www.samajalive.in
Monday, December 8, 2025
20.1 C
Bhubaneswar

ଗ୍ରୀଷ୍ମ ଋତୁରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପାନୀୟ ଜଳ ଯୋଗାଣ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପାନୀୟ ଜଳ ଯୋଗାଣ ସଂପର୍କରେ ସମୀକ୍ଷା କରିଛନ୍ତି। ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତ ଓ ପୌରାଞ୍ଚଳ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଶତ ପ୍ରତିଶତ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରମାଣ ପତ୍ର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏବର୍ଷ ଶୀଘ୍ର ଗ୍ରୀଷ୍ମ ଋତୁ ଆସିଥିବାରୁ ଏବଂ ଏବର୍ଷ ପୂର୍ବାପେକ୍ଷା ଅଧିକ ଗରମ ହେବାର ସମ୍ଭାବନା ଥିବାରୁ ଆମକୁ ଅଧିକ ପ୍ରସ୍ତୁତି କରିବାକୁ ପଡିବ। ନିୟମିତ ପାନୀୟ ଜଳ ସମସ୍ୟା ଥିବା ହଟ୍‌ସ୍ପଟ୍‌ ଅଂଚଳ ଗୁଡିକୁ ଚିହ୍ନଟ କରି ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

- Advertisement -

ଲୋକଙ୍କ ଅଭିଯୋଗର ଶୁଣାଣି ପାଇଁ ଏକ ତ୍ରୁଟିଶୂନ୍ୟ ଅଭିଯୋଗ ଶୁଣାଣି ବ୍ୟବସ୍ଥା ସହିତ ବୈଷୟିକ ଜ୍ଞାନସଂପନ୍ନ ତଦାରଖ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବରିଷ୍ଠ ଅଧିକାରୀମାନେ ପାନୀୟ ଜଳ ଯୋଗାଣକୁ ତଦାରଖ କରି ଅବହେଳା କରୁଥିବା ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବରିଷ୍ଠ ଅଧିକାରୀମାନେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଉତ୍ତମ ରୂପେ ତଦାରଖ କରି ଅବହେଳା କରୁଥିବା ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ଏବଂ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳମାନେ ନିୟମିତ ସମୀକ୍ଷା କରି ସମସ୍ୟାର ସମାଧାନ କରିବାକୁ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟ ଜଳର ସୁବିଧା ପାଇଁ ବ୍ୟାପକ ଅର୍ଥ ବିନିଯୋଗ କରୁଛନ୍ତି। ଗ୍ରାମାଞ୍ଚଳରେ ୧୭ ହଜାର କୋଟି ଟଙ୍କାର ୮୯ଟି ବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ୨୦୨୪ ସୁଦ୍ଧା ସବୁ ଗ୍ରାମ୍ୟ ପରିବାରକୁ ଶତପ୍ରତିଶତ ପାଇପ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି।

ସେହିପରି ସହରାଞ୍ଚଳରେ ମଧ୍ୟ ଗତ ୩ ବର୍ଷ ମଧ୍ୟରେ ପାନୀୟ ଜଳ ପାଇଁ ୩୮୦୦ କୋଟି ଟଙ୍କା ବିନିଯୋଗ କରାଯାଇଛି ଏବଂ ୨୦୨୨ ସୁଦ୍ଧା ସହରାଞ୍ଚଳର ସବୁ ପରିବାରକୁ ପାଇପ ଜଳ ଯୋଗାଣର ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ। ଲୋକଙ୍କୁ ଉତ୍ତମ ମାନର ପାନୀୟ ଜଳ ଯୋଗାଇ ଦେବା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା ଏବଂ ବିଶେଷକରି ଖରାଦିନରେ ଏହାର ଗୁରୁତ୍ବ ବହୁତ ଅଧିକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆଲୋଚନାରୁ ଜଣାଯାଇଛି ଯେ ସହରାଞ୍ଚଳରେ ୨୦୨୧ରେ ପାନୀୟ ଜଳର ଆବଶ୍ୟକତା ଦୈନିକ ୧୦୮୮ ମିଲିଅନ ଲିଟର ଥିବାବେଳେ, ଦୈନିକ ୧୦୯୩ ମିଲିଅନ ଲିଟର ପାନୀୟ ଜଳ ଯୋଗାଣ କରାଯାଉଛି। ଏହାସହିତ ୨୦୧୬ରେ ତିନି ଲକ୍ଷ ଘରକୁ ପାଇପ ପାଣି ସଯୋଗ ହୋଇଥିବା ବେଳେ ଏବେ ୮,୩୦,୦୦୦ ଘରକୁ ପାଇପ ପାଣି ସଂଯୋଗ ଦିଆଯାଇଛି।

ତେଣୁ ବର୍ତ୍ତମାନ ପାନୀୟ ଜଳ ଯୋଗାଣର କ୍ଷମତା ବେଶ୍ ଭଲ ରହିଛି। ୨୦୧୬-୧୭ରୁ ୨୦୨୦-୨୧ ମଧ୍ୟରେ ବାସଗୃହ ଗୁଡିକୁ ପାନୀୟ ଜଳ ସଂଯୋଗ କ୍ଷେତ୍ରରେ ୧୬୮ ପ୍ରତିଶତ ଉନ୍ନତି ଆସିଛି ବୋଲି ସୂଚନା ଦିଆଯାଇଥିଲା। ରାଜ୍ୟର ୬୫ଟି ପୌରାଞ୍ଚଳର ୩୩୫ଟି ସ୍ଥାନରେ ପାନୀୟ ଜଳର ସମସ୍ୟା ଥିବା ବେଳେ ଏଗୁଡିକୁ ୧୧୭ଟି ଟ୍ୟାଙ୍କର ଓ ୧୩୮୦ଟି PVC ଟ୍ୟାଙ୍କ ଜରିଆରେ ପାଣି ଯୋଗାଇ ଦିଆଯାଉଛି।

ସମସ୍ତ ଅଭିଯୋଗର ପ୍ରତିକାର ୨୪ ଘଣ୍ଟା ମଧ୍ୟରେ କରାଯାଉଛି । ଏହାଛଡା ପାନୀୟ ଜଳର ସମସ୍ୟା ଥିବା ୧୧ଟି ପୌରାଞ୍ଚଳ ଉପରେ ସ୍ବତନ୍ତ୍ର ଧ୍ୟାନ ରଖାଯାଇଛି। ସମସ୍ତ ପୌରାଞ୍ଚଳରେ ମୋ ସରକାର ସେଲ୍‌ ଜରିଆରେ ଅଭିଯୋଗର ଶୁଣାଣି କରାଯାଉଛି।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଶ୍ରୀ ଦେଓରଂଜନ କୁମାର ସିଂହ କହିଥିଲେ ଯେ ସାରା ଦେଶରେ ପାନୀୟ ଜଳ କ୍ଷେତ୍ରରେ ୮୧ ପ୍ରତିଶତ ଲୋକଙ୍କୁ ଦୈନିକ ବ୍ୟକ୍ତି ପିଚ୍ଛା ୪୦ ଲିଟର ପାଣି ଦିଆଯାଉଥିବା ବେଳେ, ଓଡିଶାରେ ୧୦୦ ପ୍ରତିଶତ ଲୋକଙ୍କୁ ବ୍ୟକ୍ତି ପିଚ୍ଛା ଦୈନିକ ୪୦ ଲିଟର ପାଣି ଦିଆଯାଇପାରୁଛି। ଗ୍ରାମାଞ୍ଚଳ ଜନସଂଖ୍ୟାର ୪୭.୬୫ ପ୍ରତିଶତ ଲୋକ, ୫୪ ପ୍ରତିଶତ ଗାଁ ଓ ୨୭ ପ୍ରତିଶତ ଜନବସତିକୁ ପାଇପ ପାଣିର ସୁବିଧା ଦିଆଯାଇପାରିଛି।

ଖରାଦିନ ପାଇଁ ସବୁ ପାଇପ ପାଣି ଓ ଟ୍ୟୁବୱେଲ ଗୁଡିକୁ ଯାଂଚ କରାଯାଉଛି ଏବଂ ପ୍ରତିକାର ବ୍ୟବସ୍ଥା କରାଯାଉଛି। ମୋବାଇଲ ଭ୍ୟାନ ଓ ଟିମ୍‌ ପ୍ରସ୍ତୁତ କରାଯାଇ ପାନୀୟ ଜଳ ଯୋଗାଣ କରାଯାଉଛି । ଜଳକଷ୍ଟ ଅଞ୍ଚଳରେ ଟ୍ୟାଙ୍କର ଜରିଆରେ ପାଣି ଯୋଗାଇ ଦିଆଯାଉଛି ବୋଲି ସୂଚନା ଦିଆଯାଇଥିଲା ।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପାନୀୟ ଜଳ ଯୋଗାଣ ସଂପର୍କରେ ନିୟମିତ ସମୀକ୍ଷା କରାଯିବ। ଏହି ବୈଠକକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ସଂଞ୍ଚାଳନ କରିଥିଲେ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ଜଂଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories