କ୍ୟାନସରକୁ ଭଲ କରିବ ଓଡ଼ିଶା ମଇଁଷି କ୍ଷୀର – ଚିଲିକ ମଇଁଷି କ୍ଷୀରରେ ରହିଛି ପ୍ରତିଷେଧକ

କର୍କଟ ରୋକିବ ଚିଲିକା ମଇଁଷି କ୍ଷୀର

ପୁରୀ : ଚିଲିକା ମଇଁଷିଙ୍କ କ୍ଷୀରରେ ରହିଛି କର୍କଟ ରୋଗ ପ୍ରତି‌େଷଧକ ଉପାଦାନ। ସେଥିରୁ କର୍କଟ ରୋଗ ଔଷଧ ପ୍ରସ୍ତୁତି ପାଇଁ ଚାଲିଛି ଗବେଷଣା। ହରିୟାଣାର ଏକ ସଂସ୍ଥା ଚଳାଇଥିବା ଗବେଷଣାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। ଚିଲିକା ମଇଁଷିଙ୍କଠାରୁ ପ୍ରସ୍ତୁତ କ୍ଷୀର ଏବଂ ଦହିରେ ଓମେଗା ଥ୍ରି ଫ୍ୟାଟି ଏସିଡ୍‌ ରହିଥିବା ଜଣାପଡ଼ିଛି। ଚିଲିକା ଭିତରେ ରହୁଥିବା ମଇଁଷିମାନେ ଅଳ୍ପମଧୁର ଲୁଣିପାଣି ପିଇବା ସହ ଚିଲିକା ଦଳ ଓ ଘାସ ଖାଉଥିବାରୁ ସେମାନଙ୍କ ଠାରେ ଅନେକ ରୋଗ ପ୍ରତିରୋଧକ ଶକ୍ତି ରହିଛି। ଏହା ମଣିଷ ଶରୀର ପାଇଁ ବେଶ୍‌ ଉପକାରୀ ବୋଲି ପ୍ରଫେସର ସୁଶାନ୍ତ କୁମାର ଦାସ କହିଛନ୍ତି। ମଣିଷଙ୍କ ଶରୀରରେ ୪୬ଟି ଗୁଣସୂତ୍ର ଥିବାବେଳେ ଚିଲିକା ମଇଁଷିଙ୍କଠାରେ ୪୮ ଗୁଣସୂତ୍ର ରହିଛି। ଏହାଛଡ଼ା ଅନ୍ୟ ଅଞ୍ଚଳ ଗାଈ ଓ ମଇଁଷିଙ୍କ କ୍ଷୀରରୁ ପ୍ରସ୍ତୁତ ଦହି ଦୁଇ ତିନିଦିନରେ ଖଟା ହେଉଥିବାବେଳେ ଚିଲିକା ମଇଁଷିଙ୍କ ଦହି ପାଞ୍ଚରୁ ସାତଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହୁଥିବା ସେ ସୂଚନା ଦେଇଛନ୍ତି। ଗବେଷଣାରୁ ଏଭଳି ତଥ୍ୟ ମିଳିବା ପରେ ଦେଶର ବିଭିନ୍ନ ଅଞ୍ଚଳରୁ ଚିଲିକାକୁ ବୈଜ୍ଞାନିକଙ୍କ ସୁଅ ଛୁଟିବାରେ ଲାଗିଛି।

ଚିଲିକା ମଇଁଷିଙ୍କ କ୍ଷୀରରେ ରହିଥିବା ଆଶ୍ଚର୍ଯ୍ୟଜନକ କର୍କଟ ପ୍ରତିରୋଧକ ଶକ୍ତି ସମ୍ପର୍କରେ ଆଇସିଏଆର୍‌ ଏବଂ ନ୍ୟାସନାଲ ବ୍ୟୁରୋ ଅଫ୍‌ ଆନିମଲ୍‌ ଜେନେଟିକ୍‌ ରିସୋର୍ସେସ୍‌ (ଏନବିଏଜିଆର୍‌) ବୈଜ୍ଞାନିକ ଡ. ମହେଶ ଦିଗେ ସୂଚନା ଦେଇଛନ୍ତି। ଦେଶରେ ୧୯ ପ୍ରକାର ମଇଁଷି ଥିବାବେଳେ ଚିଲିକାରେ ରହୁଥିବା ମଇଁଷି ସ୍ବତନ୍ତ୍ର ପ୍ରଜାତିର ବୋଲି ସେ କହିଛନ୍ତି। ୭ବର୍ଷ ଧରି ଗବେଷଣା ଚଳାଇଥିବା ବୈଜ୍ଞାନିକ ଡ. ଦିଗେ ପ୍ରଥମେ ୩ଟି ମଇଁଷିଙ୍କ କ୍ଷୀର ଓ ଦହିକୁ ନେଇ କରିଥିବା ଗବେଷଣାରୁ ସଫଳତା ପାଇଛନ୍ତି। ଏବେ ଆଉ ୨୦ଟି ମଇଁଷିଙ୍କଠାରୁ କ୍ଷୀର ସଂଗ୍ରହ କରାଯାଇ ଗବେଷଣା ପାଇଁ ଓଡ଼ିଶା ବାହାରକୁ ପଠାଯାଇଛି। ସେହିପରି କର୍କଟ ରୋଗ ପ୍ରତିଷେଧକ ଗୁଣ ସମେତ ଅନ୍ୟ ୩ଟି ଉପକାରୀ ଉପାଦାନ ଚିଲିକା ମଇଁଷିଙ୍କଠାରେ ରହିଥିବା ପ୍ରଫେସର ଦାସ କହିଛନ୍ତି। ଚିଲିକା ଭିତରେ ରହୁଥିବା ମଇଁଷିଙ୍କ କ୍ଷୀରରେ ରହିଥିବା ଉପକାରୀ ଉପାଦାନ ଦେଶର ଅନ୍ୟ କୌଣସି ମଇଁଷିଙ୍କଠାରେ ନଥିବା ଗବେଷଣାରୁ ଜଣାପଡ଼ିଛି। ଏହି ଖବର ପ୍ରଚାର ହେବାପରେ ଚିଲିକା ମଇଁଷିଙ୍କ କ୍ଷୀର ଓ ଦହିର ଚାହିଦା ହଠାତ୍‌ ବୃଦ୍ଧି ପାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ମଧ୍ୟ ଏହାକୁ ନେଇ ଗବେଷଣା କରୁଥିବା ଜଣାପଡ଼ିଛି। ଚିଲିକା ମଇଁଷିକୁ ନେଇ ୭ବର୍ଷ ଧରି ଚାଲିଥିବା ଗବେଷଣାରୁ କର୍କଟ ରୋଗ ପ୍ରତିଷେଧକ ଔଷଧ ପ୍ରସ୍ତୁତିନେଇ ଆଶାର ସଞ୍ଚାର ହୋଇଛି।

ପୌରାଣିକ ତଥ୍ୟ ଅନୁଯାୟୀ ମହାପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ କଳାଧଳା ଘୋଡ଼ାରେ ଚଢ଼ି କାଞ୍ଚି ବିଜୟ କରି ଫେରିବା ବେଳେ ଚିଲିକା ନିକଟସ୍ଥ ଏକ ଗ୍ରାମରେ ମାଣିକ ଗଉଡୁଣୀଠାରୁ ଦହି ଖାଇଥିଲେ। ଦହି ମୂଲ୍ୟ ବାବଦକୁ ସେମାନେ ମାଣିକ ଗଉଡୁଣୀଙ୍କୁ ମୁଦି ଉପହାର ଦେଇଥିଲେ। ଚିଲିକା କୂଳରେ ଥିବା ଏହି ଗ୍ରାମ ମାଣିକ ପାଟଣା ଭାବେ ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଛି। ଚିଲିକା ସମେତ ଆଖପାଖ ଅଞ୍ଚଳ ମଇଁଷି ଓ ଗାଈଙ୍କ କ୍ଷୀରରେ ପ୍ରସ୍ତୁତ ଖଣ୍ଡଦହି ସ୍ବାଦିଷ୍ଟ ଏବଂ ଲୋକପ୍ରିୟ। ସେଠାକାର କ୍ଷୀର ଏବଂ ଦହିରେ କର୍କଟ ରୋଗ ପ୍ରତିଷେଧକ ଔଷଧୀୟ ଗୁଣ ରହିଥିବା ଗବେଷଣାରୁ ଜଣାପଡ଼ିବା ପରେ ମଇଁଷି ପାଳକଙ୍କ ମଧ୍ୟରେ ଉତ୍କଣ୍ଠା ବହୁ ଗୁଣରେ ବଢ଼ି ଯାଇଛି। ତେବେ ଏ ସମ୍ପର୍କରେ ଜିଲା ପ୍ରଶାସନ କିମ୍ବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଖରେ କୌଣସି ସୂଚନା ନାହିଁ।

Comments are closed.