ଧାମରା: ବାଂଶଡା-ଦିଗଛିଆ ରାସ୍ତା ସଂପ୍ରସାରଣ ପାଇଁ ଶୁକ୍ରବାର ଯଶୀପୁରରେ ଶହେରୁ ଊର୍ଦ୍ଧ୍ବ ଦୋକାନୀଙ୍କୁ ସରକାରୀ ଜମିରୁ ହଟାଇଛି ପ୍ରଶାସନ। ଏହି ସଂପ୍ରସାରଣ ପାଇଁ ବହୁ ଦିନ ହେବ ଅଂଚଳବାସୀ ଦାବୀ କରିବା ସହ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଦାବୀ ରଖିଥିଲା। ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାପାଳଙ୍କ ନର୍ଦେଶକ୍ରମେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାରଙ୍କ ଉପସ୍ଥିତିରେ ଯଶୀପୁର ବଜାରରେ ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି।
ଏଠାରେ ଉଲ୍ଲେଖଯୋଗ୍ୟ, ଯଶୀପୁର ବଜାରରେ ଶତାଧିକ ସ୍ଥାନୀୟ ବାସିନ୍ଦା ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ବ୍ୟବସାୟ କରିବା ସହ ନିଜର ଜୀବିକା ମଧ୍ୟ ନିର୍ବାହ କରି ଆସୁଥିଲେ। ଆଜିର ଏହି ସଂପ୍ରସାରଣରେ ନିଜର ସମସ୍ତ ବ୍ୟବସାୟ ବନ୍ଦ ହୋଇ ପଡ଼ିଥିବା ବେଳେ ତୁରନ୍ତ ଯଶୀପୁର ପଂଚାୟତ ତରଫରୁ ଏହି ସ୍ଥାନରେ ମାର୍କେଟ ବିଲ୍ଡିଂ କରିବାକୁ ଅଂଚଳବାସୀ ତଥା ନିଜର ବ୍ୟବସାୟ ହରାଇଥିବା ବ୍ୟବସାୟୀ ବନ୍ଧୁମାନେ ଦାବୀ ରଖିଛନ୍ତି। ଆଜିର ଏହି ରାସ୍ତା ସଂପ୍ରସାରଣ ଏବଂ ସରକାରୀ ଜମିକୁ ଜବର ଦଖଲକାରୀଙ୍କ କବଳରୁ ହଟାଇବା ପାଇଁ ଯଶୀପୁର ଆରଆଇ ସମସ୍ତ ଜବର ଦଖଲକାରୀଙ୍କୁ କ ଏବଂ ଖ ଫର୍ମ ପ୍ରଦାନ କରିବା ସହ ପ୍ରଚାର ଏବଂ ପ୍ରସାର ମାଧ୍ୟମରେ ସେମାନଙ୍କୁ ସରକାରୀ ଜମିରୁ ହଟିଯିବା ପାଇଁ ମଧ୍ୟ ଜଣାଇଥିଲେ। ଆଜି ସମସ୍ତ ଜବର ଦଖଲକାରୀଙ୍କୁ ଯଶୀପୁର ବଜାରରୁ ହଟାଇ ଦିଆଯିବାରେ ଚାନ୍ଦବାଲି ତହସିଲ ପ୍ରଶାସନ ସଫଳ ହୋଇଥିବା ବେଳେ ଏହି ବଜାରଠାରୁ ମାତ୍ର କିଛି ଦୂରରେ ଥିବା ଦୁଗ୍ଧ ସଂଗ୍ରହ ଗୃହକୁ ସରକାରୀ ଜମିରୁ ହଟାଇବାକୁ ଅଂଚଳବାସୀ ଦାବୀ ଜଣାଇଥିଲେ। ମାତ୍ର ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ସରକାରୀ ଜମିରୁ ହଟାଇବା ପାଇଁ କୌଣସି ନୋଟିସ ଜାରୀ ହୋଇ ନଥିବାରୁ ତାଙ୍କୁ ହଟାଯାଇ ପାରି ନଥିଲା। ଏହି ଘଟଣାକୁ କେନ୍ଦ୍ର କରି ପ୍ରଶାସନ ଏବଂ ବ୍ୟବସାୟୀ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଉଚବାଚ୍ୟ ମଧ୍ୟ ହୋଇଥିଲା। ଆଗାମୀ ଦିନରେ ଅର୍ଥାତ ଖୁବଶୀଘ୍ର ଏହି ଦୁଗ୍ଧ ସଂଗ୍ରହ ଗୃହକୁ ହଟାଯିବା ସହ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ସରକାରୀ ଜମିରୁ ହଟାଯିବ ବୋଲି ତହସିଲଦାର ସଂପୃକ୍ତ ବ୍ୟବସାୟୀ ଗୋଷ୍ଠୀଙ୍କୁ ଆଶ୍ୱାସନା ଦେଇଥିଲେ। ଆଜିର ଏହି ବଜାର ସଂପ୍ରସାରଣ ଫଳରେ ଆଗାମୀ ଦିନରେ ୧୦ କି.ମି ଦୈର୍ଘ୍ୟ ବିଶିଷ୍ଟ ବାଂଶଡା-ଦିଗଛିଆ ରାସ୍ତାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିବ ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରୁ ପ୍ରକାଶ। ଆଜିର ଏହି ସଂପ୍ରସାରଣ ସମୟରେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର , ଅତିରିକ୍ତ ତହସିଲଦାର ଦିପ୍ତିରଞ୍ଜନ ଜେନା, ଦାଶରଥି ଦାସ, ଯଶୀପୁର ଆର ଆଇ, ବାଂଶଡା ଥାନାଧିକାରୀ ଦେବରାଜ ଜେନା, ୧ପ୍ଲାଟୁନ ସୁରକ୍ଷାକର୍ମୀ, ଚାନ୍ଦବାଲି ଏସଡିପିଓ ଦେବୀ ଶଙ୍କର ପ୍ରତାପ,ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ସହକାରୀ ଯନ୍ତ୍ରୀ ଚରଣ ସିଂ, ସୁରେଶ ସାହୁ,ବାଂଶଡା ରାଜସ୍ୱ ନିରୀକ୍ଷକ ଗୌତମ ମଲିକ ପ୍ରମୁଖ ଉପସ୍ଥିତ ଥିଲେ।



