ନୂଆଦିଲ୍ଲୀ : ପେଗାସସ୍ ବିବାଦ ପ୍ରସଙ୍ଗରେ ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିଛନ୍ତି। ବିବାଦର ସ୍ବାଧୀନ ତଦନ୍ତ ନିର୍ଦେଶ ଦେବାକୁ ନିବେଦନ କରି ହୋଇଥିବା ୯ଟି ଆବେଦନ ଉପରେ ଅଦାଲତ ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ଏନଭି ରମଣଙ୍କ ନେତୃତ୍ବ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପୀଠ ଶୁଣାଣି କାଳରେ ପେଗାସସ୍ ବିବାଦକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଦର୍ଶାଇବା ସହ ସତ୍ୟ ହୋଇଥିଲେ ସାଙ୍ଘାତିକ ବୋଲି କହିଛନ୍ତି। ତେବେ ଏହି ପ୍ରସଙ୍ଗର ସ୍ବାଧୀନ ତଦନ୍ତ ନିର୍ଦେଶ ପାଇଁ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଯଥେଷ୍ଟ ନୁହେଁ। ତେଣୁ ଆବେଦନକାରୀମାନେ ସେମାନଙ୍କ ଅଭିଯୋଗ ଉପରେ ଅଧିକ ପ୍ରମାଣ ଦେବା ଦରକାର ବୋଲି ପୀଠ କହିଛନ୍ତି। ଆବେଦନକାରୀଙ୍କ ପକ୍ଷ ଶୁଣିବା ସମୟରେ ପୀଠ ପ୍ରଶ୍ନ କରିଛନ୍ତି ଯେ ଯେଉଁ ବ୍ୟକ୍ତି ବିଶେଷ ସରକାର ଗୁଇନ୍ଦା କାର୍ଯ୍ୟର ଶିକାର ହୋଇଛନ୍ତି ସେମାନେ କାହିଁକି ମାମଲା ରୁଜୁ କରି ନାହାନ୍ତି। ଯଦି କାହାର ଫୋନକୁ ହ୍ୟାକ୍ କରାଯାଏ ତେବେ ସେ ସୂଚନା ପ୍ରଯୁକ୍ତି ଆଇନ (ଆଇଟି) ଆଧାରରେ ମାମଲା ରୁଜୁ କରିବା ଦରକାର। ମାତ୍ର ଅଭିଯୋଗକାରୀମାନେ ଏପରି କରିନାହାନ୍ତି। ୯ଟି ଆବେଦନରୁ ୮ଟି ଆବେଦନ ଖବରକାଗଜ ରିପୋର୍ଟକୁ ଆଧାର କରି କରାଯାଇଛି। ତେଣୁ ଏହି ପ୍ରସଙ୍ଗର ତଦନ୍ତ ନିର୍ଦେଶ ଦେବା ପୂର୍ବରୁ ଏହାର ଅନ୍ୟ ଭରସାଯୋଗ୍ୟ ପ୍ରମାଣ ଉପସ୍ଥାପନ କରାଯିବା ଦରକାର। ଏହି ପ୍ରସଙ୍ଗରେ ଅଦାଲତ ସରକାରଙ୍କ ପକ୍ଷ ମଧ୍ୟ ଶୁଣିବାକୁ ଆବଶ୍ୟକ ମନେ କରିଛନ୍ତି। ତେଣୁ ମାମଲାର ପରବର୍ତ୍ତୀ ଶୁଣାଣିକୁ ଅଗଷ୍ଟ ୧୦ ତାରିଖକୁ ଧାର୍ଯ୍ୟ କରାଯାଇଛି। ରାଜ୍ୟସଭା ସାଂସଦ ଏନ ରାମ ଓ ଏଡିଟର୍ସ ଗିଲଡ ଅଫ ଇଣ୍ଡିଆ (ଇଜିଆଇ) ପକ୍ଷରୁ ଯୁକ୍ତି ବାଢି ବରିଷ୍ଠ ଓକିଲ କପିଲ ସିବଲ କହିଥିଲେ ଯେ ଭାରତ ବ୍ୟତୀତ ଅନ୍ୟ ରାଷ୍ଟ୍ରରେ ପେଗାସସ୍ ସ୍ପାଏୱେର ଗୁଇନ୍ଦା କାର୍ଯ୍ୟର ଅଭିଯୋଗ ହୋଇଛି। ଏହି ଅଭିଯୋଗ ଉପରେ ଆମେରିକା ଓ ଫ୍ରାନ୍ସ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଗଣମାଧ୍ୟମର ଅନୁସନ୍ଧାନମୂଳକ ରିପୋର୍ଟ ଆଧାରରେ ଏହି ଦୁଇ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପେଗାସସ୍ ସ୍ପାଏୱେର ସଫ୍ଟୱେର ମାଧ୍ୟମରେ ସରକାର ଦେଶର ନାଗରିକଙ୍କ ବିରୋଧରେ ଗୁଇନ୍ଦାଗିରି କରିଥିବା ଅଭିଯୋଗ ହୋଇଛି। ଏହି ବିଦେଶୀ ସଫ୍ଟୱେର ମାଧ୍ୟମରେ ସରକାର ରାଜନେତା, ସାମ୍ବାଦିକ, ବ୍ୟବସାୟୀ ଓ ସରକାରୀ ଅଧିକାରୀଙ୍କ ଫୋନ ହ୍ୟାକ୍ କରିଛନ୍ତି।
ପେଗାସସ୍ ମାମଲାରେ ପ୍ରଧାନ ବିଚାରପତିଙ୍କ ମନ୍ତବ୍ୟ : ‘ପ୍ରସଙ୍ଗ ସତ ହୋଇଥିଲେ ସାଙ୍ଘାତିକ’
Popular Categories



