କଟକ : ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେଉଛନ୍ତି ଜଷ୍ଟିସ ମହମ୍ମଦ ରଫିକ । ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ ମହମ୍ମଦ ରଫିକଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି କରାଯିବା ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ତାଙ୍କ ବଦଳି ପାଇଁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ମିଳିବା ପରେ ଆଜି ଆଇନ ମନ୍ତ୍ରଣାଳୟ ବିଜ୍ଞପ୍ତି ପ୍ରକାଶ କରିଛି। ସୁପ୍ରିମକୋର୍ଟ କଲେଜିୟମ ତାଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ନେଇ ପ୍ରସ୍ତାବ ଗ୍ରହଣ କରିବା ସହ ଏ ନେଇ ତାଙ୍କ ନାଁକୁ କେନ୍ଦ୍ର ସରକାରଙ୍କ ନିକଟକୁ ସୁପାରିଶ କରିଥିଲା । ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଝାଭେରୀଙ୍କ ଅବସର ଗ୍ରହଣ କରିବା ପରେ ୨୦୧୯, ଜାନୁୟାରୀ ୫ତାରିଖରୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ସଞ୍ଜୁ ପଣ୍ଡା କାର୍ଯ୍ୟରତ ଅଛନ୍ତି ।
ସୂଚନାଯୋଗ୍ୟ ସେ ଗତ ନଭେମ୍ବର ୧୩ରେ ଜଷ୍ଟିସ ରଫିକ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ଏହାପୂର୍ବରୁ ସେ ରାଜସ୍ଥାନ ହାଇକୋର୍ଟରେ ଦୁଇ ଥର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ ମଧ୍ୟ କରିଛନ୍ତି। ଜଷ୍ଟିସ ମହମ୍ମଦ ରଫିକ୍, ୨୦୧୯, ନଭେମ୍ବର ୧୩ରେ ମେଘାଳୟର ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ତେବେ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ ହେବା ପୂର୍ବରୁ ସେ ରାଜସ୍ଥାନର ହାଇକୋର୍ଟରେ ଜଜ୍ ଭାବରେ କାର୍ଯ୍ୟ କରିଥିଲେ। ଯେଉଁଠାରେ ସେ ୨୦୦୬, ମଇ ୧୫ରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୯, ଏପ୍ରିଲ ୭ରୁ ମଇ ୪ତାରିଖ ପର୍ଯ୍ୟନ୍ତ ଏବଂ ୨୦୧୯, ସେପ୍ଟେମ୍ବର ୨୩ ରୁ ଅକ୍ଟୋବର ୫ତାରିଖ ପର୍ଯ୍ୟନ୍ତ ଦୁଇଥର ରାଜସ୍ଥାନ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ। ୧୯୬୦, ମଇ ୨୫ରେ ରାଜସ୍ଥାନର ଚୁରୁ ଜିଲ୍ଲାର ସୁଜନଗଡ଼ରେ ଜନ୍ମଗ୍ରହଣ କରିଥିଲେ ସେ। ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ୧୯୮୦ରେ ବି.କମ, ୧୯୮୪ରେ ଏଲଏଲବି ଏବଂ ୧୯୮୬ରେ ଏମ.କମ ପାଠ୍ୟ ସମାପ୍ତ କରିଥିଲେ। ଏହା ପରେ ସେ ଓକିଲାତି ପେଷା କରିବା ପାଇଁ ବାରରେ ଯୋଗ ଦେଇଥିଲେ ଏବଂ ୧୯୮୪, ଜୁଲାଇରୁ କାର୍ଯ୍ୟାରମ୍ଭ କରିଥିଲେ। ୧୯୮୬, ଜୁଲାଇ ୧୫ରୁ ୧୯୮୭, ଡିସେମ୍ବର ୨୧ପର୍ଯ୍ୟନ୍ତ ରାଜସ୍ଥାନ ରାଜ୍ୟ ପାଇଁ ସହକାରୀ ସରକାରୀ ଅାଇନଜୀବୀ(ଏଜିଏ) ଏବଂ ୧୯୮୭, ଡିସେମ୍ବର ୨୨ରୁ ୧୯୯୦ ଜୁନ୍ ୨୯ ପର୍ଯ୍ୟନ୍ତ ଡେପୁଟି ସରକାରୀ ଓକିଲ(ଡିଜିଏ)କାର୍ଯ୍ୟ କରିଥିଲେ।



