ଧାମରା: ଧାମରା ନିକଟସ୍ଥ ଦୋସିଙ୍ଗା ପଞ୍ଚାୟତରେ ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ଚେତାବନୀ ଦେବା ସହ ପ୍ରଶାସନ ପାଖରେ ଅଭିଯୋଗ ମଧ୍ୟ କରିଛନ୍ତି। ପ୍ରାପ୍ତ ଖବରରୁ ଜଣାଯାଇଛି ବାସୁଦେବପୁର ଧାମରା ରୋଡରୁ ନରସିଂହ ପ୍ରସାଦ ଏବଂ ବାଲି ସାହି ଦେଇ ଦୋସିଙ୍ଗା ପଞ୍ଚାୟତକୁ ସଂଯୋଗୀ କରଣ ରାସ୍ତାକୁ ତୁରନ୍ତ ନିର୍ମାଣ କରା ନଗଲେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ ନିଷ୍ପତି ମଧ୍ୟ ନେଇଛନ୍ତି।
ଏହି ରାସ୍ତାର ଦୈଘ୍ୟ ୨ କି.ମି ହୋଇଥିବା ବେଳେ ବିଗତ ୨୦୧୨ ମସିହାରେ ଏହି ରାସ୍ତା ପଞ୍ଚାୟତ ତରଫରୁ ନିର୍ମାଣ କରାଯାଇଥିଲା। ୨୦୧୩ ମସିହାରୁ ଆଜି ପର୍ଯ୍ୟନ୍ତ ହୋଇଥିବା ବାତ୍ୟା ଯଥା ଫାଇଲିନ, ହୁଡହୁଡ, ତିତଲି, ଫନି, ବୁଲବୁଲ , ଅମ୍ଫାନ ଏବଂ ୟାଶ ବାତ୍ୟା ସମୟରେ ଏହି ରାସ୍ତା ସଂପୂର୍ଣ ଧୋଇ ନଷ୍ଟ ମଧ୍ୟ ହୋଇ ଯାଇଛି। କେନ୍ଦ୍ର ସରକାର ବିଗତ ଦିନରେ ଓଡିଶା ରାଜ୍ୟ ସରକାରଙ୍କୁ ନଷ୍ଟ ହୋଇ ଯାଇଥିବା ରାସ୍ତା ମରାମତି ପାଇଁ ୫ଶହ କୋଟି ଟଙ୍କା ଦେଇଥିବା ବେଳେ ଏବଂ ଏହି ଅର୍ଥରୁ ସିଂହ ଭାଗ ଭଦ୍ରକ ଜିଲ୍ଲାର ଧାମରା ଅଂଚଳର ଧାମରା, ଦୋସିଙ୍ଗା,କଇଥଖୋଲା,ପଂଚାୟତ ଗୁଡିକୁ ଆସିଥିବା ବେଳେ ମଧ୍ୟ ଏହି ରାସ୍ତା ନିର୍ମାଣ ହୋଇ ପାରିଲା ନାହିଁ।
ଏହି ରାସ୍ତା ନିର୍ମାଣ କରିବାକୁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଦୋସିଙ୍ଗା ପଂଚାୟତର ୧,୨.୩,୪ ଏବଂ ୭ନଂ ଓାର୍ଡ ର ବାସିନ୍ଦା ସଂପୃକ୍ତ ସରପଂଚଙ୍କ ପାଖରେ ଆପତି ଅଭିଯୋଗ କରିଥିବା ବେଳେ ସଂପୃକ୍ତ ସରପଂଚ ନିଦାବିଷ୍ନ ସାଜିଛନ୍ତି ବୋଲି ଅଂଚଳବାସୀ ଅଭିଯୋଗ ଆଣିଛନ୍ତି। ଅନ୍ୟ ପକ୍ଷରେ ଏହି ରାସ୍ତା ନିର୍ମାଣ କରା ନଗଲେ ଚଳିତ ନିର୍ବାଚନକୁ ବର୍ଜନ କରିବେ ବୋଲି ଅଂଚଳବାସୀ ଚେତାବନୀ ଦେଇଛନ୍ତି।
ତୁରନ୍ତ ଏହି ରାସ୍ତା ନିର୍ମାଣ କରିବାକୁ ମାନସ ଜେନା, ଅଜୟ ବେହେରା, ଶଶୀଭୂଷଣ ସାହୁ, ବାବାଜୀ ନାୟକ, ସୁଧାକର ପରିଡା, ସୁରେନ୍ଦ୍ର ସାହୁ,ହାରାଧନ ଦାସ, ରବିନ୍ଦ୍ର ସାହୁ ,କେଶବ ବିଶୋଇଙ୍କ ସହ ଅଂଚଳବାସୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଏପରିକି ଖରା ଦିନରେ ମଧ୍ୟ ଏହି ରାସ୍ତା ଦେଇ ସାଧାରଣ ଜନତା,ସାଇକେଲ ଆରୋହୀ,ବାଇକ ଆରୋହୀ ମଧ୍ୟ ଯାତାୟତ କରି ପାରୁ ନଥିବା ବେଳେ ୧୦୮ ଆମ୍ବୁଲାନ୍ସ, ଦମକଳ ବାହିନୀର ଗାଡି ମଧ୍ୟ ଯାତାୟତ କରିବା ସମ୍ଭବ ପର ହୋଇ ପାରୁନାହିଁ। ଏ ବାବଦରେ ଭଦ୍ରକ ଉପ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିବାରୁ ସେ ଏହି ରାସ୍ତା ବିଷୟରେ ଏବଂ ସାଧାରଣ ଜନତାଙ୍କ ଅଭିଯୋଗ ବିଷୟରେ ଅବଗତ ଅଛନ୍ତି ବୋଲି କହିଥିବା ବେଳେ ପଂଚାୟତ ପ୍ରତିନିଧି ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ମତ ରଖିଥିଲେ।



