www.samajalive.in
Sunday, December 7, 2025
15.1 C
Bhubaneswar

ପୁଣି ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର: ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଶୂନ୍ୟ ସହିଷ୍ଣୁତା ଉପରେ ଜୋର ଦେଉଛନ୍ତି ରାଜ୍ୟ ସରକାର। ଏହି ଭିତ୍ତିରେ ଏବେ ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏଥିରେ ବିଭିନ୍ନ କ୍ଷେତ୍ରରେ ଥିବା ଅଧିକାରୀ ଯେପରିକି, ପୁଲିସ ଡିଏସ୍‌ପି, ଓଏଏସ୍ ଅଧିକାରୀ, ପୁଲିସ ଇନ୍ସପେକ୍ଟର ଓ ୨ ଜଣ ମ୍ୟୁନିସିପାଲଟି ଏକ୍‌ଜିକ୍ୟୁଟିଭ ଅଫିସର ଅନ୍ତର୍ଭୁକ୍ତ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୧ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଏହି ୫ ଜଣଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲା ମହିଳା ବିରୋଧୀ ଅପରାଧ ତଦନ୍ତ କେନ୍ଦ୍ରରେ(ଆଇୟୁସିଏଡବ୍ଲ୍ୟୁ) ଡିଏସ୍‌ପି ଭାବରେ ନିଯୁକ୍ତ ଓଡିଶା ପୁଲିସ ସେବା ଅଧିକାରୀ ରବିନ୍ଦ୍ର କୁମାର ସେଠୀଙ୍କ ବିରୁଦ୍ଧରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ସେ ଜଣେ ଅଭିଯୋଗକାରୀଙ୍କଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଇ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡିଥିଲେ ଏବଂ ତାଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ଦୁର୍ନୀତି ଓ ଅସାଧୁତା ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

- Advertisement -

ସୁନ୍ଦରଗଡ ଜିଲ୍ଲା ବଣାଇର ପୂର୍ବତନ ତହସିଲଦାର ଓଏଏସ୍‌ ଅଧିକାରୀ ସୁଶୀଲ କୁମାର କୁଜୁରଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ଅଛି। ଢେଙ୍କାନାଳ ସଦର ବ୍ଲକ୍‌ରେ ବିଡିଓ ଥିବାବେଳେ ସେ ମନରେଗା ପାଣ୍ଠି ଆତ୍ମସାତ କରିଥିଲେ। ବିଭିନ୍ନ ଗାଁରେ ଜାଲ କାଗଜପତ୍ରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଦର୍ଶାଇ ସରକାରଙ୍କର ୨୪ ଲକ୍ଷ ୨୨ ହଜାର ୫୩୮ ଟଙ୍କା କ୍ଷତି ପହଞ୍ଚାଇଥିଲେ। ତାଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ଅପାରଗତା, ଦୁର୍ନୀତି ଓ ଅସାଧୁତା ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡାର ପୁଲିସ ଇନ୍‌ସପେକ୍ଟର ବିନୋଦ ବିହାରୀ ନାୟକଙ୍କ ବିରୁଦ୍ଧରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ସେ ବଙ୍ଗମୁଣ୍ଡାରୁ କୁଚିଣ୍ଡାକୁ ଏକ କାର୍‌ରେ ଯାଉଥିବା ବେଳେ ବରଗଡ ଟୋଲଗେଟ୍‌ ନିକଟରେ ଦୁର୍ନୀତି ନିବାରଣ ବିଭାଗର ଏକ ଟିମ୍‌ ଦ୍ବାରା ଧରା ପଡିଥିଲେ। ତାଙ୍କ ଠାରୁ ୨ ଲକ୍ଷ ୬ ହଜାର ୨୨୦ ଟଙ୍କା ଜବତ କରାଯାଇଥିଲା। ବଙ୍ଗମୁଣ୍ଡାସ୍ଥିତ ତାଙ୍କ ସରକାରୀ ବାସଭବନରେ ତଲାସୀ ସମୟରେ ୩,୮୦,୯୨୦ ଟଙ୍କା ଜବତ କରାଯାଇଥିଲା । ସମୁଦାୟ ତାଙ୍କ ଠାରୁ ୫,୮୭,୧୪୦ ଟଙ୍କା ଜବତ କରାଯାଇଥିଲା। ୨୦୨୧ ନଭେମ୍ବର ୩୦ ତାରିଖ ଦିନ ସେ ଗିରଫ ହୋଇଥିଲେ। ଅଧିକ ତଦନ୍ତ ପରେ ଜଣାଯାଇଥିଲା ଯେ ସେ ଯେଉଁ କାରରେ ଯାଉଥିଲେ, ତାହା ସମ୍ବଲପୁର ଜିଲ୍ଲା ଧନୁପାଲ୍ଲୀ ପୁଲିସ ଷ୍ଟେସନ ଅନ୍ତର୍ଗତ ଏମ୍. ନାସିର ନାମକ ଜଣେ ବ୍ୟକ୍ତିଙ୍କୁଙ୍କ ନାମରେ ରହିଛି। ସେହି ବ୍ୟକ୍ତିଙ୍କ ନାମରେ ଧନୁପାଲ୍ଲୀ ପୁଲିସ ଷ୍ଟେସନରେ ୪ଟି ମାମଲା ଓ ସମ୍ବଲପୁର ସଦର ପୁଲିସ ଷ୍ଟେସନରେ ଗୋଟିଏ ମାମଲା ରହିଛି। ଦୁର୍ନୀତି, ଅପାରଗତା ଓ ଦୁର୍ବ୍ୟବହାର ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ସେହିପରି ଭଦ୍ରକ ଜିଲ୍ଲା ବାସୁଦେବପୁର ମ୍ୟୁନିସିପାଲଟିର ପୂର୍ବତନ ଏକଜିକ୍ୟୁଟିଭ ଅଫିସର ତାପସ ରଞ୍ଜନ ଜେନାଙ୍କୁ ତାଙ୍କର ପୌରସେବା କାର୍ଯ୍ୟକାଳ ସମୟରେ ଅପାରଗତା, ଅସାଧୁତା, ଦାୟିତ୍ବରେ ଅବହେଳା, ଆର୍ଥିକ ଅନିୟମିତତା ଆଦି ବିଭିନ୍ନ କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସିର ପୂର୍ବତନ ଏକଜିକ୍ୟୁଟିଭ ଅଫିସର ବିଜୟକୃଷ୍ଣ ନାୟକଙ୍କୁ ତାଙ୍କର ପୌରସେବା କାର୍ଯ୍ୟକାଳ ସମୟରେ ଅପାରଗତା, ଦାୟିତ୍ବରେ ଅବହେଳା, ନୈତିକ ସ୍ଖଳନ, ମହିଳାଙ୍କ ସହିତ ଅବୈଧ ସଂପର୍କ, ଜନସାଧାରଣଙ୍କୁ ପୌରସେବା ଯୋଗାଇଦେବା କ୍ଷେତ୍ରରେ ଅନାଗ୍ରହ, ସରକାରୀ ନିର୍ଦ୍ଦେଶାବଳୀର ଅବମାନନା ଏବଂ ଓଡ଼ିଶା ସରକାରୀ ସେବା ଆଚରଣ ବିଧି ୧୯୫୫ର ଉଲ୍ଲଂଘନ ଆଦି ବିଭିନ୍ନ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories