ଚାଷୀଙ୍କ ଧାନ ବିକ୍ରିରେ କଟକଣା ରଖନି: ସ୍ଥାୟୀ କମିଟି
ଭୁବନେଶ୍ୱର : ଚାଷୀମାନେ ମୁଣ୍ଡଝାଳ ତୁଣ୍ଡରେ ମାରି ଧାନ ଫସଲ ଉତ୍ପାଦନ କରୁଛନ୍ତି। ମାତ୍ର ତାହାକୁ ନିର୍ଦ୍ଧାରିତ ଏମଏସପି ଦରରେ ବିକ୍ରି କରିପାରୁ ନାହାନ୍ତି। କେତେବେଳେ ରାଜ୍ୟ ଯୋଗାଣ ବିଭାଗ ଜଳସେଚିତ ଜମି ଏକର ପିଛା ୧୯କୁଇଣ୍ଟାଲ ଚାଷୀ ବିକ୍ରି କରିପାରିବ କହୁଛି ତ ଆଉ କେତେବେଳେ ଅଣଜଳସେଚିତ ଜମି ଏକର ପିଛା ୧୨କୁଇଣ୍ଟାଲ ଧାନ ବିକ୍ରି କରିପାରିବ ବୋଲି ସର୍ତ୍ତ ରଖିଛି। ଏହାଦ୍ବାରା ଚାଷୀଙ୍କ ଉପରେ ସିଧାସଳଖ ପ୍ରଭାବ ପଡୁଛି। ଆଗାମୀ ଦିନରେ ଏସବୁ ସର୍ତ୍ତାବଳୀକୁ ଉଚ୍ଛେଦ କରି ଚାଷୀ ଏକର ପିଛା ଯାହା ଧାନ ଅମଳ କରୁଛି ତାକୁ ଯୋଗାଣ ବିଭାଗ କିଣିବାପାଇଁ ସରକାର ବ୍ୟବସ୍ଥା କରିବାକୁ ଯୋଗାଣ ବିଭାଗର ସ୍ଥାୟୀକମିଟି ପରାମର୍ଶ ଦେଇଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ଥାୟୀ କମିଟି ରିପୋର୍ଟରେ ଦର୍ଶାଯାଇଛି ଯେ ଚାଷୀମାନେ ଏଫଏକ୍ୟୁ ମାନ ନଥିବା ଧାନ ବିକ୍ରି ବେଳେ ନାନାଦି ହଇରାଣ ହରକତ ହେଉଛନ୍ତି। ତେଣୁ ଯୋଗାଣ ବିଭାଗ କିଭଳି ଚାଷୀଙ୍କଠାରୁ ଏଫଏକ୍ୟୁ୍ ମାନ ନଥିବା ଧାନ କିଣିବ ଏବଂ ଏଥିପାଇଁ ଧାନର ଏମଏସପି କେତେହେବା ଆବଶ୍ୟକ ତାହା ସ୍ଥିର କରୁ। କେନ୍ଦ୍ର ସରକାରଙ୍କୁ ଏନେଇ ବିଭାଗ ପତ୍ର ଲେଖିବାକୁ କମିଟି ଦର୍ଶାଇଛି। ସେହିପରି ଯେଉଁ ଧାନରେ ଏଫଏକ୍ୟୁର ମାନ ନାହିଁ ତାହାକୁ ଏଫଏକ୍ୟୁକୁ ପରିବର୍ତ୍ତନ କରିବା ଲାଗି ସବୁ ମଣ୍ଡିରେ ମେସିନ ଲଗାଯିବା କଥା। ଯାହାଦ୍ବାରା ଚାଷୀଙ୍କ ଧାନ ସଂଗ୍ରହ ବେଳେ କଟଣୀ ଛଟଣି ସମସ୍ୟା ଆଉ ରହନ୍ତା ନାହିଁ। ଧାନ ସଂଗ୍ରହ ବେଳେ ଅଖା ବ୍ୟାଗ ବ୍ୟବହାର କରିବା ପରେ ଚାଷୀଙ୍କୁ ତାହା ଫେରସ୍ତ କରାଯିବା ଏବଂ ମିଲର୍ସମାନଙ୍କୁ ଧାନ ବୋହିବା କାର୍ଯ୍ୟ ନଲଗାଇବାକୁ କମିଟି ଦର୍ଶାଇଛି।
ଯୋଗାଣ ବିଭାଗକୁ କମିଟି କହିଛି ଯେ ଅଣରିଆତି କିରାସିନ ବିକ୍ରି କରିବାପାଇଁ ପ୍ରତି ପଞ୍ଚାୟତରେ ଏକ ଡିପୋ ଖୋଲାଯାଉ। ଏହାର ଦାୟିତ୍ବ ପଞ୍ଚାୟତର କାର୍ଯ୍ୟକର୍ତ୍ତା ଏବଂ ମହିଳା ସ୍ବୟ ସହାୟକ ଗୋଷ୍ଠୀ ନିଅନ୍ତୁ। ରାଜ୍ୟରେ ଏବେ ବି ବହୁ ଗରିବ ରାସନକାର୍ଡ ପାଇପାରି ନାହାନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ଏକ ସର୍ଭେ କରାଯାଇ ଗରିବ ଓ ଅବହେଳିତଙ୍କୁ ରାସନକାର୍ଡ ଯୋଗାଇ ଦେବାକୁ କୁହାଯାଇଛି। ବିଶେଷକରି ରାଜ୍ୟ ସରକାର ୧ଟଙ୍କାରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ ହିତାଧିକାରୀଙ୍କୁ ଯୋଗାଉଛନ୍ତି। ମାତ୍ର ସେଥିପାଇଁ ଆବଶ୍ୟକ ଖର୍ଚ୍ଚ ଲାଗି ବଜେଟରେ ବ୍ୟବସ୍ଥା କରୁନାହାନ୍ତି। ଚଳିତବର୍ଷ ସରକାର ବଜେଟରେ ୧୨୧୧,୯୦୬୧ଟଙ୍କା (ଟିଆରଏସ) ଆବଶ୍ୟକତା ଥିବାବେଳେ ୯୭୫,୪୨୦୦ଟଙ୍କା ଅନୁମୋଦନ କରିଛନ୍ତି। ଅବଶିଷ୍ଟ ୨୩୬,୪୮,୬୧ଟଙ୍କା ଅତିରିକ୍ତ ବଜେଟରେ ବ୍ୟବସ୍ଥା କରିବାକୁ ସ୍ଥାୟୀ କମିଟି ସରକାରଙ୍କୁ ପରାମର୍ଶ ଦେଇଛି।
Comments are closed.