ଧାମରା: ଧାମରା ସବ ପୋଷ୍ଟ ମାଷ୍ଟର ୧୬.୫ଲକ୍ଷ ଟଙ୍କା ନେଇ ଗତ ସୋମବାର ଭଦ୍ରକ ମୁଖ୍ୟ ପୋଷ୍ଟ ଅଫିସକୁ ଯାଉଛନ୍ତି ବୋଲି ମୁଖ୍ୟ ଅଧିକାରୀଙ୍କୁ ଫୋନ ଯୋଗେ କହିବା ଏବଂ ଦୀର୍ଘ ୩ଦିନ ବିତିଯାଇଥିଲେ ମଧ୍ୟ ସଂପୃକ୍ତ କର୍ମଚାରୀଙ୍କ ପତ୍ତା ନମିଳିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୀର୍ଘ ୩ଦିନ ଧାମରା ସବ ପୋଷ୍ଟ ଅଫିସ ବନ୍ଦ ହୋଇ ରହିବା ପରେ ଆଜି ଚାନ୍ଦବାଲି ଅତିରିକ୍ତ ତହସିଲଦାର ଦିପ୍ତିରଞ୍ଜନ ଜେନାଙ୍କ ଉପସ୍ଥିତିରେ ଭଦ୍ରକ ସହକାରୀ ଡାକ ସୁପରିଟେଣ୍ଡ ପରମାନନ୍ଦ କନ୍ଥ, ଟେକ୍ନିକାଲ ଆସିଷ୍ଟାଣ୍ଟ ବିଶ୍ୱ ପ୍ରକାଶ କର,ସହକାରୀ କର୍ମଚାରୀ ଶୋଭନ ମହାନ୍ତି ପ୍ରମୁଖ ଆସି ଧାମରାରେ ପହଞ୍ଚିଥିଲେ। ପରେ ଧାମରା ଥାନାଧିକାରୀ ଏବଂ ଧାମରା ସରକାରୀ ଉଚ୍ଚ ବିଦ୍ୟାଳୟର ୨ଜଣ ଶିକ୍ଷକଙ୍କ ଉପସ୍ଥିତିରେ ଧାମରା ସବ ପୋଷ୍ଟ ଅଫିସର ତାଲା ଭଙ୍ଗାଯାଇଥିଲା। ପରେ ସହକାରୀ ସୁପରିଟେଣ୍ଡେଣ୍ଟ ଏବଂ ଅନ୍ୟ କର୍ମଚାରୀ ପୋଷ୍ଟ ଅଫିସରେ ଥିବା ସମସ୍ତ ଦସ୍ତାବିଜ ଏବଂ କମ୍ପ୍ୟୁଟର ଖୋଲି ତଦନ୍ତ ଆରମ୍ଭ କରିଥିଲେ। ଆଜି ତଦନ୍ତ ଚାଲିଥିବା ବେଳେ ପ୍ରକୃତରେ ଏହି ଟଙ୍କାର ପରିମାଣ କେତେ ତାହା ଜଣାପଡ଼ିବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। କେଉଁ ପରିସ୍ଥିତିରେ ସଂପୃକ୍ତ ପୋଷ୍ଟ ମାଷ୍ଟର ଏତେ ଟଙ୍କା କୌଣସି ବ୍ୟାଙ୍କରେ ଜମା ନକରି ସନ୍ଧ୍ୟା ସମୟରେ ଦୀର୍ଘ ୮୦କି.ମି ରାସ୍ତା ଅତିକ୍ରମ କରି ଭଦ୍ରକ ମୁଖ୍ୟ ପୋଷ୍ଟ ଅଫିସକୁ ଯିବାକୁ ସାହସ ଜୁଟାଇ ପାରିଲେ ତାହା ତଦନ୍ତ ସାପେକ୍ଷ। କେଉଁ ପରିସ୍ଥିତିରେ ମୁଖ୍ୟ ଡାକ କର୍ମଚାରୀ ଏହା କରିବାକୁ ନିର୍ଦେଶ ଦେଲେ ଅଥବା ଧାମରା ସବ ପୋଷ୍ଟ ମାଷ୍ଟର ଜାଣିଶୁଣି ଏହା କରିଛନ୍ତି ତାହାର ବିଧିବଦ୍ଧ ତଦନ୍ତ ହେବା ଜରୁରୀ ବୋଲି ସାଧାରଣରେ ଦାବୀ ହେଉଛି।
ଏପଟେ ସଂପୃକ୍ତ ପୋଷ୍ଟ ମାଷ୍ଟରଙ୍କ ପତ୍ନୀ ତାଙ୍କ ସ୍ୱାମୀ ନିଖୋଜ ଅଛନ୍ତି ବୋଲି ଧାମରା ଥାନାରେ ଏକ ଏତଲା ଦେଇଛନ୍ତି। ଏହି ଏତଲା ଆଧାରରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିବା ସହ ସଂପୃକ୍ତ ପୋଷ୍ଟ ମାଷ୍ଟରଙ୍କ ଫୋନ ମଧ୍ୟ ଟ୍ରାକିଂ କରାଯାଉଛି। ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ, ସଂପୃକ୍ତ ପୋଷ୍ଟ ମାଷ୍ଟର କେଉଁଠି ଅଛନ୍ତି ତାଙ୍କ ଫୋନର ସିଗନାଲ ମିଳିଯାଇଛି ଏବଂ ଖୁବଶୀଘ୍ର ଏହି ଘଟଣାର ପର୍ଦାଫାଶ ହେବ ବୋଲି ଜଣାଯାଇଛି। ଧାମରା ସବ ପୋଷ୍ଟ ଅଫିସ ଆଜି ପର୍ଯ୍ୟନ୍ତ ମଧ୍ୟ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଅନ୍ୟ ପକ୍ଷରେ ଜଣେ ନୂତନ ପୋଷ୍ଟମାଷ୍ଟର ଏଠାରେ ନିଯୁକ୍ତି ପାଇଥିବା ବେଳେ ସଂପୂର୍ଣ୍ଣ ତଦନ୍ତ ପରେ ଖୁବ ଶୀଘ୍ର ଏହି ଅଫିସ କାର୍ଯ୍ୟକ୍ଷମ ହେବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଆଜି ଏହି ତଦନ୍ତ ଚାଲିଥିବା ବେଳେ ବହୁ ଗ୍ରାହକ ଏହି ପୋଷ୍ଟ ଅଫିସରୁ ଫେରିଥିବା ନଜରକୁ ଆସିଥିଲା।



