କଟକ : କଟକ ଜବାହରଲାଲ୍ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚମ୍ପିଆନସିପରେ ଉଭୟ ଦଳଗତ ଓ ବ୍ୟକ୍ତିଗତ ମ୍ୟାଚରେ ଭାରତୀୟ ଦଳ ସ୍ୱର୍ଣ୍ଣପଦକ ହାସଲ କରିଛି। ସୋମବାର ଶେଷ ତଥା ଅନ୍ତିମ ଦିବସରେ ମଧ୍ୟ ପୁରୁଷ ଡବଲ୍ସ ଓ ମହିଳା ଡବଲ୍ସ ଟୁର୍ଣ୍ଣାମେଣ୍ଟ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମହିଳା ଡବଲ୍ସରେ ଏସ୍.ପୁଜା ଓ କେ.ଏସ୍.ରୟ ଭାରତୀୟ ମହିଳା ଯୋଡ଼ି ତାଙ୍କ ବିପକ୍ଷରେ ଖେଳୁଥିବା ଏସ୍. ଆକୁଲା ଓ ମୌସୁମୀଙ୍କୁ ୩-୧ରେ ହରାଇ ସ୍ୱର୍ଣ୍ଣପଦକ ଜିତିଛନ୍ତି। ସେହିପରି ପୁରୁଷ ଦଳରେ ଠାକର ମାନବ ବିକାଶ ଓ ଆଣ୍ଟୋନୀ ଯୋଡ଼ି ଜି.ସପ୍ୟାନ ଓ ଶରତ କମଳଙ୍କ ଯୋଡ଼ିକୁ ମଧ୍ୟ ୩-୧ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି।
ସେହିପରି ମହିଳା ବ୍ୟକ୍ତିଗତ ଖେଳରେ ଉଭୟ ଭାରତୀୟ ଖେଳାଳି ସାମ୍ନାସାମ୍ନି ହୋଇଥିଲେ। ଆହିକା ମୁଖାର୍ଜୀ ତାଙ୍କ ବିପକ୍ଷରେ ଖେଳୁଥିବା ମଧୁରିକାଙ୍କୁ ୩-୦ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଅପରପକ୍ଷେ ପୁରୁଷ ସିଙ୍ଗଲ୍ସ ମ୍ୟାଚ୍ ଫାଇନାଲ ଜି.ସତ୍ୟାନ୍ ଓ ହରମିତ୍ ଦେଶାଇଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ହରମିତ୍ ଦେଶାଇ ବିଜୟ ଲାଭ କରି ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି । ଗତ ୧୭ ତାରିଖଠାରୁ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟ ସୋମବାର ଶେଷ ହୋଇଛି।



