ଦେଢ ବର୍ଷ ଧରି ଚାଲିଛି ରାସ୍ତା କାମ, ଡ୍ରେନ ନିର୍ମାଣ ଦାବି

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ଠାରୁ ଟାଙ୍ଗରପଡା ଭାୟା ପୋଇପାଣି ରାସ୍ତାର ଉନ୍ନତି କରଣ କାମ ଆରମ୍ଭ ହୋଇଛି। ଏହାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କରାଯାଉଥିବାବେଳେ କାମ ଅତ୍ୟନ୍ତ ମନ୍ଥର ଗତିରେ ଚାଲୁଥିବା ଅଭିଯୋଗ ହୋଇଛି। ଏହି ରାସ୍ତା ପିପିଳିଆ ଠାରୁ ତୋରାଣିପୋଖରୀ, ଧୋବାପିଟଣା, ପୋଇପାଣି, ଭୋଦବାହାଳି, କୁମୂଳା ବାହାଳି, ଖଜୁରିପାଣି, ବ୍ରାହ୍ମଣୀ ଦେଓ, ଝାଲିଆପଡା, ମୂଷାପଡା ହୋଇ ଟାଙ୍ଗରପଡାକୁ ସଂଯୋଗ କରୁଛି। ଏହି ରାସ୍ତାଟି ଘଷିପୁରା ,କେନ୍ଦୁଝର ସଦର ଓ ପାଟଣା ଭଳି ୩ଟି ନିର୍ବାଚନ ମଣ୍ଡଳୀ ଇଲାକା ଦେଇ ଯାଉଥିବା ବେଳେ ରାସ୍ତା କାମକୁ କେହି ଅଧିକାରୀ ତଦାରଖ କରୁନଥିବା ଅଭିଯୋଗ ହୋଇଛି । ଦେଢ଼ ବର୍ଷ ହେଲା ଏହି ରାସ୍ତା କାମ ଚାଲିଛି। ପୋଇପାଣି, କୁମୁଳବାହାଳି ଓ ବ୍ରାହ୍ମଣୀ ଦେଓ ଗ୍ରାମ୍ୟ ରାସ୍ତାରେ ରାସ୍ତାକୁ କଂକ୍ରିଟ କରାଯାଇଥିବାବେଳେ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ କରାଯାଉନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗ୍ରାମ୍ୟ ରାସ୍ତାରେ ଶୀଘ୍ର କାମ ନସାରୀ ଚିପ୍ସ ଗୁଣ୍ଡ ପକାଇ ରଖିଥିବାରୁ ଏହା ଉଡ଼ି ଘରେ ପଶୁଥିବା ବେଳେ ଖଣ୍ଡେ ଖଣ୍ଡେ କଂକ୍ରିଟ କରାଯାଉଥିବାରୁ ଯାନବାହାନ ଯାତାୟତରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେଉଛି। ରାସ୍ତା କାମର ସୂଚନା ଫଳକ ନଥିବାରୁ ଏହି କାମ କେତେ ସମୟ ମଧ୍ୟରେ ସରିବା କଥା ତାହା ସାଧାରଣ ଲୋକେ ଜାଣି ପାରୁନାହାନ୍ତି । କଂକ୍ରିଟ ସମୟରେ କନିଷ୍ଠ ଯନ୍ତ୍ରୀ ଅଥବା ବିଭାଗୀୟ ଅଧିକାରୀ ରହୁନଥିବାରୁ ନିମ୍ନ ମାନର କାମ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି।
Comments are closed.