ମଧ୍ୟପ୍ରଦେଶ: ପିଓକେରେ ଭାରତୀୟ ବାୟୁସେନା କରିଥିବା ବିମାନ ଆକ୍ରମଣର ପ୍ରମାଣ ମାଗିଛନ୍ତି ବିରଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ। ସେ କହିଛନ୍ତି ଯେ, ଆମେରିକା ୨୦୧୧ରେ ପାକିସ୍ତାନର ଆବୋଟାବାଦରେ ଆକ୍ରମଣ କରି ଓସାମା ବିନ ଲାଡେନଙ୍କୁ ହତ୍ୟା କରିଥିଲା। ଏହା ପରେ ଆମେରିକା ଆକ୍ରମଣର ସମସ୍ତ ପ୍ରମାଣ ସାର୍ବଜନୀନ କରିଥିଲା। ଠିକ ସେମିତି ଭାରତ ସରକାର ବାଲାକୋଟରେ କରିଥିବା ବିମାନ ଆକ୍ରମଣର ପ୍ରମାଣ ଦେବା ଦରକାର।
ଏହାବ୍ୟତୀତ ଦିଗବିଜୟ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପ୍ରଶଂସା କରିଛନ୍ତି। ଇମ୍ରାନ ବାୟୁସେନା ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଭାରତକୁ ହସ୍ତାନ୍ତର କରିଥିବାରୁ ସିଂହ ପାକିସ୍ତାନକୁ ଭଲ ପଡ଼ୋଶୀ ବୋଲି କହିଛନ୍ତି। ଏହା ସହ ସେ କହିଛନ୍ତି ଯେ, ବର୍ତ୍ତମାନ ଇମ୍ରାନ ନିଜର ବାହାଦୁରି ଦେଖାଇ ଆତଙ୍କବାଦୀ ହାଫିଜ ସୟିଦ ଏବଂ ମାସୁଦ ଆଝାରଙ୍କୁ ଭାରତକୁ ହସ୍ତାନ୍ତର କରିଦେବା ଜରୁରୀ।
ଦିଗବିଜୟଙ୍କ ଏଭଳି ଆଭିମୁଖ୍ୟ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି। ମଧ୍ୟପ୍ରଦେଶର ବିଜେପି ନେତା ଗୋପାଳ ଭାର୍ଗବ କହିଛନ୍ତି, ବିମାନ ଆକ୍ରମଣ ନେଇ କଂଗ୍ରେସ ନେତା ପ୍ରମାଣ ମାଗି ସୁରକ୍ଷା କର୍ମୀଙ୍କ ଅପମାନ କରୁଛନ୍ତି। ପାକିସ୍ତାନ ଅଭିନନ୍ଦନଙ୍କୁ ଭାରତକୁ ଫେରସ୍ତ କରି କୌଣସି ଦୟା କରିନାହିଁ। ଜେନେଭା କନଭେନଶନ ଅନୁସାରେ ପାକିସ୍ତାନ ଅଭିନନ୍ଦନଙ୍କୁ ଫେରାଇବାକୁ ବାଧ୍ୟ ଥିଲା।



