www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ଛଡ଼ାଇ ନେଇଛି ପାଠ: ପଢୁନାହାନ୍ତି ଗ୍ରାମାଞ୍ଚଳର ୩୭%, ସହରର ୧୯% ପିଲା

ନୂଆଦିଲ୍ଲୀ : କରୋନା ଯୋଗୁଁ ଗ୍ରାମାଞ୍ଚଳରେ ୩୭ ପ୍ରତିଶତ ଓ ସହରାଞ୍ଚଳରେ ୧୯ ପ୍ରତିଶତ ଛାତ୍ରଛାତ୍ରୀ ପ୍ରାୟତଃ ପାଠପଢ଼ା ଛାଡ଼ି ସାରିଲେଣି। ଗ୍ରାମାଞ୍ଚଳରେ ୪୮ ପ୍ରତିଶତ ନାମକୁ ମାତ୍ର ପଢ଼ୁଛନ୍ତି। ‘ଲକ୍‌ଡାଉନ୍‌ ଏମରଜେନ୍ସି ରିପୋର୍ଟ ଅନ୍‌ ସ୍କୁଲ ଏଜୁକେସନ୍‌’ ଶୀର୍ଷକ ସର୍ବେକ୍ଷଣରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଦେଶର ୧୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୧୪୦୦ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଅଗଷ୍ଟରେ ଏହି ଅନୁଧ୍ୟାନ କରାଯାଇଥିଲା। ତାଲାବନ୍ଦ ସମୟରେ ଗ୍ରାମାଞ୍ଚଳର ମାତ୍ର ୨୮ ପ୍ରତିଶତ ପିଲା ପାଠ ପଢ଼ୁଥିବା ଏଥିରୁ ସୂଚନା ମିଳିଛି। ସହରାଞ୍ଚଳରେ ୪୭ ପ୍ରତିଶତ ପିଲା ନିୟମିତ ପଢୁଥିଲାବେଳେ ୪୨ ପ୍ରତିଶତ ନାମକୁ ମାତ୍ର ପଢୁଥିଲେ। ଅନ୍‌ଲାଇନରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ହାର ଆହୁରି ଚିନ୍ତାଜନକ ରହିଛି। ଦେଶର ଅନେକ ଅଞ୍ଚଳରେ ଇଣ୍ଟରନେଟ୍‌ ବ୍ୟବସ୍ଥା ଅଭାବ ଓ ଅର୍ଥାଭାବ କାରଣରୁ ସ୍ମାର୍ଟ ଫୋନ୍‌ ନ ଥିବାରୁ ପାଠପଢ଼ା କ୍ଷେତ୍ରରେ ଆହୁରି ଉତ୍କଟ ଅବସ୍ଥା ସୃଷ୍ଟି ହୋଇଛି। ପାଠପଢ଼ାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଧିକାଂଶ ଆଦିବାସୀ ଓ ଦଳିତ ପରିବାରର ବୋଲି ଅନୁଧ୍ୟାନରୁ ପ୍ରକାଶ। ସହରାଞ୍ଚଳର ୨୪ ପ୍ରତିଶତ ପିଲା ଅନଲାଇନ୍‌ରେ ପଢ଼ିପାରୁଥିବାବେଳେ ଗ୍ରାମାଞ୍ଚଳ​‌ରେ ଏହି ଅନୁପାତ ମାତ୍ର ୮ ପ୍ରତିଶତ। ସ୍ମାର୍ଟଫୋନ ଥାଇ ମଧ୍ୟ ଅନେକ ଛାତ୍ରଛାତ୍ରୀ ପାଠପଢ଼ା ପ୍ରତି ଆଗ୍ରହ ଦେଖାଉ ନ ଥିଲାବେଳେ ସହରରେ ଏହି ଅନୁପାତ ୩୧ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୧୫ ପ୍ରତିଶତ। ସେମାନେ ଅନ୍‌ଲାଇନ୍‌ ଖେଳ ଓ ଅନ୍ୟ କାର୍ଯ୍ୟକ୍ରମ ପ୍ରତି ଆଗ୍ରହୀ ହେଉଛନ୍ତି। ଏହାକୁ ସମର୍ଥନ କରିଛନ୍ତି ସହରାଞ୍ଚଳର ୬୫ ପ୍ରତିଶତ ଅଭିଭାବକ। ପିଲାଙ୍କ ପାଠ ପଢ଼ାରେ ବ୍ୟାଘାତ ହୋଇଥିବା ସେମାନେ କହିଛନ୍ତି। ସେହିଭଳି ଗ୍ରାମାଞ୍ଚଳର ୯୮ ପ୍ରତିଶତ ଅଭିଭାବକ ପିଲାଙ୍କ ପାଠପଢ଼ା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି।
କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଭାରତର ୨୨ ପ୍ରତିଶତ ବିଦ୍ୟାଳୟରେ ଅଦ୍ୟାବଧି ଇଣ୍ଟରନେଟ୍‌ ସଂଯୋଗ ସମ୍ଭବ ହୋଇ ନାହିଁ। ସରକାରୀ ବିଦ୍ୟାଳୟରେ ଏହି ସଂଖ୍ୟା ୧୨ପ୍ରତିଶତରୁ କମ୍‌। ପୁନଶ୍ଚ ୩୦ପ୍ରତିଶତରୁ କମ୍‌ ସରକାରୀ ବିଦ୍ୟାଳୟରେ କଂପ୍ୟୁଟର ଲଗାଯାଇପାରିଛି ଏବଂ ଏଥିରୁ ସବୁ ମଧ୍ୟ କାର୍ଯ୍ୟକ୍ଷମ ନାହିଁ। ଶିକ୍ଷା ପାଇଁ କାର୍ଯ୍ୟକାରୀ ସମନ୍ବିତ ଜିଲା ସୂଚନା ବ୍ୟବସ୍ଥା ଆଧାରରେ ୧୫ଲକ୍ଷ ବିଦ୍ୟାଳୟରେ କରୋନାର ପ୍ରଥମ ଲହରବେଳେ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ପ୍ରାୟ ୨୬ ​‌େ​‌କାଟି ଛାତ୍ରଛାତ୍ରୀ ବିଦ୍ୟାଳୟରେ ପାଦ ଥାପି ପାରି ନାହାନ୍ତି। ଡିଜିଟାଲ ପାଠପଢ଼ା ବ୍ୟବସ୍ଥା ପ୍ରଚଳନ କରାଯାଇଥିଲେ ମଧ୍ୟ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଏହା ସଫଳ ହୋଇପାରି ନାହିଁ।
କେରଳ ଭଳି ରାଜ୍ୟରେ ୯୦ ପ୍ରତିଶତ ସରକାରୀ ଓ ଘରୋଇ ବିଦ୍ୟାଳୟରେ କଂପ୍ୟୁଟର କାର୍ଯ୍ୟକ୍ଷମ ରହିଥିବାବେଳେ ଛତିଶଗଡ଼ରେ ୮୩ ପ୍ରତିଶତ, ଝାଡ଼ଖଣ୍ଡରେ ୭୩, ତାମିଲନାଡୁରେ ୭୭, ଗୁଜରାତରେ ୭୪ ଓ ମହାରାଷ୍ଟ୍ରରେ ୭୧ ପ୍ରତିଶତ ବିଦ୍ୟାଳୟରେ ଏହା ଉପଲବ୍ଧ। ଅପରପକ୍ଷରେ ଆସାମ ଓ ମଧ୍ୟପ୍ରଦେଶରେ ୧୩, ବିହାରରେ ୧୪, ପଶ୍ଚିମବଙ୍ଗରେ ୧୪, ତ୍ରିପୁରାରେ ୧୫ ଓ ଉତ୍ତର ପ୍ରଦେଶରେ ମାତ୍ର ୧୮ପ୍ରତିଶତ ବିଦ୍ୟାଳୟରେ କଂପ୍ୟୁଟର କାର୍ଯ୍ୟକ୍ଷମ ରହିଛି। ଅବଶିଷ୍ଟ ରାଜ୍ୟର ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଏହି ସଂଖ୍ୟା ଦୟନୀୟ ଭାବେ ୫ପ୍ରତିଶତରୁ କମ୍‌। କରୋନା ସମୟରେ ‘ହାଇବ୍ରିଡ୍‌’ ଅଧ୍ୟୟନ ବ୍ୟବସ୍ଥା ପାଇଁ ସରକାର କହୁଥିବାବେଳେ ଏହା କିପରି ସମ୍ଭବ ହେବ ବୋଲି ଶିକ୍ଷାବିତ୍‌ମାନେ ମତ ଦେଉଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories