ଯାଜପୁର : ଖବର କାଗଜ ହକର ମାନଙ୍କର ସେବା ଓ ସହଯୋଗ ପାଇଁ ରାଜ୍ୟ ସରକାର ସେମାନଙ୍କୁ ଗୁରୁବାର ପୂର୍ବାହ୍ନରେ କୋଭିଡ ସହାୟତା ପ୍ରଦାନ କରିଚ୍ଥନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ସେମାନଙ୍କର ସେବାକାର୍ଯ୍ୟ ଏବଂ ଖରା, ବର୍ଷା, ଶୀତ, କାକରରେ ଏପରିକି, କୋଭିଡ ସମୟରେ ମଧ୍ୟ ନିଜ ଜୀବନକୁ ବିପନ୍ନ କରି ଖବରକାଗଜ ବଣ୍ଟନ କରି ଲୋକଙ୍କୁ ବିଭିନ୍ନ ସୂଚନା ପ୍ରଦାନ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ। ହକର ମାନଙ୍କର ଏହି କାର୍ଯ୍ୟକୁ ସ୍ୱୀକୃତି ଜଣାଇ ସରକାର ସେମାନଙ୍କୁ ୬୦୦୦ ଟଙ୍କାର ଆର୍ଥିକ ସହଯୋଗ ଅନଲାଇନ୍ ମାଧ୍ୟମରେ ସେମାନଙ୍କ ଜମା କାତାକୁ ପ୍ରଦାନ କରିଚ୍ଥନ୍ତି । ଏହି ଅବସରରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଓସୱାନ କନଫରେନ୍ସ ହଲରେ ଖବରକାଗଜ ହକର ମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।
ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଶ୍ରମ ନିରୀକ୍ଷକ ସଂଜୀବ କୁମାର ଦେଓ ପ୍ରମୁଖ ଉପସ୍ଥିତ ରହି ଆଭାସୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ଅନଲାଇନରେ ହକର ମାନଙ୍କୁ ଟଙ୍କା ପ୍ରଦାନ ସହ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥଲେ। ଉପସ୍ଥିତ ହକରମାନେ ସେମାନଙ୍କ ପ୍ରତିକ୍ରିୟାରେ ଦୀର୍ଘ କେତେ ଦଶନ୍ଧି ଧରି ସେମାନେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କ ସୁରକ୍ଷା ନ ଥିଲା। ସରକାର ସେମାନଙ୍କୁ ସ୍ୱୀକୃତି, ପରିଚୟ ଓ ଆର୍ଥିକ ସହାୟତା ପ୍ରଦାନ ସହ ସେମାନଙ୍କ ସୁବିଧା ପାଇଁ ସେଡ ନିର୍ମାଣ କରିବାକୁ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ହକର ସୁରେନ୍ଦ୍ର କୁମାର ଜେନା, ଗୌତମ ସାମନ୍ତ, ଭ୍ରମରବର ସୂତାର, କମ୍ଭୁନାଥ ପରମାଣିକ, ପ୍ରକାଶ କୁମାର ମାଝି, ନାରାୟଣ ସେଠୀ, ଗୋବିନ୍ଦ ସାମନ୍ତ, ଗୋବର୍ଦ୍ଧନ ମହାପାତ୍ର, ଜ୍ଞାନେନ୍ଦ୍ର ନାଥ ମିଶ୍ର, ବ୍ରଜେନ୍ଦ୍ର ମିଶ୍ର, ବଂଶୀଧର ସେଠୀ, ଅନନ୍ତ ପୃଷ୍ଟି, ରମାକାନ୍ତ ସାହୁ, ଅମରଜିତ୍ ବୋଷ, ଶରତ କୁମାର ସାହୁ, ପ୍ରଫୁଲ୍ଳ କୁମାର ସେନାପତି, ସରୋଜ ମିଶ୍ର, ବିଦ୍ୟାଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନା ଯୋଗ୍ୟ ଯେ, ଯାଜପୁର ଜିଲ୍ଲାର ୩୧୫ ଜଣ ହକର ସେମାନଙ୍କ ନାମ ପଞ୍ଜିକୃତ କରିଥିବାରୁ ଏହି ସହାୟତା ପ୍ରଦାନ କରାଯାଇଛି । ଅପର ପକ୍ଷରେ ଅଣସଂଗଠିତ କ୍ଷେତ୍ର ଭାବେ ସେମାନଙ୍କର ପଞ୍ଜିକରଣ ପାଇଁ ପଦକ୍ଷେପ ନିଆଯାଇଛି। ନିୟମ ଅନୁସାରେ ଖବରକାଗଜ ହକର ମାନଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଲେ ୨ ଲକ୍ଷ, ଅନ୍ୟ ମୃତ୍ୟୁ କ୍ଷେତ୍ରରେ ୧ ଲକ୍ଷ, ଦୁର୍ଘଟଣା ଯୋଗୁ ସଂପୂର୍ଣ୍ଣ ଅକ୍ଷମତା ପାଇଁ ଦେଢ ଲକ୍ଷ, ଦୁଇ ଅଙ୍ଗ ଅଚଳ ହେଲେ ଅଶି ହଜାର ଓ ଗୋଟିଏ ଅଙ୍ଗ ଅଚଳ କ୍ଷେତ୍ରରେ ୪୦ ହଜାର ଟଙ୍କାର ସହାୟତା ପାଇଁ ସରକାର ବ୍ୟବସ୍ଥା କରିଚ୍ଥନ୍ତି । ସେହିପରି ନଗର ଉନ୍ନୟନ ବିଭାଗ ପକ୍ଷରୁ ସେମାନଙ୍କ ପାଇଁ ୱାର୍କ ସେଡ ବା କାର୍ଯ୍ୟ କରିବା ପାଇଁ ସୁରକ୍ଷିତ ସ୍ଥାନ ବ୍ୟବସ୍ଥା କରାଯାଉଛି ।



