ବାରୱାନି : ମଧ୍ୟପ୍ରଦେଶର ବାରୱାନି ଜିଲା, ସେନ୍ଧୱା ଥାନା ଅନ୍ତର୍ଗତ ଚିଖ୍ଲି ଗ୍ରାମର ଏକ କୂଅରୁ ୫ ଶିଶୁଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଗ୍ରାମବାସୀ କୂଅରେ ଶିଶୁଙ୍କ ମୃତଦେହ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ସମସ୍ତ ମୃତକ ହେଉଛନ୍ତି ଚିଖ୍ଲି ଗ୍ରାମର ଭରତ ସିଂହ(୪୦)ଙ୍କ ପୁଅ ଓ ସେମାନଙ୍କ ବୟସ ୩ରୁ ୭ବର୍ଷ ମଧ୍ୟରେ। ସେଥିମଧ୍ୟରୁ ୪ଜଣ ଭରତଙ୍କ ପ୍ରଥମ ପନ୍ତ୍ରୀ ସୁନ୍ଦରୀ ବାଈ(୩୬)ଙ୍କ ଗର୍ଭରୁ ଜାତ ହୋଇଥିବାବେଳେ ଜଣେ ଦ୍ୱିତୀୟ ପତ୍ନୀ ଅନିତା(୩୦)ଙ୍କର। ଭରତ ଓ ତାଙ୍କର ଦୁଇ ପତ୍ନୀ ନିଖୋଜ ଅଛନ୍ତି। ସ୍ଥାନୀୟ ଅତିରିକ୍ତ ପୁଲିସ ଅଧୀକ୍ଷକ(ଏଏସ୍ପି) ଓମ୍କାର ସିଂହ କାଲେସାଙ୍କ ସୂଚନାନୁଯାୟୀ, ପାରିବାରିକ ବିଶୃଙ୍ଖଳାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଗ୍ରାମବାସୀ ମଧ୍ୟ ଭରତଙ୍କ ପାରିବାରିକ ବିବାଦ ସମ୍ପର୍କରେ ପୁଲିସକୁ ସୂଚନା ଦେଇଛନ୍ତି। ଏହା ଏକ ହତ୍ୟାକାଣ୍ଡ ବୋଲି ଆପାତତଃ ସ୍ପଷ୍ଟ ହୋଇଛି; ତେବେ ଭରତ, ସୁନ୍ଦରୀ ଓ ଅନିତାଙ୍କୁ ଠାବ କରାଯିବା ପରେ ଶିଶୁପୁତ୍ରମାନଙ୍କର ମୃତ୍ୟୁ ସମ୍ପର୍କରେ ସଠିକ୍ ତଥ୍ୟ ମିଳିବ ବୋଲି କହିଛନ୍ତି ଏଏସ୍ପି ଓମ୍କାର।
Popular Categories



