ଭୁବନେଶ୍ବର: ସଚେତନତା, ଦକ୍ଷତା ବୃଦ୍ଧି ଓ ବିଭିନ୍ନ ବିଭାଗ ଗୁଡିକ ମଧ୍ୟରେ ସମନ୍ବୟ ମାଧ୍ୟମରେ ଏକ ଶିଶୁ ଅନୁକୂଳ ବାତାବରଣର ସୃଷ୍ଟି ସମ୍ଭବ ବୋଲି ଖୋର୍ଦ୍ଧାଠାରେ ଅନୁଷ୍ଠିତ ହୋଇଥିବା ଏକ ଜିଲା ସ୍ତରୀୟ ଶିଶୁ ସୁରକ୍ଷା କର୍ମଶାଳାର ରେ ଭାଗନେଇ ବିଶିଷ୍ଟ ବକ୍ତାମାନେ ମତଦେଇଥିଲେ। ସ୍ବେଚ୍ଛାସେବୀ ଅନୁଷ୍ଠାନ ପିପୁଲ୍ସ କଲ୍ଚରାଲ ସେଣ୍ଟର (ପିକକ୍), ଆଡପସନସେଣ୍ଟ୍ରମର ସହଯୋଗ ଓ ଖୋର୍ଦ୍ଧାର ଶିଶୁ ସୁରକ୍ଷା ବିଭାଗର ସହାୟତାରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା। ପିକକର କାର୍ଯ୍ୟନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ସବୁ ସ୍ତରରେ ଉଦ୍ୟମ ହେବା ନିତ୍ୟାନ୍ତ ଆବଶ୍ୟକ ଏବଂ ଶିଶୁମାନଙ୍କୁ ଏ ସୁରକ୍ଷିତ ବାତାବରଣ ଯୋଗାଇଦେବା ଆମ ସମସ୍ତଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ।
ଏହି କର୍ମଶାଳାରେ ଯୋଗଦେଇ ଖୋର୍ଦ୍ଧା ଶିଶୁ କଲ୍ୟାଣ ସମିତିର ଅଧକ୍ଷା ରଞ୍ଜିତା ପଣ୍ଡା ନିଜ ବକ୍ତବ୍ୟରେ ସରକାର, ସ୍ବେଚ୍ଛାସେବୀ ସଙ୍ଗଠନ ଓ ସମସ୍ତଙ୍କର ମିଳିତ ଉଦ୍ୟମରେ ଏକ ଶିଶୁ ଅନୁକୂଳ ବାତାବରଣ ସମ୍ଭବ ବୋଲି ନିଜ ମତ ଦେଇଥିଲେ। ଖୋର୍ଦ୍ଧା ଜିଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ପିଲାମାନଙ୍କ ଉପରେ ହେଉଥିବା ବିଭିନ୍ନ ପ୍ରକାରର ହିଂସା ଓ ଏହାର ନିରାକରଣ ତଥା ମିଶନ ବାତ୍ସଲ୍ୟ ଯୋଜନାରେ ଶିଶୁ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଅଲୋଚନା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଆଇସିଡିଏସ ପ୍ରୋଗ୍ରାମ ଅଫିସର ଶିଖାରାଣୀ ପ୍ରଧାନ, ଖୋର୍ଦ୍ଧା ଜିଲା ଶିଶୁ କଲ୍ୟାଣ ସମିତିର ପୂର୍ବତନ ସଦସ୍ୟା କାନ୍ତା ମହାନ୍ତି ପ୍ରମୁଖ ସମସ୍ତଙ୍କର ମିଳିତ ଉଦ୍ୟମରେ ଶିଶୁ ମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ଗଠନ ସମ୍ଭବ ହୋଇପାରିବ ବୋଲି କହିଥିଲେ। ବିଭିନ୍ନ ବିଭାଗ ଗୁଡିକ ମଧ୍ୟରେ ସମନ୍ବୟ ଓ ଶିଶୁମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତି ଯଥା ଶିକ୍ଷକ, ଅଭିଭାବକ, ଅଙ୍ଗନବାଡି କର୍ମୀ, ସ୍ବେଚ୍ଛାସେବୀ ସଂଗଠନ, କିଶୋରକିଶୋରୀ, ସାଇବର ସୁରକ୍ଷା, ବିଭିନ୍ନ ଆଇନ ସମ୍ବଧୀୟ ଜ୍ଞାନ, ତଥା ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ସେମାନେ ଗୁରୁତ୍ବ ଆରୋପ କରିଥିଲେ। ପ୍ରତିନିଧିମାନେ ଏକ କାର୍ଯ୍ୟପନ୍ଥା ମଧ୍ୟ ପ୍ରସ୍ତୁତ କରିଥିଲେ, ଯେଉଁଥିରେ ସେମାନେ ଶିଶୁ ସୁରକ୍ଷା ସମିତିକୁ ମଜଭୁତ କରିବା, ମିଶନ ବାତ୍ସଲ୍ୟ ଯୋଜନାରେ ପିଲାମାନଙ୍କୁ ସାମିଲ କରାଇବା, ଶିଶୁ ଓ କିଶୋର କିଶୋରୀଙ୍କ ଶିକ୍ଷା ଉପରେ ଗୁରୁତ୍ବ ଦେଇଥିଲେ।
ଏହି କର୍ମଶାଳାରେ ୭୦ରୁ ଊର୍ଦ୍ଧ୍ବ ପ୍ରତିନିଧି ଯଥା ପୁଲିସ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ପଞ୍ଚାୟତର ସଦସ୍ୟ, ଶିଶୁ ସୁରକ୍ଷା ୟୁନିଟ ପ୍ରମୁଖ ଭାଗ ନେଇଥିଲେ। ପିକକର ଅଳ୍ପନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଜ୍ୟୋତିଶଙ୍କର ମହାନ୍ତି, ବିନୋଦ ଦାସ ପ୍ରମୁଖ ଏହି କର୍ମଶାଳାକୁ ପରିଚାଳନା କରିଥିଲେ।



