ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଚୀନର ଦୋମୁହାଁ ନୀତି ପୁଣି ଥରେ ପଦାରେ ପଡ଼ିଛି। ଗୋଟିଏ ପଟେ ଏହି ଆକ୍ରମଣ ଘଟଣାକୁ ଦେଶ ନିନ୍ଦା କରୁଛି ବୋଲି ବେଜିଂ ପକ୍ଷରୁ କୁହାଯାଇଥିବାବେଳେ ଅନ୍ୟପଟେ ଜୈଶ-ଏ-ମହମ୍ମଦ(ଜେଇଏମ)ର ମୁଖ୍ୟ ମାସୁଦ ଆଝାରଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ଲାଗି ଭାରତର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଆସୁଛି।
ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜେଙ୍ଗ ସୁଆଙ୍ଗ ଗଣମାଧ୍ୟମକୁ କହିଛନ୍ତି, ଭାରତରେ ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ଶହୀଦ ହେବା ଘଟଣାରେ ଆମେ ଗଭୀର ମର୍ମାହତ। ଆହତ ଯବାନମାନଙ୍କ ଆରୋଗ୍ୟ କାମନା କରୁଛୁ। ଆତଙ୍କବାଦଙ୍କୁ ଆମେ ଦୃଢ଼ ବିରୋଧ କରୁଛୁ ବୋଲି ସେ କହିଛନ୍ତି। କିନ୍ତୁ ଜାତିସଂଘ ସୁରକ୍ଷା ପରିଷଦ ଦ୍ବାରା ମାସୁଦଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ତାଲିକାରେ ସାମିଲ କରିବା ପ୍ରସଙ୍ଗରେ ଚୀନର ଆଭିମୁଖ୍ୟ କ’ଣ ରହିବ ବୋଲି ଏକ ପ୍ରଶ୍ନରେ ଜେଙ୍ଗ କୌଣସି ସ୍ପଷ୍ଟ ମତ ରଖି ନ ଥିଲେ। ପୂର୍ବରୁ ଭାରତ ସମେତ ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନ ପକ୍ଷରୁ ମାସୁଦଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ତାଲିକାରେ ସାମିଲ କରିବାକୁ ଜାତିସଂଘ ସୁରକ୍ଷା ପରିଷଦ ନିକଟରେ ବାରମ୍ବାର ପ୍ରସ୍ତାବ ଦିଆଯାଉଥିବା ବେଳେ ଚୀନ ତାହାକୁ ଅଣଦେଖା କରୁଛି। ସୂଚନାଯୋଗ୍ୟ, ୨୦୦୧ରେ ଜାତିସଂଘ ସୁରକ୍ଷା ପରିଷଦର ୧୫ ଜଣିଆ ସଦସ୍ୟ ରାଷ୍ଟ୍ରଙ୍କ ଅନୁମୋଦନ କ୍ରମେ ଜେଇଏମକୁ ଆତଙ୍କବାଦୀ ସଂଗଠନ ଭାବେ ତାଲିକାଭୁକ୍ତ କରାଯାଇଛି। କିନ୍ତୁ ସଂଗଠନର ମୁଖ୍ୟ ମାସୁଦଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ରୂପେ ତାଲିକାଭୁକ୍ତ କରିବା ପ୍ରସ୍ତାବକୁ ଅନ୍ୟ ରାଷ୍ଟ୍ରଗୁଡ଼ିକ ସମର୍ଥନ କରୁଥିଲେ ମଧ୍ୟ ଚୀନ ତାହାକୁ ପ୍ରତ୍ୟାଖ୍ୟାନ କରିଆସୁଛି।



