୁଛନ୍ତି? ନିର୍ବାଚନ ପ୍ରତିଶ୍ରୁତି ସତ୍ତ୍ବେ ପୂର୍ବ ସରକାରର ଦୁର୍ନୀତି ବିରୋଧରେ ଗୋଟିଏ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ; ବରଂ ସେତେବେଳେ ଯେଉଁ ଅଧିକାରୀମାନେ ବ୍ୟାପକ ଦୁର୍ନୀତିରେ ଲିପ୍ତ ଥିଲେ, ସେମାନଙ୍କୁ ପଦୋନ୍ନତି ସହ ଏକାଧିକ ବିଭାଗର ଦାୟିତ୍ୱ ଦିଆଯାଇଛି; ପୂର୍ବ ସରକାର ଭଳି ଏବର ସରକାରରେ ମଧ୍ୟ ଦେଖିବାକୁ ମିଳୁଛି ଉତ୍ସବର ଆଡ଼ମ୍ବର, କୋଳାହଳ ଓ ବ୍ୟୟବହୁଳ ବ୍ୟାପକ ପ୍ରଚାର- ଏହିଭଳି ପ୍ରତିକ୍ରିୟାମାନ ସାଧାରଣ ସ୍ତରରେ ପ୍ରକାଶ ପାଇବାରେ ଲାଗିଛି। ଏଭଳି ପ୍ରଶ୍ନ ଓ ପ୍ରତିକ୍ରିୟାକୁ ଉପେକ୍ଷା କରିବା କୌଣସି ଲୋକପ୍ରିୟ ସରକାରଙ୍କ ପାଇଁ ଶୁଭଙ୍କର ନୁହେଁ। ପରିବର୍ତ୍ତିତ ନେତୃତ୍ୱରେ ଲୋକେ ଦେଖିବାକୁ ଚାହାନ୍ତି ଦେଖିଲା ଭଳି ପରିବର୍ତ୍ତନ – ଆଚାର, ବିଚାର, ବିଧି-ବ୍ୟବସ୍ଥା ଓ ବ୍ୟବହାରରେ। ନୂତନ ନେତୃତ୍ୱରେ ଦୃଶ୍ୟମାନ ଏକମାତ୍ର ପରିବର୍ତ୍ତନ ଏବଂ ଏହା ସ୍ୱାଗତଯୋଗ୍ୟ ଯେ ରାଜ୍ୟର ମୁଖିଆ ଲୋକଙ୍କୁ ଭେଟୁଛନ୍ତି, ଶୁଣୁଛନ୍ତି ଏବଂ ସେମାନଙ୍କ ସହିତ ମିଶୁଛନ୍ତି; ମାତ୍ର ଏହା କେବଳ ଲୋକଦେଖାଣିଆ ନ ହୋଇ ପ୍ରକୃତ କାର୍ଯ୍ୟକାରିତାରେ ପରିଣତ ହେଉ।

ରାଜ୍ୟର ନାଗରିକ ସମାଜ ମଧ୍ୟ ଏ କ୍ଷେତ୍ରରେ ନିରବ, ନିଷ୍କ୍ରିୟ ନ ରହି କିମ୍ବା କେବଳ ଆନୁଷ୍ଠାନିକ ସଭାସମିତିରେ ନିଜର ଭୂମିକାକୁ ସୀମିତ ନ ରଖି ସରକାରଙ୍କ ନିକଟରେ ନିଜର ସୁଚିନ୍ତିତ ମତ ଓ ମନ୍ତବ୍ୟ ପ୍ରକାଶ କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ହେଉଛି ଲୋକଙ୍କ ବ୍ୟକ୍ତିଗତ ସମସ୍ୟା ଶୁଣିବା ପାଇଁ; ମାତ୍ର ବ୍ୟକ୍ତି ସ୍ୱାର୍ଥରୁ ଊର୍ଦ୍ଧ୍ବକୁ ଉଠି ରାଜ୍ୟର ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ ଏବଂ ସରକାରଙ୍କୁ ସେମାନଙ୍କ କାର୍ଯ୍ୟ-ଅକାର୍ଯ୍ୟ ସମ୍ପର୍କରେ ପ୍ରଶ୍ନ କରିବା ପାଇଁ ସରକାର ମଧ୍ୟ ନାଗରିକ ସମାଜ ନିମନ୍ତେ ସୁଯୋଗ ସୃଷ୍ଟି କରନ୍ତୁ।

କହିବାର କଥା, ଲୋକଶକ୍ତିର ଯଥାର୍ଥ ବିନିଯୋଗରେ ହିଁ ସମୃଦ୍ଧ ହେବ ଆମର ଲୋକତନ୍ତ୍ର। ବିକଶିତ ରାଜ୍ୟର କଥା ଚିନ୍ତା କଲାବେଳେ ଦଳମତ ନିର୍ବିଶେଷରେ ଏବଂ ଦଳୀୟ ରାଜନୀତିରୁ ବାହାରେ ରହୁଥିବା ସାଧାରଣ ଲୋକେ ମଧ୍ୟ ସରକାରଙ୍କ ସହଯୋଗୀ ଭାବରେ ନିଜର ଭୂମିକା ନିର୍ବାହ କରନ୍ତୁ। କ୍ଷମତାକୁ ସବୁବେଳେ ପ୍ରଶ୍ନ କରି ଉତ୍ତର ଦାବି କରିବାର ଅସୀମିତ ଅଧିକାର ଜନତା ସାବ୍ୟସ୍ତ କରନ୍ତୁ। କ୍ଷମତାର ଆଳୟରେ ସାଧାରଣ ଲୋକଙ୍କ ସ୍ୱର ପ୍ରତିଧ୍ୱନିତ ହେଉ। ଏହାର ପ୍ରଭାବ ଅନୁଭୂତ ହେଉ।

ଅଧ୍ୟାପକ ବିଶ୍ଵରଞ୍ଜନ

ଭୁବନେଶ୍ୱର

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories