ଭୁବନେଶ୍ୱର: ରନ୍ଧନଗ୍ୟାସର କ୍ରମାଗତ ଓ ଅହେତୁକ ମୂଲ୍ୟବୃଦ୍ଧି ବିଶେଷକରି ଗତ ଦୁଇଦିନ ତଳେ ସିଲିଣ୍ଡର ପିଛା ୨୫ଟଙ୍କା ବୃଦ୍ଧିର ପ୍ରତିବାଦରେ ଆଜି ରାଜଧାନୀ ଭୁବନେଶ୍ୱରରେ ସିପିଆଇ ପକ୍ଷରୁ ବିକ୍ଷୋଭ ଓ ରାସ୍ତାରୋକ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଶତାଧିକ ସିପିଆଇ କର୍ମୀ ରାଜ୍ୟ ଦପ୍ତର ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ । ସେମାନେ ରନ୍ଧନଗ୍ୟାସ୍ର ମୂଲ୍ୟବୃଦ୍ଧି ବିରୋଧରେ ଲେଖାଥିବା ବିଭିନ୍ନ ପ୍ଲାକାର୍ଡ଼ମାନ ହାତରେ ଧରିବା ସଙ୍ଗେ ସଙ୍ଗେ ଗ୍ୟାସ୍ ସିଲିଣ୍ଡରକୁ ମୁଣ୍ଡରେ ମୁଣ୍ଡାଇଥିବା ଦେଖାଯାଇଥିଲା ।
ଶୋଭାଯାତ୍ରାକାରୀମାନେ ଅଶୋକନଗର ଅଞ୍ଚଳ ପରିକ୍ରମା କରି ରାଜମହଲ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ରାସ୍ତାଉପରେ ବସିରହି ରାସ୍ତାରୋକ ଆନ୍ଦୋଳନ କରିବା ଫଳରେ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥିଲା । ସେଠାରେ ସିପିଆଇ ଭୁବନେଶ୍ୱର ଜୋନ୍ ସଂପାଦକ ସୁରଜେନା ବିକ୍ଷୋଭକାରୀମାନଙ୍କୁ ଉଦ୍ବୋଧନ ଦେଇ ରନ୍ଧନଗ୍ୟାସ୍ର ଦରବୃଦ୍ଧି ଗୃହିଣୀମାନଙ୍କ ହାଣ୍ଡିଶାଳ ଉପରେ ବୋମାମାଡ଼ ସଦୃଶ ବୋଲି ମତଦେଇ, ମୋଦି ଶାସନ କ୍ଷମତାକୁ ଆସିବା ପରେ ସିଲିଣ୍ଡର ପିଛା ୫୦୦ଟଙ୍କା ଦର ବଢ଼ିଛି ଏବଂ ୨୦୨୧ ମସିହାର ୯ ମାସ ମଧ୍ୟରେ କେବଳ ୨୦୦ଟଙ୍କା ବଢ଼ିଛି ବୋଲି କହି କେନ୍ଦ୍ର ସରକାରର ତୀବ୍ର ସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଜୟନ୍ତ ଦାସ, କ୍ଷେତ ମୂଲିଆ ନେତା ଶରତ ସ୍ୱାଇଁ, ଛେତମ୍ବର ଭୋଇ, ସାଗରିକା ଦାସ ଓ ଜଗନ୍ନାଥ ପାତ୍ର ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ।



