www.samajalive.in
Tuesday, December 9, 2025
16.1 C
Bhubaneswar

ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କ ପରାମର୍ଶ ଲୋଡ଼ିଲା ମନ୍ଦିର ପ୍ରଶାସନ

-କଟକଣା ସହ ରଥଯାତ୍ରା ପାଇଁ ସେବକଙ୍କ ଦାବି, -ସମସ୍ତଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି : ମନ୍ତ୍ରୀ

ପୁରୀ : ମହାମାରୀ କରୋନା ବିପତ୍ତି ଯୋଗୁଁ ଚଳିତବର୍ଷ ରଥଯାତ୍ରା ଏବଂ ଚନ୍ଦନଯାତ୍ରା କରାଯିବ କି ନାହିଁ ସେ ସମ୍ପର୍କରେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲୋଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ଏବଂ ଜିଲାପାଳ ବଲୱନ୍ତ ସିଂହ ଗୁରୁବାର ଗୋବର୍ଦ୍ଧନ ପୀଠକୁ ଯାଇ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସହ ଆଲୋଚନା କରିଛନ୍ତି। ରୁଦ୍ଧଦ୍ବାର କୋଠରି ମଧ୍ୟରେ ପ୍ରାୟ ୩୦ମିନିଟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କୁ ରାତିରେ ସାକ୍ଷାତ କରି ମୁଖ୍ୟ ପ୍ରଶାସକ ଓ ଜିଲାପାଳ ଆଲୋଚନା କରିଥିବା ଜଣାପଡିଛି। ଶଙ୍କରାଚାର୍ଯ୍ୟ ଏବଂ ଗଜପତିଙ୍କ ପରାମର୍ଶ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଖୁବ୍‌ଶୀଘ୍ର ମନ୍ଦିର ପ୍ରଶାସନ ଅବଗତ କରାଇବ। ତାହାକୁ ଭିତ୍ତିକରି ଚଳିତବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଗାମୀ ଚନ୍ଦନଯାତ୍ରା ଏବଂ ରଥଯାତ୍ରା​‌ କରାଯିବ କି ନାହିଁ ସରକାର ନିଷ୍ପତ୍ତି ଗ୍ରହଣ କରିବେ।
ଆଗାମୀ ୨୬ତାରିଖ ଅକ୍ଷୟତୃତୀୟା ତିଥିରେ ରଥ ନିର୍ମାଣ ଅନୁକୂଳ ହେବା ବିଧି ରହିଛି। ସେହିଦିନ ଠାରୁ ଠାକୁରଙ୍କ ୨୧ଦିନିଆ ଚନ୍ଦନଯାତ୍ରା ଅାରମ୍ଭ ହେବ। ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ଏହାଛଡା ରଥ ନିର୍ମାଣ ଆରମ୍ଭ ନିମନ୍ତେ ଶ୍ରୀନଅର ସମ୍ମୁଖ ରଥଖଳାରେ ଛାମୁଣ୍ଡିଆ କରାଯାଇଛି। ରଥ ନିର୍ମାଣ ପାଇଁ ନୟାଗଡ ଏବଂ ଘୁମୁସର ବନଖଣ୍ଡ ଅଧିକାରୀ ଏପର୍ଯ୍ୟନ୍ତ ୨୬୪ ଖଣ୍ଡ ଅସନ, ଧଉରା, ଫାସି ଓ ସିମିଳି କାଠ ଯୋଗାଇ ଦେଇଛନ୍ତି। ଅକ୍ଷୟତୃତୀୟା ଆଉମାତ୍ର ୨ଦିନ ବାକିଥିବାରୁ ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା ବେଶ୍‌ ଗୁରୁତ୍ବପୂର୍ଣ୍ଣ ବୋଲି ମନେହେଉଛି। ଏହାଛଡା ଜୁନ୍‌ ୫ତାରିଖରେ ହେବାକୁ ଥିବା ମହାପ୍ରଭୁଙ୍କ ସ୍ନାନଯାତ୍ରା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସ୍ଥାୟୀ ସଭାପତି ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ କିଛିଦିନ ତଳେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠିଲେଖି ଆଗାମୀ ରଥଯାତ୍ରା ସମ୍ପର୍କରେ ମତାମତ ଜଣାଇଥିଲେ। ରଥଯାତ୍ରା ସମ୍ପର୍କରେ ସରକାର ଯଥାଶୀଘ୍ର ନିଷ୍ପତ୍ତି ନେବାକୁ ସେ ପରାମର୍ଶ ଦେଇଥିଲେ। ତେବେ ଆବଶ୍ୟକସ୍ଥଳେ ସାମାଜିକ ଦୂରତ୍ବ କଟକଣା ଲାଗୁ କରାଯାଇ ଶ୍ରୀଜୀଉଙ୍କ ନୀତିକାନ୍ତି ସହ ସଂପୃକ୍ତ ସେବକଙ୍କୁ ନେଇ ଚଳିତବର୍ଷ ରଥଯାତ୍ରା କରାଯିବାକୁ ଦଇତାପତି ନିଯୋଗ ସଭାପତି ରବୀନ୍ଦ୍ର ଦାସମହାପାତ୍ର, ପରିଚାଳନା କମିଟି ସଭ୍ୟ ରାମଚନ୍ଦ୍ର ଦାସମହାପାତ୍ର, ଦେଉଳ ପୁରୋହିତ ସିଦ୍ଧେଶ୍ବର ମହାପାତ୍ର ପରାମର୍ଶ ଦେଇଛନ୍ତି।
ଆଇନମନ୍ତ୍ରୀ ପ୍ରତାପ କୁମାର ଜେନା ଗୁରୁବାର ଏ ସମ୍ପର୍କରେ ଗଣମାଧ୍ୟମରେ ସ୍ପଷ୍ଟ ମତ ରଖିଛନ୍ତି। ସମସ୍ତଙ୍କ ସହ ଆଲୋଚନା କରି ଶ୍ରୀମନ୍ଦିର ପରିଚାଳନା କମିଟି ରଥଯାତ୍ରା ସମ୍ପର୍କରେ ଆବଶ୍ୟକୀୟ ନିଷ୍ପତ୍ତି ଗ୍ରହଣ କରିବ ବୋଲି ସେ ପ୍ରକାଶ କରିଛନ୍ତି। ରାଜ୍ୟରେ ଏବେ କରୋନା ବିପତ୍ତି ଲାଗି ରହିଥିବାରୁ ରଥଯାତ୍ରାରେ ସାମାଜିକ ଦୂରତ୍ବ କଟକଣା କାର୍ଯ୍ୟକାରୀ କରିବା ସରକାରଙ୍କ ପାଇଁ ସବୁଠାରୁ ବଡ ଆହ୍ବାନ ହେବ। ତେଣୁ ରାଜ୍ୟ ସରକାର ଏ ସମ୍ପର୍କରେ ଗୁରୁତର ସହ ବିଚାର ବିମର୍ଶ ଚଳାଇଛନ୍ତି। ଚଳିତବର୍ଷ ମହାପ୍ରଭୁଙ୍କ ଚନ୍ଦନଯାତ୍ରା, ସ୍ନାନଯାତ୍ରା ଏବଂ ରଥଯାତ୍ରା କିପରି ପାଳନ କରାଯିବ ସେ ସମ୍ପର୍କରେ ଦିନେ ଦୁଇଦିନ ମଧ୍ୟରେ ନିଷ୍ପତ୍ତି ଗ୍ରହଣ କରାଯିବା ସମ୍ଭାବନା ରହିଛି। ପୂର୍ବରୁ ମହାପ୍ରଭୁ ୧୪୪ବର୍ଷ ପାତାଳି ହେବା ସମୟରେ ରଥଯାତ୍ରା ହୋଇପାରି ନଥିବା ଗବେଷକ ଡଃ ସୁରେନ୍ଦ୍ର କୁମାର ମିଶ୍ର ମତ ଦେଇଛନ୍ତି। ସେହିପରି ପୁରୀ ବାହାରେ ମହାପ୍ରଭୁଙ୍କର ୮ବର୍ଷ ରଥଯାତ୍ରା ସମେତ ଗୋଟିଏ ନବକଳେବର ହୋଇଥିବା ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories