ଚେନ୍ନଇର ଆତ୍ମସମର୍ପଣ, କଲକାତାର ତୃତୀୟ ବିଜୟ

ଚେନ୍ନଇ: ମହେନ୍ଦ୍ର ସିଂହ ଧୋନି ଅଧିନାୟକ ଦାୟିତ୍ବକୁ ଫେରିବା ପ​ରେ ଚଳିତ ଆଇପିଏଲରେ ଚେନ୍ନଇ ସୁପରକିଙ୍ଗ୍‌ସର ଭାଗ୍ୟ ଉଦୟ ହେବା ନେଇ ପ୍ରଶଂସକମାନେ ଆଶା ରଖିଥିଲେ। କିନ୍ତୁ କଲକାତା ନାଇଟ୍‌ ରାଇଡର୍ସ ବୋଲରମାନେ ସେ ସୁଯୋଗ ଦେଇନଥିଲେ। ଘରୋଇ ପଡ଼ିଆରେ ଚେନ୍ନଇ ସୁପରକିଙ୍ଗ୍‌ସ କଲକାତା ନାଇଟ୍‌ ରାଇଡର୍ସ ନିକଟରେ ଆତ୍ମସମର୍ପଣ କରିବା ସହ ପଞ୍ଚମ ପରାଜୟ ଭୋଗିଛି । ଶୁକ୍ରବାର ଏମ.ଏ ଚିଦାମ୍ବରମ ଷ୍ଟାଡ଼ିୟମରେ ଖେଳାଯାଇଥିବା ୨୫ତମ ମ୍ୟାଚରେ କଲକାତା ନାଇଟ୍‌ ରାଇଡର୍ସ ୮ ୱିକେଟରେ ଚେନ୍ନଇ ସୁପରକିଙ୍ଗ୍‌ସକୁ ପରାସ୍ତ କରିଛି। କଲକାତା ନାଇଟ୍‌ ରାଇଡର୍ସର ଏହା ତୃତୀୟ ବିଜୟ।
ଚେନ୍ନଇ ସୁପରକିଙ୍ଗ୍‌ସ କଲକାତା ନାଇଟ୍‌ ରାଇଡର୍ସ ବୋଲରଙ୍କୁ ଉପଯୁକ୍ତ ମୁକାବିଲା କରିନପାରି ୧୦୩ରନ କରିବାକୁ ସକ୍ଷମ ହୋଇଥିଲା। ଜବାବରେ କଲକାତା ନାଇଟ୍‌ ରାଇଡର୍ସ ସୁନୀଲ ନାରାୟଣଙ୍କ ୪୪ରନ ବଳରେ ୫୯ଟି ବଲ ବାକିଥାଇ ୨ ୱିକେଟ ହରାଇ ୧୦୭ରନ କରି ବିଜୟୀ ହୋଇଥିଲା।
୧୦୪ରନର ଛୋଟିଆ ଲକ୍ଷ୍ୟକୁ କଲକାତା ନାଇଟ୍‌ ରାଇଡର୍ସର ଦୁଇ ଓପନର ସୁନୀଲ ନାରାୟଣ ଓ କ୍ବିଣ୍ଟନ ଡିକକ ଦ୍ରୁତ ଗତିରେ ପିଛା କରିଥିଲେ। ଉଭୟ ୨୫ଟି ବଲରୁ ୪୬ରନ ସଂଗ୍ରହ କରିଥିଲେ। ଡିକକ ୨୩ରନ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟରେ ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ନାରାୟଣ ୩୯ରନ ଭାଗୀଦାରୀ କରିବା ସହ ସ୍କୋରକୁ ୮୫ରନରେ ପହଞ୍ଚାଇଥିଲେ। ନାରାୟଣ ୪୪ରନ କରି ଆଉଟ୍‌ ହୋଇଥିଲେ। ରାହାଣେ ଓ ରିଙ୍କୁ ସିଂହ ତୃତୀୟ ୱିକେଟରେ ଅବିଭାଜିତ ୨୨ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇଥିଲେ। ରାହାଣେ ୨୦ ଓ ରିଙ୍କୁ ୧୫ରନ କରି ଅପରାଜିତ ରହିଥିଲେ।ଚେନ୍ନଇ ପକ୍ଷରୁ ଅନସୁଲ କାମ୍ବୋଜ ଓ ନୂର ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଅଲରାଉଣ୍ଡର ପ୍ରଦର୍ଶନ ଲାଗି ସୁନୀଲ ନାରାୟଣ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।
କଲକାତା ନାଇଟ୍‌ ରାଇଡର୍ସ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଚେନ୍ନଇ ସୁପରକିଙ୍ଗ୍‌ସ ପ୍ରାରମ୍ଭରୁ ବ୍ୟାଟିଂ ଦୁର୍ଦଶା ଭୋଗିଥିଲା। ଦଳ ୧୬ରନ ମଧ୍ୟରେ ଦୁଇ ଓପନର ରଚିନ ରବୀନ୍ଦ୍ର(୪) ଓ ଡିଭନ କନ୍‌ୱେ(୧୨)ଙ୍କୁ ହରାଇଥିଲା। ତୃତୀୟ ୱିକେଟରେ ରାହୁଲ ତ୍ରିପାଠୀ ଓ ବିଜୟ ଶଙ୍କର ୪୩ରନ ସଂଗ୍ରହ କରିଥିଲେ। ୫୯ରନ ସ୍କୋର ଥିବାବେଳେ ଶଙ୍କର ୨୯ରନ କରି ଆଉଟ୍‌ ହୋଇଥିଲେ। ମଧ୍ୟକ୍ରମରେ ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗିବା ସହ ୨୦ରନ ମଧ୍ୟରେ ୭ ଟି ୱିକେଟ ହରାଇଥିଲା। ୭୯ରନ ମଧ୍ୟରେ ଦଳ ୯ ଟି ୱିକେଟ ହରାଇଥିଲା। ରାହୁଲ ତ୍ରିପାଠୀ ୧୬, ରବିଚନ୍ଦ୍ରନ ଅଶ୍ବିନ , ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ନୂର ଅହମ୍ମଦ ୧ ରନ ଲେଖାଏଁ କରିଥିବାବେଳେ ରବୀନ୍ଦ୍ର ଜାଡେଜା ଓ ଦୀପକ ହୁଡା ଖାତା ଖୋଲି ପାରିନଥିଲେ। ଦଳ ଶିଭମ ଦୁବେଙ୍କ ଅପରାଜିତ ୩୧ରନ ବଳରେ ଦଳ ୯ ୱିକେଟରେ ୧୦୩ରନ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଅନସୁଲ କାମ୍ବୋଜ ୩ରନ କରି ଅପରାଜିତ ରହିଥିଲେ। କଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ସୁନୀଲ ନାରାୟଣ ୩ଟି, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏଁ, ବୈଭବ ଆରୋରା ଓ ମୋଇନ ଅଲ୍ଲୀ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Comments are closed.