www.samajalive.in
Sunday, December 7, 2025
23.1 C
Bhubaneswar

ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ଓଡ଼ିଶାବାସୀଙ୍କ ଆୟ ବୃଦ୍ଧି ନିହାତି ଆବଶ୍ୟକ : କଂଗ୍ରେସ

ଭୁବନେଶ୍ୱର : ଓଡ଼ିଶାରେ ଦୀର୍ଘବର୍ଷ ଧରି ବିଜେଡ଼ି ଶାସନ ବ୍ୟବସ୍ଥାରେ ଥାଇ ମଧ୍ୟ ରାଜ୍ୟର ସାମଗ୍ରିକ ଅର୍ଥନୈତିକ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସଂପୂର୍ଣ୍ଣରୂପେ ବିଫଳ ହୋଇଛି । ଆଜି ପ୍ରଦେଶ କଂଗ୍ରେସ ମୁଖ୍ୟାଳୟ ଠାରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ବିଜୟଲକ୍ଷ୍ମୀ ସାହୁ, ପ୍ରଦେଶ କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥିଙ୍କ ସହିତ ରାଜ୍ୟ ସରକାରଙ୍କର ଅର୍ଥନୈତିକ କୁପରିଚାଳନାକୁ ନେଇ ସମାଲୋଚନା କରିଥିଲେ । ରାଜ୍ୟର ଅନେକ ବିଭାଗ ଜରିଆରେ ସାଧାରଣ ଜନତାଙ୍କର ସାମଗ୍ରିକ ଅର୍ଥନୈତିକ ବିକାଶ ତଥା ପାରିବାରିକ ଆୟ ବୃଦ୍ଧି ଘଟିଛି କହି ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି ତାର ବାସ୍ତବ ଚିତ୍ର କିଛି ଅଲଗା । ଆଜି ପ୍ରଦେଶ କଂଗ୍ରେସ ତରଫରୁ ମୁଖପାତ୍ର ପ୍ରଶାନ୍ତ ଶତପଥି ଓଡ଼ିଶା ସରକାରଙ୍କର ମିଶନ ଶକ୍ତି ବିଭାଗର ଶକ୍ତିହୀନ ପ୍ରଦର୍ଶନକୁ ନେଇ ଏକ ପରିସଂଖ୍ୟାନ ଦେଇ କହିଛନ୍ତି ଯେ, ରାଜ୍ୟର ମୁଖ୍ୟ ଶାସନ ସଚ୍ଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ସୂଚନା ଦିଆଗଲାକି ୨୦୧୯-୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷରେ ମିଶନ ଶକ୍ତି ବିଭାଗ ମହିଳା ସଂୟସହାୟକ ଗୋଷ୍ଠୀଙ୍କ ସହ ମିଶି ୩ ହଜାର ୫୮୩ କୋଟି ଟଙ୍କାର ବ୍ୟବସାୟ କରିପାରିଛି ।

ଏଥିରେ ୨୦୧୯-୨୦ ଆର୍ଥିକ ବର୍ଷରେ ୧୪୧୨ କୋଟି ଟଙ୍କାର ବ୍ୟବସାୟ ୨୦୪୪୯ ସଂୟସହାୟକ ଗୋଷ୍ଠୀଙ୍କ ସହଭାଗିତାରେ ହୋଇଛି । ଯଦି ସାଧାରଣ ଭାବରେ ୧୪୧୨ କୋଟି ଟଙ୍କାର ୨୦ ପ୍ରତିଶତ ଲାଭାଂଶ ହିସାବକୁ ନିଆଯାଏ ତେବେ ଏହା ୨୮୨ କୋଟି ୪୦ ଲକ୍ଷ ଟଙ୍କାକୁ ଆସିବ । ଏହି ଲାଭାଂଶକୁ ୨୦୪୪୯ ସଂୟସହାୟକ ଗୋଷ୍ଠୀଙ୍କ ଭିତରେ ସମାନୁପାତିକ ଭାବରେ ଯଦି ବାଂଟି ଦିଆଯାଏ ତେବେ ପ୍ରତ୍ୟେକ ଗୋଷ୍ଠୀ ପିଛା ୧ଲକ୍ଷ ୩୮ ହଜାର ଟଙ୍କା ଆସିବ । ହାରାହାରି ଯଦି ବାରଜଣ ସଭ୍ୟା ପ୍ରତ୍ୟେକ ଗୋଷ୍ଠୀରେ ଥାଆନ୍ତି ତେବେ ଜଣ ପିଛା ବର୍ଷକୁ ୧୧ ହଜାର ୫୦୦ ଟଙ୍କା ରୋଜଗାର ହୋଇଛି, ଏହା ମାସକୁ ୯୫୮ ଟଙ୍କା ଓ ଦିନକୁ ୩୨ ଟଙ୍କା ଆସୁଅଛି । ତେବେ ଦିନକୁ ମାତ୍ର ୩୨ ଟଙ୍କା ମିଶନ ଶକ୍ତି ମାଧ୍ୟମରେ ରୋଜଗାର କରିଥିବା ମହିଳାମାନେ କିପରି ଭାବରେ ସ୍ୱାବଲମ୍ବି ହୋଇପାରିବେ ତାର ଉତର ରାଜ୍ୟସରକାର ରଖିବେ କି?

- Advertisement -

ଠିକ୍ ସେହିଭଳି ଭାବରେ ଯଦି ଆର୍ଥିକ ବର୍ଷ ୨୦୨୦-୨୧ ରେ ମିଶନ ଶକ୍ତି ମାଧ୍ୟମରେ ହୋଇଥିବା ୨୧୭୨ କୋଟି ଟଙ୍କାର ବ୍ୟବସାୟକୁ ଯଦି ତର୍ଜମା କରାଯିବ ତେବେ ଏହାର ୨୦ ପ୍ରତିଶତ ଲାଭାଂଶ ବାବଦକୁ ୪୩୪ କୋଟି ୪୦ ଲକ୍ଷ ଟଙ୍କା ଆସିବ ଯେଉଁଥିରେ ୬୨ ହଜାର ୫୧୪ ଟି ସ୍ୱୟଂସହାୟକ ଗୋଷ୍ଠୀଙ୍କ ସହଭାଗିତା ରହିଅଛି । ତେଣୁ ପ୍ରତ୍ୟେକ ଗୋଷ୍ଠୀ ପିଛା ବର୍ଷକୁ ୬୯ ହଜାର ୪୮୮ ଟଙ୍କା ରୋଜଗାର ହୋଇଛି । ହାରାହାରି ଯଦି ବାରଜଣ ସଭ୍ୟା ପ୍ରତ୍ୟେକ ଗୋଷ୍ଠୀରେ ଥାଆନ୍ତି ତେବେ ଜଣ ପିଛା ବର୍ଷକୁ ୫ ହଜାର ୭୯୧ ଟଙ୍କା ରୋଜଗାର ହୋଇଛି, ଏହା ମାସକୁ ୪୮୨ ଟଙ୍କା ଓ ଦିନକୁ ହାରାହାରି ୧୬ ଟଙ୍କା ଆସୁଅଛି ।
ଏ ସାମଗ୍ରିକ ଚିତ୍ର ମହିଳାଙ୍କୁ ସ୍ୱାବଲମ୍ବି କରିବା ଦିଗରେ ରାଜ୍ୟ ସରକାରଙ୍କର ଅପାରଗତା ଓ ବିଫଳତାକୁ ହିଁ ସୂଚାଉଛି । ପ୍ରତ୍ୟେକ ମହିଳା ତାଙ୍କ ଘରର ଜଣେ ଜଣେ ଅର୍ଥମନ୍ତ୍ରୀ ଓ ଘରର ଆର୍ଥିକ ପରିଚାଳନା ଦାୟିତ୍ୱ ସଂପୂର୍ଣ୍ଣ ଭାବରେ ତାଙ୍କ ଉପରେ ନ୍ୟସ୍ତଥାଏ ।

ସରକାରଙ୍କର ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟିକରିବାରେ ବିଫଳତା, ପ୍ରବାସୀ ଶ୍ରମିକଙ୍କର ଦକ୍ଷତା ମାପ କରିବାରେ ନିଷ୍କ୍ରିୟତା, ବିଗତ ବର୍ଷରେ ୨୦ କୋଟି ଶ୍ରମଦିବସ ସୃଷ୍ଟିକରିବାରେ ବିଫଳତା, ଆକାଶଛୁଆଁ ଦରଦାମ ବୃଦ୍ଧି ଆଦି ରାଜ୍ୟର ସାଧାରଣ ଜନତାଙ୍କର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଏ ସମୟରେ ସରକାର ବିଜ୍ଞାପନ ଓ ଖବର ଶିରୋନାମା ପରିଚାଳନା ଛାଡ଼ି ବାସ୍ତବସ୍ଥିତିକୁ ହୃଦୟଙ୍ଗ କରନ୍ତୁ ଏବଂ ଓଡ଼ିଶାର ସାଧାରଣ ଜନତାଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭର କରିବା ପାଇଁ ସଠିକ ନିଷ୍ପତି ନେବାପାଇଁ ଶ୍ରୀ ଶତପଥି ପରାମର୍ଶ ଦେଇଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ ପୂର୍ବ କଂଗ୍ରେସ ସରକାର ସମୟରେ ଟଙ୍କିକିଆ ଚାଉଳ ବ୍ୟବସ୍ଥାକୁ ସମାଜର ନିମ୍ନବର୍ଗରେ ଥିବା ଲୋକଙ୍କ ପାଇଁ ଓଡ଼ିଶାରେ ଲାଗୁ କରାଯାଇଛି । କିନ୍ତୁ ଏ ଟଙ୍କିକିଆ ଚାଉଳ କେବଳ କଙ୍କାଳସାର ଶରୀରକୁ ଢ଼ାଙ୍କିବାପାଇଁ ଏକ ପର୍ଦାଭଳି କାର୍ୟ୍ୟ କରୁଛି । ବଂଚିବା ପାଇଁ ଖାଲି ଟଙ୍କିକିଆ ଚାଉଳ ନୁହେଁ ପରନ୍ତୁ ପ୍ରତ୍ୟେକ ପରିବାରକୁ ରୋଜଗାର ଦେବା ନିତ୍ୟାନ୍ତ ଆବଶ୍ୟକ । ଏ ସରକାର ସମୟରେ ରାଜ୍ୟରେ ମହିଳାମାନେ ସଂପୂର୍ଣ୍ଣ ଭାବରେ ଅବହେଳିତ, ନିଷ୍ପେସିତ ଓ ହିଂସାର ଶୀକାର ହେଉଥିବା ଶ୍ରୀମତୀ ସାହୁ ଅଭିଯୋଗ କରିଛନ୍ତି । ତେଣୁ ସରକାର କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠି ମହିଳାମାନଙ୍କ ରୋଜଗାର ବଢ଼ାଇବା ଓ ସ୍ୱାବଲମ୍ବି କରିବା ପାଇଁ ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏହି ସାମ୍ବାଦିକ ସମ୍ମିଳନୀକୁ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ପରିଚାଳନା କରିଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories