ନୂଆଦିଲ୍ଲୀ : ସିବିଆଇର ଅନ୍ତରୀଣ ନିର୍ଦେଶକ ଭାବେ ଏମ୍. ନାଗେଶ୍ବର ରାଓଙ୍କ ନିଯୁକ୍ତିକୁ ନେଇ କୋର୍ଟଙ୍କୁ ସମାଲୋଚନା ପୂର୍ବକ ଟ୍ବିଟ କରି ଅଡୁଆରେ ପଡିଛନ୍ତି ସାମାଜିକ କର୍ମୀ ତଥା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ବୁଧବାର ତାଙ୍କୁ ନୋଟିସ ଜାରି କରି ଜବାବ ଲୋଡିଛନ୍ତି। ତିନି ସପ୍ତାହ ମଧ୍ୟରେ ନିଜ ଜବାବ ଦାଖଲ କରିବାକୁ ବିଚାରପତି ଅରୁଣ ମିଶ୍ର ଏବଂ ନବୀନ ସିହ୍ନାଙ୍କ ପୀଠ ତାଙ୍କୁ ନିର୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି କରି ପୀଠ କହିଛନ୍ତି ବିଚାରାଧିନ ଥିବା ଏକ ମାମଲାରେ କୋର୍ଟଙ୍କୁ ସମାଲୋଚନା ପୂର୍ବକ ଜନମତକୁ ପ୍ରଭାବିତ କରିବା ଭଳି ମନ୍ତବ୍ୟ ଦେବା ନେଇ ଜଣେ ଆଇନଜୀବୀ ଅଥବା ଅନ୍ୟ କୌଣସି ବ୍ୟକ୍ତିଙ୍କର ସ୍ବାଧୀନତା ରହିଛି କି ନାହିଁ ତାହା ବିଚାରକୁ ନିଆଯିବ। ଏଭଳି ସମାଲୋଚନା ଦ୍ବାରା ନ୍ୟାୟ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏଣୁ ଏହି ପ୍ରସଙ୍ଗ ଉପରେ ବିସ୍ତୃତ ଶୁଣାଣି ହେବାର ଆବଶ୍ୟକତା ଅଛି। ମାର୍ଚ୍ଚ ୭ରେ ଏହାର ପରବର୍ତ୍ତି ଶୁଣାଣି ହେବ।
ଭୂଷଣ ଫେବୃଆରୀ ୧ରେ ଏହି ବିବାଦୀୟ ଟ୍ବିଟ କରିଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ ସିବିଆଇ ଅନ୍ତରୀଣ ନିର୍ଦେଶକ ନିଯୁକ୍ତି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷ ଉପସ୍ଥାପନ କରୁଥିବା ଆଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳ ସର୍ବୋଚ୍ଚ ଅଦାଲତଙ୍କୁ ଦିଗହରା କରିଥିବା ମନେହେଉଛି। ସମ୍ଭବତଃ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ ଉଚ୍ଚ କ୍ଷମତା ସମ୍ପନ୍ନ ଚୟନ କମିଟିର ନିଷ୍ପତ୍ତି ସମ୍ବନ୍ଧୀୟ ତ୍ରୁଟିପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଛି ବୋଲି ଭୂଷଣ ଦର୍ଶାଇଥିଲେ। ଏହାର ପ୍ରତିବାଦରେ ବେଣୁଗୋପାଳ ଏକ ଅଦାଲତ ଅବମାନନା ମଙ୍ଗଳବାର ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଆବେଦନରେ ସେ ଦର୍ଶାଇଥିଲେ ଯେ ଭୂଷଣ ଜାଣିଶୁଣି ଆଟର୍ଣ୍ଣି ଜେନେରାଲଙ୍କ ସତ୍ୟନିଷ୍ଠତା ଓ କର୍ତ୍ତବ୍ୟ ପରାୟଣତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଉଲ୍ଲେଖ ଯେ ଫେବୃଆରୀ ୧ରେ ବିଚାରପତି ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପୀଠ ରାଓଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ସ୍ବେଚ୍ଛାସେବୀ ସଂଗଠନ କମନକଜ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରିଥିଲେ। ଜାନୁଆରୀ ୯ ଓ ୧୦ରେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ ସମ୍ବନ୍ଧରେ ବେଣୁଗୋପାଳ ଶୁଣାଣି ବେଳେ ପୀଠଙ୍କୁ ସୂଚନା ଦେଇଥିଲେ। ଚୟନ କମିଟିର ଅନୁମତି ପରେ ରାଓଙ୍କୁ କେନ୍ଦ୍ର ସରକାର ନିଯୁକ୍ତ କରିଥିଲେ ବୋଲି ବେଣୁଗୋପାଳ କହିଥିଲେ।
ସିବିଆଇ ଅନ୍ତରୀଣ ମୁଖ୍ୟ ନିଯୁକ୍ତି ସମ୍ବନ୍ଧରେ ଟ୍ବିଟ କରି ଅଡୁଆରେ ପ୍ରଶାନ୍ତ ଭୂଷଣ
Popular Categories



