ଭେଣ୍ଟିଲେଟର ନିର୍ମାଣ କରିବାକୁ ଅଟୋମୋବାଇଲ କମ୍ପାନୀଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରାଳୟର ନିର୍ଦେଶ
ନୂଆଦିଲ୍ଲୀ : କୋଭିଡ୍-୧୯ର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଦେଶରେ ଭେଣ୍ଟିଲେଟର ନିର୍ମାଣ କରିବାକୁ ଅଟୋମୋବାଇଲ ନିର୍ମାଣକାରୀ କମ୍ପାନୀଗୁଡିକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି। ଭେଣ୍ଟିଲେଟର ନିର୍ମାଣ କ୍ଷେତ୍ରରେ କମ୍ପାନୀଗୁଡିକ ସେମାନଙ୍କର ପ୍ଲାଣ୍ଟକୁ ବ୍ୟବହାର କରିପାରିବେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୋମବାର କହିଛି। ଆସନ୍ତା ସପ୍ତାହ ବେଳକୁ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆର୍ଡିଓ) ଦିନକୁ ୨୦୦୦୦ ଏନ୍-୯୫ ମାସ୍କ ପ୍ରସ୍ତୁତି ଆରମ୍ଭ କରିବ ବୋଲି ମନ୍ତ୍ରାଳୟ କହିଛି। କୋଭିଡ୍-୧୯ ରୋଗୀଙ୍କପାଇଁ ଦେଶରେ ସମ୍ପ୍ରତି ୧୪,୦୦୦ରୁ ଅଧିକ ଭେଣ୍ଟିଲେଟର ରହିଛି। ଦେଶରେ ଆରୁ ୧୧.୯୫ ଲକ୍ଷ ଏନ୍-୯୫ ମାସ୍କ ମହଜୁଦ ରହିଛି। ଗତ ଦୁଇ ଦିନରେ ୫ ଲକ୍ଷ ମାସ୍କ ବଣ୍ଟନ କରାଯାଇସାରିଛି। ଅନ୍ୟପକ୍ଷରେ ଭେଣ୍ଟିଲେଟର ନିର୍ମାଣ କରିବା ଦିଗରେ କେତେକ ଅଟୋମୋବାଇଲ କମ୍ପାନୀ କାର୍ଯ୍ୟ ଆରମ୍ଭ କରିଦେଇଥିବା ମନ୍ତ୍ରାଳୟ କହିଛି।
ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନସ୍ଥ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (ବେଲ)କୁ ଆସନ୍ତା ଦୁଇ ମାସ ମଧ୍ୟରେ ୩୦,୦୦୦ ଭେଣ୍ଟିଲେଟର ନିର୍ମାଣ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦେଶ ଦେଇସାରିଛି। ତେବେ କମ୍ପାନୀ ସ୍ଥାନୀୟ ନିର୍ମାତାଙ୍କ ସହଯୋଗିତାରେ ଏହାକୁ ପ୍ରସ୍ତୁତ କରିବାକୁ କୁହାଯାଇଛି। ନଏଡା ଭିତ୍ତିକ ଆଗ୍ଭା ହେଲ୍ଥ କେୟାରକୁ ମାସକ ମଧ୍ୟରେ ୧୦,୦୦୦ ଭେଣ୍ଟିଲେଟର ନିର୍ମାଣ ଅର୍ଡର ଦିଆଯାଇଛି। କମ୍ପାନୀ ଏପ୍ରିଲ ଦ୍ବିତୀୟ ସପ୍ତାହରୁ ଏଗୁଡିକର ଯୋଗାଣ ଆରମ୍ଭ ହେବା ଆଶା କରାଯାଉଥିବା ମନ୍ତ୍ରାଳୟ କହିଛି।
Comments are closed.